ଭୁବନେଶ୍ବର: ୧୯୭୫ ମସିହା ଜୁନ୍ ୨୫ ତାରିଖ। ହଠାତ୍ ରେଡିଓରୁ ଭାସି ଆସିଥିଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ବର। ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହେବା ସହ ଚାଲି ଯାଇଥିଲା ଗଣମାଧ୍ୟମର ସମସ୍ତ ସ୍ବାଧୀନତା। ଗଣମାଧ୍ୟମ କ’ଣ ଲେଖିବ, କ’ଣ କହିବ, କ’ଣ ଛାପିବ ଓ କ’ଣ ପ୍ରସାରଣ କରିବ; ସେ ସବୁ ଚାଲିଗଲା ସରକାରଙ୍କ ନିୟନ୍ତ୍ରଣକୁ। ସରକାରୀ କଳ ଭିତରେ ପେଷି ହୋଇଯାଇଥିଲା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ହଜିଗଲା ଗଣମାଧ୍ୟମର ଅସ୍ତିତ୍ବ। ଦେଶ ସ୍ବାଧୀନତା ହେବା ପରେ ଏହା ବୋଧେ ଗଣମାଧ୍ୟମ ସ୍ବାଧୀନତା ଉପରେ ଆକ୍ରମଣର ସବୁଠାରୁ ବଡ଼ ଉଦାହରଣ ଓ ଦେଶ ପାଇଁ ଏକ କଳା ଫର୍ଦ୍ଦ। ୨୧ମାସ ପରେ ଦେଶରୁ ଜରୁରୀ ପରିସ୍ଥିତି ଅପସାରିତ ହୋଇଗଲା ସତ, କିନ୍ତୁ ସମୟ ସମୟରେ ଗଣମାଧ୍ୟମ ନିଜର ସ୍ବାଧୀନତା ହରାଇବାରେ ଲାଗିଲା। କେବେ ରାଜନୈତିକ ଦଳର ଚାପରେ ତ’ କେବେ ଲକ୍ଷଲକ୍ଷ ସାମ୍ବାଦିକ ପରିବାରର ସ୍ବାର୍ଥରେ। କେବେ କେବେ ସଠିକ୍ ଖବର ପ୍ରସାରଣ ପାଇଁ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେବାର ନଜିର ରହିଛି ତ’ କେବେ ଧମକପୂର୍ଣ୍ଣ ଚିଠି ବି ସାମ୍ବାଦିକମାନଙ୍କ ସ୍ବାଧୀନତାକୁ କ୍ଷୁଣ୍ଣ କରିଛି।
ଲୋକମାନଙ୍କ ମଧ୍ୟରେ ଗଣମାଧ୍ୟମର ସ୍ବାଧୀନତା ନେଇ ସଚେତନ କରିବା, ସରକାରଙ୍କୁ ଗଣମାଧ୍ୟମର ବାକ୍ ସ୍ବାଧୀନତାକୁ ସମ୍ମାନ ଜଣାଇବା ତଥା ଏହାକୁ ସୁରକ୍ଷିତ କରାଇବାକୁ ସ୍ମରଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ୩ ତାରିଖକୁ ‘ପ୍ରେସ୍ ଫ୍ରିଡମ୍ ଡେ’ ବା ‘ପ୍ରେସ୍ ସ୍ବାଧୀନତା ଦିବସ’ ଭାବେ ପାଳନ କରାଯାଏ। ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଏହାକୁ ପାଳନ କରାଯିବା ସହ ସାମ୍ବାଦିକ ଓ ନାଗରିକ ତଥା ସରକାରଙ୍କ ମଧ୍ୟରେ ପ୍ରେସ୍ର ସ୍ବାଧୀନତା ଓ ତାଙ୍କର ଏହି ଅଧିକାରର ସୁରକ୍ଷା ନେଇ ସଚେତନତା ସୃଷ୍ଟି କରାଯାଏ। କିନ୍ତୁ ଏବେ ଗଣମାଧ୍ୟମର ସ୍ବାଧୀନତା ଏତେ ସୁରକ୍ଷିତ ନୁହେଁ ଓ ଗତ କିଛି ବର୍ଷ ହେଲା ସେମାନଙ୍କ ସ୍ବରରୁଦ୍ଧ କରାଯାଉଥିବା ଘଟଣା ନଜରକୁ ଆସୁଛି। ଏହି ପରିପ୍ରେକ୍ଷୀରେ କିଛି ବିଶିଷ୍ଟ ତଥା ସମାଜର ଆଗଧାଡ଼ିର ବ୍ୟକ୍ତିବିଶେଷଙ୍କ ମତକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା...
ଗଣ ଓ ଗଣତନ୍ତ୍ରର ସୁରକ୍ଷା ଗଣମାଧ୍ୟମର ଲକ୍ଷ୍ୟ ହେବା ଉଚିତ
ଆମେ ନିକଟରେ ଗାନ୍ଧୀଜୀଙ୍କ ଦେଢ଼ ଶହ’ ବର୍ଷ ଜୟନ୍ତୀ ପାଳନ କରିଛେ। ଗାନ୍ଧୀ କହିଥିଲେ, ଲୋକଙ୍କର ସେବା ହିଁ ଗଣମାଧ୍ୟମର ପ୍ରଥମ ଲକ୍ଷ୍ୟ। ଗଣତନ୍ତ୍ରର ସୁରକ୍ଷା ମଧ୍ୟ ଗଣମାଧ୍ୟମର ପ୍ରଥମ କାମ। ଗଣମାଧ୍ୟମ ମୁକ୍ତ ଓ ସ୍ବାଧୀନ ହେବାର ଆବଶ୍ୟକତା ରହିଛି। ଗଣମାଧ୍ୟମ ଯାହା ଲୋକଙ୍କ ନିକଟକୁ ପହଞ୍ଚାଇଥାଏ, ତାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜନତାର ମାନସିକତା ଉପରେ ପ୍ରଭାବ ପକାଇଥାଏ। ଏପରି ସ୍ଥିତିରେ ପ୍ରତ୍ୟେକ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମାନବିକତାଭିତ୍ତିକ ଖବର ଓ ସମ୍ବେଦନମୂଳକ ପ୍ରସଙ୍ଗକୁ ଅତ୍ୟନ୍ତ ଯତ୍ନର ସହିତ ଲୋକଙ୍କ ନିକଟରେ ପହଞ୍ଚାଇବାର ଆବଶ୍ୟକତା ରହିଛି।
– ଭଗବାନ ପ୍ରକାଶ, ବିଶିଷ୍ଟ ସ୍ତମ୍ଭକାର ତଥା ବୁଦ୍ଧିଜୀବୀ
ଏବେ ଗଣମାଧ୍ୟମ ସରକାରଙ୍କ କବଳିତ
ବର୍ତ୍ତମାନ ଗଣମାଧ୍ୟମ ସରକାରୀ କବଳିତ ହୋଇପଡ଼ିଛି। ସହାୟତା ଓ ସ୍ବାଧୀନତା କବଳିତ ଗଣତନ୍ତ୍ର ନିନ୍ଦନୀୟ। ଏପରି ସରକାରଙ୍କ ପାଇଁ କାମ କରିବା ଆରମ୍ଭ କରିବା ଗଣମାଧ୍ୟମ ପାଇଁ ଗ୍ରହଣୀୟ ନୁହେଁ। ଏବେ ପ୍ରତି ଗଣାମଧ୍ୟମକୁ ସରକାର ବିଷୟରେ କିଛି ଲେଖିବା ଆଗରୁ ଅନେକଥର ଆତ୍ମସମୀକ୍ଷା ଓ ଚିନ୍ତନ କରିବାର ଆବଶ୍ୟକତା ପଡ଼ୁଛି। ମୋର ଆଶା, ଆଗାମୀ ଦିନରେ ଗଣମାଧ୍ୟମ ସ୍ବାଧୀନ ଓ ଦାୟିତ୍ବବାନ୍ ହୋଇ ନିଜର ଗୁରୁଦାୟିତ୍ବ ପାଳନ କରିବା ଦିଗରେ ଅଗ୍ରସର ହେବ।
– ଜଗଦାନନ୍ଦ, ପୂର୍ବତନ ରାଜ୍ୟ ସୂଚନା କମିସନର୍
ଗଣମାଧ୍ୟମର ସ୍ବାଧୀନତା ଅକ୍ଷୁଣ୍ଣ ରହିବା ପ୍ରତି ସମସ୍ତେ ଯତ୍ନବାନ ହୁଅନ୍ତୁ
ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଗାଣତାନ୍ତ୍ରିକ ସୁରକ୍ଷା ପାଇଁ ଗଣମାଧ୍ୟମ ଅହରହ ପ୍ରୟାସ କରିଥାଏ। ଯେତେବେଳେ ଗଣତନ୍ତ୍ରର ତିନୋଟି ସ୍ତମ୍ଭ ନିଜ ଭିତରେ ସମନ୍ୱୟ ରକ୍ଷା କରି କାମ କରିପାରେ ନାହିଁ, ସେତେବେଳେ ଗଣମାଧ୍ୟମ ସେମାନଙ୍କୁ ଉଚିତ ବାଟ ଦେଖାଇବା ସହିତ ଲୋକଲୋଚନକୁ ଆଣିଥାଏ। ସ୍ବାଧୀନତାର ଅନେକ ବର୍ଷ ପରେ ଗଣମାଧ୍ୟମ ଅନେକ ଉନ୍ନତି କରିଛି। ତା’ର ସ୍ବାଧୀନତା ଯେପରି କ୍ଷୁଣ୍ଣ ନ ହେଉ, ସେ ଦିଗରେ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି।
– ବିଭୂତି ଭୂଷଣ ଚୌଧୁରୀ, ଆଇନଜୀବୀ
ସ୍ବାଧୀନତା ସହ ଗୁରୁଦାୟିତ୍ବ ରହିଛି
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ହିସାବରେ ଗଣମାଧ୍ୟମ ନିଜର ସମସ୍ତ ଦାୟିତ୍ବ ଖୁବ୍ ଭଲ ଭାବରେ କରିଛି। ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଯେଉଁ ସୂଚନା ସବୁ ସାମ୍ବାଦିକମାନେ ଜନତାଙ୍କୁ ଦେଇଛନ୍ତି, ତାହା ପ୍ରଶଂସନୀୟ। ଗଣମାଧ୍ୟମକୁ ଯେତିକି ସ୍ୱାଧୀନତା ମିଳିଛି, ସେତିକି ଗୁରୁଦାୟିତ୍ବ ମଧ୍ୟ ରହିଛି। ନିଜର ସବୁଠୁ ବଡ଼ ଦାୟିତ୍ବ ହେଲା ସ୍ବାଧୀନତାର ଉଚିତ ବିନିଯୋଗ କରିବା। ଗଣମାଧ୍ୟମ ଆହୁରି ଉନ୍ନତି କରୁ। ମୁଁ ଗର୍ବିତ ଯେ ଗଣମାଧ୍ୟମ କର୍ମଚାରୀମାନେ କେବେ ହାରି ଯାଇନାହାନ୍ତି।
– ଜିତେନ୍ଦ୍ର ଲେଙ୍କା, ବରିଷ୍ଠ ଆଇନଜୀବୀ
ଗଣମାଧ୍ୟମ ସ୍ବାଧୀନ ହେଲେ, ନାଗରିକ ବିଚାରସମ୍ପନ୍ନ ହେବେ
ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହୋଇଥିଲେ ହେଁ କିଛି ଗଣମାଧ୍ୟମ ରାଜନୀତିକ ଓ ଶାସକ ଦଳର ହାତବାରିସି ପାଲଟି ଯିବାର ଦେଖିବାକୁ ମିଳୁଛି। ଯାହା କଦାପି ଗ୍ରହଣୀୟ ନୁହେଁ। ନ୍ୟାୟାଳୟ, ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଗଣମାଧ୍ୟମର ସ୍ବାଧୀନତାକୁ ଅକ୍ଷୁଣ୍ଣ ରଖିବାକୁ ଅନେକ ସମୟରେ ପରାମର୍ଶ ଦେଇଛନ୍ତି। ଗଣମାଧ୍ୟମ ଯେତିକି ସ୍ବାଧୀନ ହେବ, ଜନତା ସେତିକି ଉଚିତ ବିଚାର କରିବାର ଶକ୍ତି ପାଇବ। ଗଣମାଧ୍ୟମର ସ୍ବାଧୀନତା ହସ୍ତକ୍ଷେପ ବିଲକୁଲ ଗ୍ରହଣୀୟ ନୁହେଁ। ସ୍ବାଧୀନ ଚିନ୍ତନ ଓ ସ୍ବାଧୀନ ଭାବେ ଗଣମାଧ୍ୟମ କାମ କଲେ, ଦେଶର ଉନ୍ନତି ନିଶ୍ଚିତ।
– ବୁଦ୍ଧଦେବ ରାଉତରାୟ, ବରିଷ୍ଠ ଆଇନଜୀବୀ