ବାରଙ୍ଗ: ଆସନ୍ତାକାଲି ବିଶ୍ୱ ଗଣ୍ଡା ଦିବସ। ଗଣ୍ଡା ବଂଶର ସୁରକ୍ଷା ଓ ସଂରକ୍ଷଣ ଲାଗି ୨୦୧୦ ସେପ୍ଟେମ୍ବର ୨୨ ତାରିଖରୁ ଏହି ଦିବସ ସାରା ବିଶ୍ବରେ ପାଳନ କରାଯାଉଛି। ବିଶ୍ୱ ବନ୍ୟପ୍ରାଣୀ ସଂସ୍ଥା(ଡବ୍ଲ୍ୟୁ ଡବ୍ଲ୍ୟୁ ଏଫ୍) ପ୍ରଥମେ ଦକ୍ଷିଣ ଆଫ୍ରିକାରେ ସଚେତନତା ଦିବସ ଭାବେ ଏହି ଦିବସ ପାଳନ କରିଥିଲା। ତେଣୁ ଆସନ୍ତାକାଲି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ମଧ୍ୟ ଏହି ଦିବସ ପାଳନ କରାଯିବ। କିନ୍ତୁ ପରିତାପର କଥା ୯ବର୍ଷ ହେଲା ନନ୍ଦନକାନନରେ ଗଣ୍ଡା ନାହାନ୍ତି। ଗଣ୍ଡା ଖୁଆଡ଼ ଖାଲି ପଡ଼ିଛି। ତେଣୁ ଆସନ୍ତାକାଲି ନନ୍ଦନକାନନର ବିଶ୍ବ ଗଣ୍ଡା ଦିବସ ଏକପ୍ରକାର ଫିକା ପଡ଼ିଯିବ ବୋଲି ଚର୍ଚ୍ଚା ହେଉଛି। 

Advertisment

ପୂର୍ବରୁ ନନ୍ଦନକାନନକୁ ବାରମ୍ବାର ଗଣ୍ଡା ଅଣାଯାଇଛି। ନନ୍ଦନକାନନ ଇତିହାସରୁ ଜଣାପଡ଼ିଛି ଯେ ୧୯୭୫ ମସିହାରେ ଆସାମରୁ ପ୍ରଥମ ଥର ପାଇଁ ଏକ ମାଈ ଗଣ୍ଡା ନନ୍ଦନକାନନକୁ ଅଣାଯାଇଥିଲା। ଏହାପରେ ୧୯୭୬ ମସିହାରେ ଏପ୍ରିଲ୍‌ ୮ତାରିଖରେ ଆସାମରୁ ଆଉ ଏକ ମାଈ ଗଣ୍ଡା ଅଣାଯାଇଥିଲା। ଦୁଇ ଦୁଇଟି ମାଈ ଗଣ୍ଡା ଆସିଥିଲେ ହେଁ ଅଣ୍ଡିରା ଗଣ୍ଡା ନଥିବାରୁ ବଂଶ ବିସ୍ତାର ସମ୍ଭବ ହୋଇ ନଥିଲା। ତେଣୁ ୧୯୭୯ ମସିହା ଫେବ୍ରୁଆରି ୨ରେ ଆସାମରୁ ଏକ ଅଣ୍ଡିରା ଗଣ୍ଡା ଏଠାକୁ ଅଣାଯାଇଥିଲା। ଏଥର ଗଣ୍ଡା ବଂଶ ବିସ୍ତାରର ସୁଯୋଗ ସୃଷ୍ଟି ହୋଇଥିଲା। ତେଣୁ ଏହି ଅଣ୍ଡିରା ଗଣ୍ଡାକୁ ‘ନନ୍ଦନ’ ନାଁରେ ନାମକରଣ କରାଯାଇଥିଲା। ମାତ୍ର ଦୁର୍ଭାଗ୍ୟଜନକ ଭାବେ ୧୯୭୫ ମସିହାରେ ଆସିଥିବା ମାଈ ଗଣ୍ଡାଟି ୧୯୯୭ ମସିହା ଏପ୍ରିଲ୍‌ ୨୨ରେ ମରିଯାଇଥିଲା।

ସେହିଭଳି ୧୯୭୬ ମସିହାରେ ଆସିଥିବା ମାଈ ଗଣ୍ଡା ୨୦୦୭ ମସିହା ମେ ୨୮ରେ ମରିଯାଇଥିଲା। ପେଟରେ ଟ୍ୟୁମର୍‌ ହୋଇଥିବାରୁ ତା’ର ମୃତ୍ୟୁ ହୋଇଥିଲା। ଦୁଇ ଦୁଇଟି ମାଈ ଗଣ୍ଡାଙ୍କ ମୃତ୍ୟୁ ପରେ ନନ୍ଦନକାନନରେ ଗଣ୍ଡା ବଂଶ ବୃଦ୍ଧି ଆଶା ମଉଳି ଯାଇଥିଲା। ଅଣ୍ଡିରା ଗଣ୍ଡା ନନ୍ଦନ ଏକାକୀ ହୋଇପଡ଼ିଲା। ତା’ ପାଇଁ ମାଈ ସାଥୀଟିଏ ଯୋଗାଡ଼ କରିବା ସମ୍ଭବ ହେଲା ନାହିଁ। ଶେଷରେ ନିଃସଙ୍ଗ ଜୀବନ ଜିଇଁ ଜିଇଁ ନନ୍ଦନ ବୁଢ଼ା ହୋଇଗଲା ଏବଂ ୨୦୧୬ ସେପ୍ଟେମ୍ବର ୨୮ରେ ଆଖି ବୁଜିଦେଲା। ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ଏବେ ବିଶ୍ୱରେ ମୋଟ ଗଣ୍ଡା ସଂଖ୍ୟା ୨୭,୦୦୦। ସବୁଠୁ ଅଧିକ ୧୫,୦୦୦ ଗଣ୍ଡା ଦକ୍ଷିଣ ଆଫ୍ରିକା ଜଙ୍ଗଲରେ ଅଛନ୍ତି। ଭାରତରେ ମୋଟ ୩୨୬୨ ଗଣ୍ଡା ଅଛନ୍ତି ଏବଂ ସର୍ବାଧିକ ୨୬୧୩ଟି ଗଣ୍ଡା ଆସାମ କାଜିରଙ୍ଗା ପାର୍କରେ ଅଛନ୍ତି।