ଆଜି ବିଶ୍ବ ରେଡିଓ ଦିବସ: ରେଡିଓ ଯାହା କହେ, ସତ କହେ…

ଭୁବନେଶ୍ବର: ଦିନ ଥିଲା ରେଡିଓ ଖବର ପରିବେଷଣ ଓ ମନୋରଞ୍ଜନର ଏକମାତ୍ର ମାଧ୍ୟମ ପାଲଟିଥିଲା। ମାତ୍ର ବର୍ତ୍ତମାନ ସମୟ ବଦଳିଛି। ଏବେ ଡିଜିଟାଲ ଯୁଗରେ ଅନେକ ମାଧ୍ୟମ ସୃଷ୍ଟି ହୋଇଛି। ପୃଥିବୀର ଗୋଟିଏ କୋଣରେ ଘଟୁଥିବା ଘଟଣା ବିଦ୍ୟୁତ୍‌ ବେଗରେ ସବୁ ଲୋକଙ୍କ ନିକଟରେ ପହଞ୍ଚି ପାରୁଛି। ସାମାଜିକ ଗଣମାଧ୍ୟମର ଏଥିରେ ଗୋଟିଏ ବଡ଼ ଭୂମିକା ରହୁଛି। କହିବାକୁ ଗଲେ ଖବର ପରିବେଷଣକୁ ନେଇ ରହିଥିବା ମାଧ୍ୟମର ଭିଡ଼ମାନଙ୍କ ମଧ୍ୟରେ ରେଡିଓର ସ୍ବର ଦବିଯିବା ପରି ମନେ ହେଉଛି। ରେଡିଓର ସ୍ବର ଏହି ଗହଳି ମଧ୍ୟରେ ହଜିଯିବା ଭଳି ଅନୁଭବ ହେଉଛି। ତେବେ ଏଫଏମ୍‌ ରେଡିଓ ଷ୍ଟେସନ୍‌ ଆସିବା ପରେ ତାହା ଅନେକାଂଶରେ ଲୋକଙ୍କ ନିକଟରେ ପହଞ୍ଚି ପାରିଛି। ମନୋରଞ୍ଜନର ଏକ ବଡ଼ ମାଧ୍ୟମ ବି ହୋଇପାରିଛି। ତଥାପି ଖବରର ସତ୍ୟତାକୁ ନେଇ ଅନ୍ୟ ଗଣମାଧ୍ୟମ ଯେଉଁଠି ପଛରେ ରହିଛି, ସେଠି ରେଡିଓ ତା’ର ବିଶ୍ବସନୀୟତା ଏବେ ବି ବଜାୟ ରଖିଛି। ‘ରେଡିଓ ଯାହା କହେ, ସତ କହେ’ ଏହି ବିଶ୍ବାସ ଏବେ ବି ଲୋକଙ୍କ ମନରେ ବସାବାନ୍ଧି ରହିଛି। ବିଶ୍ବ ରେଡିଓ ଦିବସ ଅବସରରେ ‘ରେଡିଓ’ର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା…

କେବଳ ହାଲୁକା ମନୋରଂଜନର ମାଧ୍ୟମ ନହେଉ
ରେଡିଓ ଅତ୍ୟନ୍ତ ବିଶ୍ବସନୀୟ। ରେଡିଓ ଖବର ପରିବେଷଣ କରିବା ପୂର୍ବରୁ ଖବରକୁ ତନ୍ନତନ୍ନ କରି ଯାଞ୍ଚ କରିଥାଏ। ଏଫ.ଏମ୍‌ ଆସିବା ପରେ ରେଡିଓର ଉପସ୍ଥାପନା ଶୈଳୀ ତା’ର ମର୍ଯ୍ୟାଦା ଓ ଗାମ୍ଭୀର୍ଯ୍ୟ ହରାଇବସିଛି। ଏଫଏମ୍‌ରେ ଯେଉଁଭଳି କାର୍ଯ୍ୟକ୍ରମ ପରିବେଷଣ ହେଉଛି, ତା’ର ଶେଷ କେଉଁଠି, ତାହାକୁ ନେଇ ସନ୍ଦେହ। ଶ୍ରୋତାଙ୍କୁ ବାନ୍ଧି ରଖିବାକୁ ନେଇ ଆପଣା ଯାଉଥିବା ପଦ୍ଧତି ଚିରସ୍ଥାୟୀ ନୁହେଁ। ସତ୍ୟତା, ବିଶ୍ବସନୀୟତା, ଆନନ୍ଦ ଦେବା ଭଳି କାର୍ଯ୍ୟକ୍ରମ ସହିତ ସଭ୍ୟତା, ସଂସ୍କୃତି ଓ ପରମ୍ପରା ସମ୍ବଳିତ ତଥ୍ୟ ସ୍ରୋତାମାନଙ୍କ ନିକଟରେ ପହଞ୍ଚି ପାରିଲେ, ତାହା ସେମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେବ। ଏହାକୁ କେବଳ ହାଲୁକା ମନୋରଂଜନ ମାଧ୍ୟମ କଲେ କିଛି ଯୁବଗୋଷ୍ଠୀ ହଏତ ଭଲ ପାଇ ପାରନ୍ତି, ହେଲେ ବ୍ୟାପକ ଦୃଷ୍ଟିକୋଣରୁ ଏଥିରେ ପରିବର୍ତ୍ତନ ହୋଇ ନପାରେ। ସାମାଜିକ ଗଣମାଧ୍ୟମର ବ୍ୟାପକତା ସତ୍ତ୍ବେ ସମୟ ସହିତ ତାଳ ଦେଇ ରେଡିଓରେ ଅନେକ ପରିବର୍ତ୍ତନ ହୋଇଛି। ବୈଷୟିକସ୍ତରରେ ଅନେକ ନୂଆ ନୂଆ କଥା ଗ୍ରହଣ କରାଯାଇଛି। ହଁ ଏହା ସତ, ଏଫ୍‌ଏମ୍‌ ରେଡିଓ ଆସିବା ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସ୍ଥାୟୀ ନିଯୁକ୍ତି ଅପେକ୍ଷା ଅସ୍ଥାୟୀ ନିଯୁକ୍ତି ସୁଯୋଗ ସରକାରୀ ରେଡିଓ ଷ୍ଟେସନ୍‌ରେ ରହିଛି। ଦକ୍ଷତା ବଢ଼ାଇ ପାରିଲେ, ଯୁବପିଢ଼ିଙ୍କ ପାଇଁ ଅନେକ ସୁଯୋଗ ରହିଛି। ରେଡିଓ ରହିଛି, ରହିବ। ତେବେ ଏହା ସହିତ ସଂପୃକ୍ତ ହୋଇ ରହିବାକୁ ସମସ୍ତଙ୍କୁ ଆହ୍ବାନ କରିବି।
ଶାନ୍ତନୁ ରଥ, ପୂର୍ବତନ ନିର୍ଦ୍ଦେଶକ, ଆକାଶବାଣୀ କଟକ

ବିଶ୍ବସନୀୟତା ହରାଇନି ରେଡିଓ
ରେଡିଓ ତା’ର ବିଶ୍ବସନୀୟତା ବଜାୟ ରଖିଛି। ତେବେ ଏଫ୍‌ଏମ୍‌ ରେଡିଓ ଆସିବା ପରେ ଉପସ୍ଥାପନା ଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି। କିନ୍ତୁ ଏତେ ଗ୍ରହଣୀୟ ହୋଇ ପାରିନି। ବର୍ତ୍ତମାନ ପରିପ୍ରେକ୍ଷୀରେ ଏପରି ପରିବର୍ତ୍ତନ ଠିକ୍‌ ନୁହେଁ। ସାଂପ୍ରତିକ ସମୟରେ ଯେତେବେଳେ ସାମାଜିକ ଗଣମାଧ୍ୟମର ବ୍ୟାପକତା ବଢ଼ିଛି ସେ ସମୟରେ ରେଡିଓ ତା’ର ବିଶ୍ବସନୀୟତା ହରାଇନି। ବିଶେଷକରି ରେଡିଓ ନିରାଟ ସତ୍ୟ ଖବର ପରିବେଷଣ କରିଥାଏ। ଅନ୍ୟପକ୍ଷରେ ଯୁବପିଢ଼ି କେବଳ ଏଫ୍‌ଏମ୍‌କୁ ନେଇ କ୍ୟାରିୟର୍‌ କରିପାରିବେ।
ରବି ଶତପଥୀ, ପୂର୍ବତନ ଖବର ଉପସ୍ଥାପକ, ଆକାଶବାଣୀ କଟକ

ରେଡିଓ ସାମାଜିକ ଜୀବନଶୈଳୀ ସହ ଜଡ଼ିତ
ରେଡିଓରେ ଆମେ ଜୀବନଯାକ ବିତେଇଛୁ। ଯେତେବେଳେ ଅନ୍ୟ କୌଣସି ଗଣମାଧ୍ୟମ ନଥିଲା, ସେ‌ତେବେଳେ ଆମେ ଲୋକମାନଙ୍କ କଥା, ଦୁଃଖ, ଦୁର୍ଦ୍ଦଶା ସମସ୍ୟା ସାଧାରଣରେ ପହଞ୍ଚାଇ ପାରୁଥିଲୁ। ସେତେବେଳେ ରେଡିଓ ହିଁ କେବଳ ଲୋକଙ୍କ ଅନ୍ତରଙ୍ଗ ହୋଇପାରିଥିଲା। ପୂର୍ବରୁ କିଛି ଜାଣିବାକୁ ହେଲେ ଲୋକମାନଙ୍କ ପାଇଁ ଅନ୍ୟ କୌଣସି ମାଧ୍ୟମ ନଥିଲା। ବାତ୍ୟା, ବର୍ଷା ଓ ବନ୍ୟା ବାବଦରେ ସୂଚନା ଦେବାକୁ ବିଶେଷ ସୁବିଧା ନଥିଲା। ରେଡିଓ ଏ ବାବଦରେ ଆଗୁଆ ସୂଚନା ଦେଉଥିଲା। ରେଡିଓ ସବୁବେଳେ ତା’ର ବିଶ୍ବସନୀୟତା ବଜାୟ ରଖିଛି। ରେଡିଓ ତା’ର ଶବ୍ଦ ମାଧ୍ୟମରେ ସାମାଜିକ ଜୀବନଶୈଳୀ ସହିତ ଜଡ଼ିତ। ରେଡିଓ ଅନେକ ନୂଆ ନୂଆ ଶବ୍ଦ ତିଆରି କରୁଥିଲା। ରେଡିଓ ସବୁବେଳେ ଲୋକପ୍ରିୟ ହୋଇ ରହିଛି ଓ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌କୀ ବାତ’ କାର୍ଯ୍ୟକ୍ରମ ଆଣିବା ପରେ ରେଡିଓ ସବୁ ବର୍ଗରେ ଏବେ ଗ୍ରହଣୀୟତା ବଢ଼ାଇ ପାରିଛି। ଶୈଳୀ ପରିବର୍ତ୍ତନ ହୋଇଥିଲେ ମଧ୍ୟ ରେଡିଓ ପ୍ରତି ଥିବା ଭଲ ପାଇବାରେ କୌଣସି କମ୍‌ ହୋଇନି।
ଶଙ୍କର୍ଷଣ ମଙ୍ଗରାଜ, ଅବସରପ୍ରାପ୍ତ ଉଦ୍‌ଘୋଷକ

ରେଡିଓ ଭରସା ଓ ବିଶ୍ବାସର ମାଧ୍ୟମ
ରେଡିଓ ସବୁବେଳେ ଭରସା ଓ ବିଶ୍ବାସର ମାଧ୍ୟମ। ରେଡିଓ ଯାହା କହୁଛି ତାହା ସତ୍ୟ ଏହା ସାଧାରଣରେ ବିଶ୍ବାସ ରହିଛି। ଅନେକ ଯାଞ୍ଚ, ଅନୁଧ୍ୟାନ ଓ ନିରୀକ୍ଷଣ ପରେ ରେଡିଓ ଖବର ପରିବେଷଣ କରୁଥିବାରୁ ତା’ର ବିଶ୍ବସନୀୟତା ଏଯାବତ୍ ବଜାୟ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରେଡିଓ ରାଜନୈତିକ ଚାପମୁକ୍ତ ହୋଇ ରହିଛି। ତେବେ ଘରୋଇ ଏଫଏମ୍‌ କେନ୍ଦ୍ରଗୁଡ଼ିକ ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ମନୋରଞ୍ଜନ ଉପରେ ବେଶି ଧ୍ୟାନ ଦେଉଛନ୍ତି। ଏଣୁ ଶ୍ରୋତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଯୋଗୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ହେବ। ଯୁବପିଢ଼ିଙ୍କ ପାଇଁ ରେଡିଓରେ କ୍ୟାରିୟର୍‌କୁ ନେଇ ଅନେକ ସୁଯୋଗ ରହିଛି। ସରକାରୀ ଷ୍ଟେସନ୍‌କୁ ବାଦ୍‌ ଦେଇ ଘରୋଇ ଏଫ୍‌ଏମ୍‌ ଓ କମ୍ୟୁନିଟି ରେଡିଓରେ ଅନେକ ନିଯୁକ୍ତି ସମ୍ଭାବନା ରହିଛି।
ସୁବ୍ରତ କୁମାର ପତି, ରେଡିଓ ଗବେଷକ

ସମ୍ବନ୍ଧିତ ଖବର