ଭୁବନେଶ୍ବର: ଏପ୍ରିଲ ମାସକୁ ପାର୍କିନସନ୍ ରୋଗ ସଚେତନତା ମାସ ଭାବେ ପାଳନ କରାଯାଉଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ୍ ୧୧ ତାରିଖ ବିଶ୍ବ ପାର୍କିନସନ୍ ଦିବସ ଭାବେ ପାଳିତ ହୋଇଆସୁଛି। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ପାର୍କିନସନ୍ରେ ମାନସିକ ସ୍ବାସ୍ଥ୍ୟ ଓ ପାର୍କିନସନ୍ ଯତ୍ନ’। ବିଶ୍ବବ୍ୟାପୀ ୧କୋଟିରୁ ଅଧିକ ଲୋକ ପାର୍କିନସନ୍ ରୋଗର ଶିକାର ହୋଇଥିବା ଜଣାପଡ଼ିଛି। ମୁଖ୍ୟତଃ ବୟସ ବଢ଼ିବା ସହ ଏହି ରୋଗ ବୃଦ୍ଧି ପାଇଥାଏ। ମାତ୍ର ୫୦ ବର୍ଷରୁ କମ୍ ୪ପ୍ରତିଶତ ଲୋକ ମଧ୍ୟ ଏହାର ଶିକାର ହୋଇଥା’ନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି ମହିଳାଙ୍କ ତୁଳନାରେ ପୁରୁଷମାନେ ଦେଢ଼ଗୁଣା ଅଧିକ ଏହି ରୋଗରେ ପୀଡ଼ିତ ହେଉଥିବା ଏକ ଗବେଷଣାରୁ ଜଣାପଡ଼ିଛି।
ପାର୍କିନସନ୍ ରୋଗରେ ମୁଖ୍ୟତଃ ହାତ ଥରିଥାଏ, ଯିବା ଆସିବା କମିଯାଇଥାଏ। ଏହାକୁ ବ୍ରାଡିକିନେସିଆ ବୋଲି କୁହାଯାଇଥାଏ। ବାହୁ, ଗୋଡ଼ ଓ ଅନ୍ୟ ଅଂଶରେ କଠିନତା ଦେଖିବାକୁ ମିଳିଥାଏ। ଏହାସହ ଠିଆ ହେବାରେ ସମସ୍ୟା ଦେଖାଦେବା ସହିତ ପଡ଼ିଯିବା ଭଳି ଆଶଙ୍କା ରହିଥାଏ। ଯାହାକୁ ପୋଷ୍ଚୁରାଲ ଇନଷ୍ଟେବିଲିଟି ଭାବେ ବିବେଚନା କରାଯାଇଥାଏ। ଏଥିପାଇଁ ଡାକ୍ତରମାନଙ୍କୁ ମସ୍ତିଷ୍କର ସିଟିସ୍କାନ୍ କିମ୍ବା ଏମ୍ଆରଆଇ କରିବାକୁ ପଡ଼ିଥାଏ। କେୟାର ହସ୍ପିଟାଲର ବରିଷ୍ଠ ସ୍ନାୟୁରୋଗ ପରାମର୍ଶଦାତା ଡା. ଶୁଭ୍ରାଂଶୁ ଶେଖର ଜେନାଙ୍କ ମତରେ ପାର୍କିନସନ୍ ରୋଗ ମସ୍ତିଷ୍କର ଗଭୀରତମ ସ୍ଥାନକୁ ପ୍ରଭାବିତ କରିଥାଏ, ଯାହାକି ବାସାଲ ଗାଙ୍ଗଲିଆ ଓ ସବଷ୍ଟାନ୍ସିଆ ନିଏଗ୍ରା ଭାବେ ପରିଚିତ।
ସବଷ୍ଟାନ୍ସିଆ ନିଏଗ୍ରାରେ ଥିବା ସ୍ନାୟୁ ନ୍ୟୁରୋଟ୍ରାନ୍ସିମେଟଡଡୋପାମାଇନ୍ ଛାଡ଼ିଥାଏ, ଯାହାକି ଶରୀରର ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମାତ୍ର ୮୦ ପ୍ରତିଶତ ପର୍ଯ୍ୟନ୍ତ ଡୋପାମାଇନ୍ ନଷ୍ଟ ହୋଇଯିବା ପରେ ଶରୀରରେ ପାର୍କିନସନ୍ ରୋଗ ଆରମ୍ଭ ହୋଇଥାଏ। ଆରମ୍ଭରୁ ଗୋଟିଏ ହାତରେ କିଛି ଝଟ୍କା ଦେଖା ଦେଇଥାଏ। ମାତ୍ର ପରବର୍ତୀ ସମୟରେ ଶରୀରରେ କଠିନତା ପ୍ରକାଶ ପାଇବା ସହିତ ଚାଲିବାକୁ କମାଇ ଦେଇଥାଏ। ପାର୍କିନସନ୍ ରୋଗର ଶିକାର ଲୋକମାନଙ୍କ କ୍ଷେତ୍ରରେ ଅବସାଦ, କୋଷ୍ଠକାଠିନ୍ୟ, ନିଦ୍ରାରୋଗ ଓ ଘ୍ରାଣଶକ୍ତି କମିଯିବା ଭଳି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ। ଯଦିଓ ପାର୍କିନସନ୍ ରୋଗର ନିର୍ଦ୍ଦିଷ୍ଟ ଭାବେ କୌଣସି ଚିକିତ୍ସା ନାହିଁ, ତଥାପି ବ୍ୟକ୍ତିର ଲକ୍ଷଣ ଅନୁଯାୟୀ ସେମାନଙ୍କର ଚିକିତ୍ସା କରାଯାଇ ପାରିବ। ଧ୍ୟାନ ଓ ସର୍ଜିକାଲ ଥେରାପି ଫଳପ୍ରଦ ହୋଇଥାଏ। ରୋଗର ଶିକାର ବ୍ୟକ୍ତିଙ୍କ ପାଇଁ ଅଧିକ ମାତ୍ରାରେ ବିଶ୍ରାମ ସହିତ ବ୍ୟାୟାମ ଜରୁରୀ। ଏହାସହ ଡାକ୍ତରଙ୍କ ପରାମର୍ଶରେ ଡୋପାମିନେର୍ଜିକ୍ ମେଡିକେସନ୍ ଦ୍ବାରା ଜଣେ ଭଲ ଜୀବନ ବଞ୍ଚିପାରିବ ବୋଲି ଡା. ଜେନା ମତ ଦେଇଛନ୍ତି।