ଆଜି ବିଶ୍ବ ରେଡିଓ ଦିବସ : ପ୍ରତିଯୋଗିତାରେ ପଛରେ ପଡ଼ିନି

ଭୁବନେଶ୍ବର : ଆଜି ବିଶ୍ୱ ରେଡିଓ ଦିବସ। ଜାତିସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୧୩ ତାରିଖରେ ଏହି ଦିବସକୁ ପାଳନ କରାଯାଉଛି। ବିଗତ କିଛି ବର୍ଷ ହେଲା ରେଡିଓର ଚାହିଦା ହ୍ରାସ ପାଇଛି। କିନ୍ତୁ ପ୍ରତିଯୋଗିତାରେ ପଛରେ ପଡ଼ିଯାଇନି ରେଡିଓ। ଡିଜିଟାଲ୍‌ ଯୁଗରେ ଫେସ୍‌ବୁକ୍‌, ହ୍ୱାଟ୍‌ସଆପ୍‌ ଓ ଟେଲିଭିଜନ୍‌ ସହ ତାଳ ଦେଇ ରେଡିଓ ମଧ୍ୟ ଲୋକଙ୍କୁ ମନୋରଞ୍ଜନ ତଥା ସୂଚନା ଯୋଗାଇବାରେ ଲାଗିଛି। ଆଜି ବି ସେଦିନର ବେତାର ଯନ୍ତ୍ରଟି ତା’ର ଗୁରୁତ୍ୱ ବଜାୟ ରଖିଛି। ଏଫ୍ଏମ୍‌ ରେଡିଓ ଆଜି ଲୋକଙ୍କ ପ୍ରିୟଭାଜନ ହୋଇପାରିଛି। ଦୋକାନ ବଜାର ଓ ଗାଡ଼ିରେ ଏଫ୍‌ଏମ୍‌ ରେଡିଓର ମନୋରଞ୍ଜନ କାର୍ଯ୍ୟକ୍ରମ ଲୋକଙ୍କୁ ଆକର୍ଷିତ କରୁଛି। ସ୍ମାର୍ଟ ଫୋନ୍‌ରେ ଏଫ୍‌ଏମ୍‌ ରେଡିଓ କାର୍ଯ୍ୟକ୍ରମ ଅଧିକରୁ ଅଧିକ ଶ୍ରୋତା ସୃଷ୍ଟି କରୁଛି। ଆଜି ବି ରେଡିଓରୁ ପ୍ରସାରିତ କ୍ରିକେଟ୍‌ ଖେଳର ଧାରା ବିବରଣୀ ଶୁଣିବାକୁ ଲୋକେ ଅପେକ୍ଷା କରୁଥିବା ଦେଖିବାକୁ ମିଳେ।

ଇଟାଲି ବୈଜ୍ଞାନିକ ମାର୍କୋନି ହେଉଛନ୍ତି ରେଡିଓର ଜନ୍ମଦାତା ଓ ୧୯୦୧ ମସିହାରେ ସେ ବେତାର ବାର୍ତ୍ତା ପ୍ରସାରଣ କରିଥିଲେ। ‌ତେବେ ଓଡ଼ିଶାରେ ୧୯୪୮ ଜାନୁଆରି ୨୮ରେ କଟକର ମଧୁପୁର କୋଠିରେ ରେଡିଓ ଷ୍ଟେସନ୍‌ ଖୋଲା ଯାଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ହରେକୃଷ୍ଣ ମହତାବ। ଏବେ ଭାରତର ପ୍ରମୁଖ ୧୦୧ ସହରରେ ୩୬୯ ରେଡିଓ ଷ୍ଟେସନ୍‌, ୪୫୦ ଏଫ୍‌ଏମ୍‌ ରେଡିଓ ଷ୍ଟେସନ୍‌ ରହିଛି। ଓଡ଼ିଶାରେ ୨୩ଟି ଉଚ୍ଚ ଓ ମଧ୍ୟମ ଧରଣର ରେଡିଓ ଷ୍ଟେସନ୍‌ ଅଛି। ତେଣୁ ଡିଜିଟାଲ ଦୁନିଆଁରେ ରେଡିଓ ବି ତା’ର ଅସ୍ଥିତ୍ବ ବଜାୟ ରଖିଛି। ନୂତନ ଟେକ୍ନୋଲୋଜିର ଆବିଷ୍କାର ପରେ ରେଡିଓର ଚାହିଦା କମିଯିବ ବୋଲି ମତ ପ୍ରକାଶ ପାଇଥିଲା। କିନ୍ତୁ ସବୁ ସତ୍ତ୍ବେ ରେଡିଓ ପୁଣି ଏଫ୍‌ଏମ୍‌ ରୂପରେ ବଜାରରେ ମୁଣ୍ଡ ଟେକିଲା ଓ ନିଜର ନୂଆ ନୂଆ ଶୈଳୀରେ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରଣ କରି ଶ୍ରୋତାଙ୍କୁ ବାନ୍ଧି ରଖିବାକୁ ସମର୍ଥ ହେଲା। ତେଣୁ ଗଣମାଧ୍ୟମ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହୋଇଛି।

ଏବେ ଏଫ୍ ଏମ୍ ରେଡିଓ ପ୍ରତି ଶ୍ରୋତାଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ବିଶେଷ କରି ଛୋଟ ସହର ଓ ଉପସହରରେ ଏହା ବେଶି ଲୋକପ୍ରିୟ ହେବାରେ ଲାଗିଛି। ତେବେ ବେସରକାରୀ ରେଡିଓ ସଂସ୍ଥାମାନଙ୍କ ପାଇଁ ସବୁଠୁ ବଡ଼ ଅସୁବିଧା ହୋଇଛି ସରକାରଙ୍କ ନିୟମାବଳୀ। ସରକାରଙ୍କ ଲାଇସେନ୍‌ସ ଦର ଅଧିକ ହେଉଥିବାରୁ ବେସରକାରୀ ସଂସ୍ଥାମାନେ ଏଥିରେ ପୁଞ୍ଜି ନିବେଶ କରିବାକୁ ମନ ବଳାଉ ନାହାନ୍ତି। ଏକ ସିଙ୍ଗିଲ୍‌ ଫ୍ରିକ୍ୟୁଏନ୍‌ସି ବିଶିଷ୍ଟ ୧୫ ବର୍ଷର ଅବଧି ଲାଇସେନ୍‌ସ ପାଇଁ ପାଖାପାଖି ୭୦ ରୁ ୮୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ସରକାର ଲାଇସେନ୍‌ସ ଫି ହ୍ରାସ କଲେ, ଉଦ୍ୟୋଗୀମାନେ ଅଧିକ ପୁଞ୍ଜିନିବେଶ କରିବେ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର