ଭୁବନେଶ୍ବର: ଦେଶରେ ଜନଗଣନା ବିଳମ୍ବ ହେବାରେ ଲାଗିଛି। ୨୦୨୧ରେ କୋଭିଡ୍‌ ପାଇଁ ଏହା ସାମୟିକ ସ୍ଥଗିତ ରହିଥିଲେ ବି ପରବର୍ତ୍ତୀ ସମୟରେ ଏଥି ପ୍ରତି କେନ୍ଦ୍ର ସରକାର ଆଗ୍ରହ ଦେଖାଇ ନାହାନ୍ତି। ଫଳରେ ଯୋଜନା ପ୍ରଣୟନ, ବିଭିନ୍ନ କ୍ଷେତ୍ର ପାଇଁ ବଜେଟ୍‌ ବ୍ୟବସ୍ଥା ଓ ପ୍ରଶାସନିକ ଯୋଜନା ଠିକ୍ ଭାବେ ହୋଇପାରୁନି ବୋଲି ମତପ୍ରକାଶ ପାଉଛି। ସରକାର ମଧ୍ୟ ଏ ନେଇ ବିଭିନ୍ନ ମହଲରେ ସମାଲୋଚିତ ହେଉଛନ୍ତି। ଜୁଲାଇ ୧୧ ତାରିଖକୁ ସାରା ବିଶ୍ବ ଜନସଂଖ୍ୟା ଦିବସ ଭାବେ ପାଳନ କରୁଥିବା ପରିପ୍ରେକ୍ଷୀରେ ସଚେତନ ନାଗରିକ, ବୁଦ୍ଧୀଜୀବୀ ଓ ସମାଜସେବୀ ଜନଗଣନା ହେଉ ନଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Advertisment

ଭାରତରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା କରାଯାଇଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନଗଣନାର ତଥ୍ୟ ଆଧାରରେ ସରକାର ଯୋଜନା ଓ ନୀତି ପ୍ରଣୟନ କରନ୍ତି। ନିର୍ବାଚନମଣ୍ଡଳୀ ପୁନର୍ଗଠନ ମଧ୍ୟ ଏହି ତଥ୍ୟ ଭିତ୍ତିରେ ହୁଏ। ଉଭୟ କେନ୍ଦ୍ର ଓ ରାଜ୍ୟ ପାଇଁ ଏହା ବେଶ୍‌ ଗୁରୁତ୍ବ ବହନ କ‌ରେ। ଶେଷ ଥର ପାଇଁ ୨୦୧୧ ମସିହାରେ ଦେଶରେ ଜନଗଣନା ହୋଇଥିଲା। ୨୦୨୧ ମସିହାରେ ଜନଗଣନା ହେବାର ଥିଲେ ମଧ୍ୟ କୋଭିଡ଼ ମହାମାରୀ ପାଇଁ କେନ୍ଦ୍ର ସରକାର ତାହାକୁ ସାମୟିକ ଭାବେ ସ୍ଥଗିତ ରଖିଥିଲେ। କିନ୍ତୁ କୋଭିଡ୍‌ ବିପଦ କେବେ ଠାରୁ ଟଳିଯାଇଥିଲେ ବି ପୁଣି ଜନଗଣନା କେବେ ହେବ ସେନେଇ ସ୍ପଷ୍ଟ ସୂଚନା ମିଳୁନି। କୋଭିଡ୍‌ ପରେ ୟୁକେ, ଚୀନ୍ ଓ ଆମେରିକା ଆଦି ରାଷ୍ଟ୍ରରେ ଜନଗଣନା କରାଯାଇଛି। କିନ୍ତୁ କେନ୍ଦ୍ର ସରକାର କାହିଁକି ଆଗ୍ରହ ଦେଖାଉନାହାନ୍ତି, ତାହା ଏକ ବଡ଼ ପ୍ରଶ୍ନ।

ଅନୁମାନରେ ପ୍ରସ୍ତୁତ ହେଉଛି ଯୋଜନା
ସାମାଜିକ, ଆର୍ଥିକ କ୍ଷେତ୍ରରେ ପ୍ରଭାବିତ ହେଉଛି ଦେଶ
ଜନସଂଖ୍ୟାର ଆନୁମାନିକ ନୁହେଁ, ଠିକ୍ ତଥ୍ୟ ଆବଶ୍ୟକ: ବିଶେଷଜ୍ଞ

ଏପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ଯେହେତୁ ଲୋକସଂଖ୍ୟାର ତଥ୍ୟ ନାହିଁ, ତେଣୁ ଯୋଜନାର ଲାଭ ପ୍ରକୃତ ହିତାଧିକାରୀ ପାଉଛନ୍ତି କି ନାହିଁ, ତାହା ଦ୍ବନ୍ଦ୍ବରେ। ବିଭିନ୍ନ ବର୍ଗର ଲୋକଙ୍କ ସମ୍ପର୍କରେ ତଥ୍ୟ ନଥିବାରୁ କେଉଁ ମାନଦଣ୍ଡରେ ସରକାର ଯୋଜନା କରୁଛନ୍ତି, ତାହା ବି ଆକଳନ କରାଯାଇପାରୁନି। ଅନ୍ୟ ପଟେ କିଛି ଘରୋଇ ସଂସ୍ଥା ସର୍ଭେ କରି ବିଭିନ୍ନ ବର୍ଗର ଲୋକଙ୍କ ତଥ୍ୟ ଦେଉଛନ୍ତି। କିନ୍ତୁ ତାହାର ପ୍ରାମାଣିକତା କିଛି ନାହିଁ କହିଲେ ଚଳେ। ତେଣୁ ତାହାକୁ ଭିତ୍ତି କରି ବଡ଼ ଯୋଜନା ପ୍ରସ୍ତୁତ ହେଲେ, ତାହାର ସୁଫଳ ମିଳିବାର ସମ୍ଭାବନା କମ୍ ବୋଲି ମତପ୍ରକାଶ ପାଉଛି। କାରଣ ଘରୋଇ ସଂସ୍ଥା ପାଖରେ ଠିକ୍ ସର୍ଭେ କରିବା ପାଇଁ ସାଧନ ନାହିଁ। ପରିସଂଖ୍ୟାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର କୁଞ୍ଜବିହାରୀ ପଣ୍ଡା କୁହନ୍ତି, ଭାରତ ଭଳି ବୃହତ ଦେଶରେ ଜନଗଣନାର ଆବଶ୍ୟକତା ଢେର ଅଧିକ। ଜନସଂଖ୍ୟା ବଢ଼ୁଥିଲେ ମଧ୍ୟ ଦେଶରେ ସେତିକି ସମ୍ବଳ ନାହିଁ। ତେଣୁ ଅର୍ଥନୀତି ଉପରେ ପ୍ରଭାବ ପଡୁଛି। ୨୦୧୧ ମସିହାର ରିପୋର୍ଟ ଅନୁସାରେ ୨୦୨୧ରେ ଏହା ୧୪୦ କୋଟି ପହଞ୍ଚିଛି ବୋଲି ଅନୁମାନ କରାଯାଉଛି। ତେବେ ତାହା କେତେ ଦୂର ଠିକ୍‌ ଜଣା ନାହିଁ। ଦେଶର ସମ୍ବଳ ଅନୁସାରେ ବିଭିନ୍ନ ଯୋଜନାରେ ପାଣ୍ଠି ବଣ୍ଟନ ଠିକ୍ ଭାବେ କରିବାକୁ ପ୍ରତି ୧୦ ବର୍ଷରେ ଜନଗଣନା ହେବା ଆବଶ୍ୟକ। ଦେଶରେ ଜନସଂଖ୍ୟା ଜାଣିଲେ ହିଁ କେତେ ସମ୍ବଳ ରହିଛି ଓ ଆଉ କେତେ ଦରକାର ତାହା କରାଯାଇ ପାରିବ। ବିଭିନ୍ନ ଆବଶ୍ୟକତା ମେଣ୍ଟାଇବାକୁ ଜନସଂଖ୍ୟାର ଆନୁମାନିକ ନୁହଁ ଠିକ୍ ତଥ୍ୟ ଆବଶ୍ୟକ।

ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ କୁହନ୍ତି, ଜନଗଣନା ଦେଶର ଏକ ଗୁରୁତ୍ୱପୂର୍ଣ ପ୍ରକିୟା। ଏହା କରାଯିବା ଦ୍ବାରା ଦେଶର କେଉଁ ବର୍ଗର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି କ’ଣ ରହିଛି ତାହା ଜଣାପଡ଼ିଥାଏ। ଜନଗଣନା ନ ହେବାରୁ ଅନେକ ଅସୁବିଧା ହେଉଛି। ବର୍ତ୍ତମାନ ଟ୍ରେଣ୍ଡ ଦେଖାଯାଉଛି ଯେ ଜନସଂଖ୍ୟା ହ୍ରାସ ପାଉଛି। ଅର୍ଥାତ୍ ପିଲା ବା ଯୁବପିଢିଙ୍କ ସଂଖ୍ୟା କମିବାରେ ଲାଗିଛି ଏବଂ ବୟସ୍କ ଲୋକଙ୍କ ସଂଖ୍ୟା ବଢୁଛି। ଯାହା ଏକ ନୈରାଶ୍ୟଜନକ ସ୍ଥିତି। ଏହାକୁ ସୁଧାରିବାକୁ ହେବ। ଜନସଂଖ୍ୟା ଗଣନା ଜନ୍ମ, ମୃତ୍ୟୁ ଓ ମାଇଗ୍ରେସନ ଉପରେ ନିର୍ଭର କରେ। ଉତ୍କଳ ବିଶ୍ବବିଦ୍ୟାଳୟ ଜନସଂଖ୍ୟା ଗବେଷଣା କେନ୍ଦ୍ରର ଗବେଷକ ମନୋରଞ୍ଜନ ମହାପାତ୍ର କହିଛନ୍ତି ଦେଶର ନୀତି ଅନୁସାରେ ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଠିକ୍ ସୂଚନା ଜାଣିବା ଆବଶ୍ୟକ। ସେଥିପାଇଁ ଠିକ୍‌ ସମୟରେ ଜନଗଣନା କରିବା ଉଚିତ।