ଭୁବନେଶ୍ବର : ଗତବର୍ଷ କରୋନା ପାଇଁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ କାର୍ଯ୍ୟକାରୀ ହେବା ପରେ ହାଟ, ବଜାର, ହୋଟେଲ, ରେସ୍ତୋରାଁ ସବୁ ବନ୍ଦ ହୋଇଗଲା। ଫଳରେ ସାଧାରଣ ଗରିବ ଲୋକେ ଯେତିକି ପ୍ରଭାବିତ ହେଲେ ତା’ଠାରୁ ଅଧିକ ପ୍ରଭାବିତ ହେଲେ ବୁଲା ଗାଈଗୋରୁ, କୁକୁର, ବିଲେଇ ଓ ମାଙ୍କଡ଼ ଆଦି ଜୀବଜନ୍ତୁ। ଖାଦ୍ୟାଭାବରୁ କିଛି ଜୀବନ ହରାଇଲେ। ତେବେ ସେପରି ଦୁର୍ଦ୍ଦିନରେ ବି କିଛି ପଶୁପ୍ରେମୀ ଓ ସ୍ବେଚ୍ଛାସେବୀ ସଂସ୍ଥା ସରକାରଙ୍କ ସହ ହାତ ମିଳାଇ ସେମାନଙ୍କୁ ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ କରୋନାର ଦ୍ବିତୀୟ ଲହରରେ ଯେ ସେପରି ପରିସ୍ଥିତି ନ ଉପୁଜିବ, ତାହା ଏବେଠୁ କହିବା ମୁସ୍କିଲ। ତେଣୁ ଏହି ଜୀବଜନ୍ତୁଙ୍କ ପାଇଁ ଯେମିତି ଖାଦ୍ୟାଭାବ ନ ହେବ, ତାହା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ପଶୁପ୍ରେମୀମାନେ କହିଛନ୍ତି। ଆସନ୍ତାକାଲି ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ (ଭେଟେରିନାରି ଡେ’) ଅବସରରେ ଏଥରର ଥିମ୍‌ ରହିଛି ‘କୋଭିଡ୍‌ ମହାମାରୀ ସମୟରେ ପଶୁ ଚିକିତ୍ସକଙ୍କ ଭୂମିକା’।

Advertisment

publive-image

ଉପଖଣ୍ଡ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବୀରକିଶୋର ପରିଡ଼ାଙ୍କ କହିବା କଥା, ଗତବର୍ଷ କରୋନା ସମୟରେ ପ୍ରାଣୀ ଚିକିତ୍ସକମାନେ ଜୀବନକୁ ବାଜି ଲଗାଇ ପ୍ରାଣୀମାନଙ୍କୁ ସେବା ଯୋଗାଇ ଦେଇଥିଲେ। ସ୍ବେଚ୍ଛାସେବୀମାନେ ବି ବୁଲିବୁଲି ଭୋକିଲା ଜୀବଜନ୍ତୁଙ୍କୁ ଖାଇବାକୁ ଦେଇଥିଲେ। କରୋନା ସମୟରେ ଅନେକ ପ୍ରାଣୀଧନ ନିରୀକ୍ଷକ କାମ କରିବା ବେଳେ ସଂକ୍ରମିତ ହୋଇଛନ୍ତି। ଅନେକଙ୍କ ଜୀବନ ମଧ୍ୟ ଯାଇଛି। ତଥାପି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ମଧ୍ୟରେ ସେବା ଯୋଗାଇ ଦେଇଛନ୍ତି। ଭୁବନେଶ୍ବରରେ ୨୪ ଘଣ୍ଟିଆ ସେବା ଜାରି ରହିଥିଲା। ଏବେ ବି ପୁଣି ଦ୍ବିତୀୟ ଲହର ବେଳେ ପ୍ରାଣୀ ଚିକିତ୍ସକମାନେ ମଧ୍ୟ ଜରୁରୀକାଳୀନ ସେବା ଯୋଗାଇ ଦେଉଛନ୍ତି। ପ୍ରାଣୀମାନେ ସୁରକ୍ଷିତ ରହୁଥିବାରୁ ଚାଷୀମାନେ ଉପକୃତ ହୋଇପାରୁଛନ୍ତି। କୋଭିଡ୍‌ ସମୟରେ ବୁଲା କୁକୁର, ‌ଷଣ୍ଢ ଓ ଅନ୍ୟ ପଶୁପକ୍ଷୀଙ୍କୁ ସେବା ଯୋଗାଇ ଦିଆଯାଉଛି ଓ ଆଗକୁ ମଧ୍ୟ ଜାରି ରହିବ। ସ୍ବେଚ୍ଛସେବୀ ଦେବାଶିଷ ଦାସ ମହାପାତ୍ରଙ୍କ କହିବା କଥା କରୋନା ସମୟରେ ଜୀବଜନ୍ତୁମାନେ ମଧ୍ୟ କଷ୍ଟ ଭୋଗ କରିଛନ୍ତି। ସରକାରଙ୍କର ଏଥି ପ୍ରତି ଗୁରୁଦାୟିତ୍ବ ରହିଛି। ଜୀବଜନ୍ତୁଙ୍କ ପାଇଁ କାମ କରୁଥିବା ସ୍ବେଚ୍ଛାସେବୀମାନଙ୍କ ସହ ମିଶି ପ୍ରଶାସନ ଭୋକିଲା ଜୀବଜନ୍ତୁଙ୍କ କଥା ବୁଝିବା ଦରକାର।

publive-image

ଦୁର୍ଘଟଣାଗ୍ରସ୍ତ ଗୋରୁ ସେବାରେ ପୂର୍ଣ୍ଣଚନ୍ଦ୍ର ଓ ବେଲାସ୍ନାତ
ରାଜଧାନୀରେ ବୁଲା ଗୋରୁ ଦୁର୍ଘଟଣାଗ୍ରସ୍ତ ହେବା ଏକ ସାଧାରଣ କଥା। ବଡ଼ ପରିତାପର କଥା ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହେବା ପରେ ଗାଈ ମାଲିକମାନେ ସେମାନଙ୍କୁ ଚିକିତ୍ସା କରାଇବାକୁ ଆଗେଇ ଆସନ୍ତି ନାହିଁ। ଦୁଧ ସଂଗ୍ରହ କରିବା ସମୟତକ ଗାଈକୁ ନିଜର କହୁଥିବା ମାଲିକ ଆହତ ଗାଈକୁ ସେମିତି ରାସ୍ତା ଉପରେ ମରଣମୁହଁରେ ଛାଡ଼ିଦିଏ। ଏବେ କିନ୍ତୁ ଆହତ ବୁଲା ଗାଈଗୋରୁଙ୍କ ସେବା ଓ ଚିକିତ୍ସା ପାଇଁ ଆଗେଇ ଆସିଛନ୍ତି ପୂର୍ଣ୍ଣଚନ୍ଦ୍ର ନାୟକ ଓ ବେଲାସ୍ନାତ ପଢ଼ିହାରୀ। ଖଣ୍ଡଗିରି କୋଳଥିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଓ ବାଲିଅନ୍ତା ରଙ୍ଗବଜାର ଗ୍ରାମର ବେଲାସ୍ନାତ ଦୁର୍ଘଟଣାଗ୍ରସ୍ତ ଗୋରୁଗାଈଙ୍କ ଚିକିତ୍ସା ଓ ସେବା ପାଇଁ କୋଳଥିଆରେ ଏକ ଗୋ-ସେବା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। କେବଳ ଗାଈଗୋରୁ ନୁହନ୍ତି, କୁକୁର, ମାଙ୍କଡ, ବିରାଡ଼ି ଭଳି ଜୀବଜନ୍ତୁଙ୍କୁ ଆହତ ଅବସ୍ଥାରେ ଦେଖିଲେ ସେମାନେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।

ପ୍ରାୟ ପାଞ୍ଚ ମାସ ହେବ କୋଳଥିଆରେ ସେମାନେ ଏହି ଗୋସେବା କେନ୍ଦ୍ର ନିର୍ମାଣ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଈଗୋରୁଙ୍କୁ ଦେଖିଲେ ଲୋକେ ପୂର୍ଣ୍ଣଚନ୍ଦ୍ରଙ୍କୁ ଫୋନ୍‌ କରି କହିଥା’ନ୍ତି। ଫୋନ୍‌ ପାଇବା ମାତ୍ରେ ସେ ଘଟଣାସ୍ଥଳକୁ ଯାଇ ଆହତ ଗୋରୁକୁ ଧରି ତାଙ୍କ ଗୋସେବା କେନ୍ଦ୍ରକୁ ନେଇ ଆସନ୍ତି। ଡାକ୍ତର ଡାକି ଚିକିତ୍ସା କରାଇଥାନ୍ତି। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଆହତ ଗୋରୁଙ୍କୁ ଉପଯୁକ୍ତ ସେବା ଯୋଗାଇ ଦିଅନ୍ତି। ଉକ୍ତ କେନ୍ଦ୍ରରେ ଗୋରୁମାନଙ୍କ ଖାଇବା ପାଇଁ ସେ ଚୋକଡ଼, ନଡ଼ା, କୁଣ୍ଡା ତୋରାଣି ବ୍ୟବସ୍ଥା କରିଛନ୍ତି। ସେହିଭଳି ଗାଈମାନଙ୍କୁ ଗାଧୋଇ ଦେବା ଓ ଗୁହାଳ ସଫା କରିବା କାମ ମଧ୍ୟ ସେ ନିଜ ହାତରେ କରୁଛନ୍ତି।

publive-image

ପଶୁ ଚିକିତ୍ସା‌ ପାଇଁ ‘ସ୍ପିକ୍ ଫର୍ ଆନିମଲ୍’
ଆହତ ପଶୁମାନଙ୍କ ଚିକିତ୍ସା ପାଇଁ ରାଜଧାନୀରେ ଗଢ଼ି ଉଠିଛି ‘ସ୍ପିକ୍‌ ଫର୍‌ ଆନିମଲ୍’। ନହରକଣ୍ଟାରେ ପ୍ରତିଷ୍ଠିତ ଏହି ପଶୁ ସେବାକେନ୍ଦ୍ର ଏବେ ଏକ ଚର୍ଚ୍ଚିତ ଅନୁଷ୍ଠାନ। ବି.ଟେକ୍‌ ଛାତ୍ର କୁଶଲ ବିଶ୍ବାସଙ୍କର ଏହି ସେବାକେନ୍ଦ୍ର ଏକ ମିନି ପ୍ରାଣୀ ଚିକିତ୍ସ‌ାକେନ୍ଦ୍ର। ରାସ୍ତାଘାଟରେ ଦୁର୍ଘଟଣାଗ୍ରସ୍ତ ବୁଲା କୁକୁର, ଗାଈଗୋରୁଙ୍କୁ ଏଠାରେ ସବୁ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ବି.ଟେକ୍ ପଢ଼ିବା ବେଳରୁ କୁଶଲ ଏହି କାମ କରିବାକୁ ଆଗେଇ ଆସିଛନ୍ତି। ଏକଦା ନିଜ ପୋଷା କୁକୁର ମେଡିକାଲରେ ଅକ୍ସିଜେନ୍‌ ଅଭାବରୁ ମରିଯାଇଥିଲା। ସେହିଦିନଠାରୁ ସେ ଆଉ କୌଣସି ପ୍ରାଣୀଙ୍କୁ ଏଭଳି ଅବସ୍ଥାରେ ମରିବାକୁ ଦେବେ ନାହିଁ ବୋଲି ମନସ୍ଥ କରିଥିଲେ। ପ୍ରଥମେ ସେ ଏକ ସ୍ବେଚ୍ଛାସେବୀ ସଂଘ ସହ ମିଶି ଆହତ ବୁଲା ପଶୁମାନଙ୍କର ସେବା କଲେ। ପରେ ନିଜେ ୨୦୧୬ ମସିହାରେ ସାଙ୍ଗମାନଙ୍କ ସହଯୋଗରେ ‘ସ୍ପିକ୍ ଫର୍‌ ଆନିମଲ୍‌’ ସଂଗଠନ ତିଆରି କଲେ। ନହରକଣ୍ଟା ପାଖରେ ଏକ ସେଲ୍‌ଟର ତିଆରି କଲେ। ସେଠାରେ ଆହତ ପଶୁମାନଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି। ଏଥିରେ ତାଙ୍କୁ ୨ଜଣ ପଶୁ ଡାକ୍ତର ସହଯୋଗ କରୁଛନ୍ତି। ସେହିଭଳି ଉକ୍ତ ସେଲ୍‌ଟରରେ ୫ଜଣ କେୟାରଟେକର କାମ କରୁଛନ୍ତି। ତାଙ୍କର ଏଭଳି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ୧୦ଜଣ ସ୍ବେଚ୍ଛାସେବୀ ମଧ୍ୟ ସହଯୋଗ କରୁଛନ୍ତି। ବଡ଼ କଥା ହେଉଛି, କୁଶଲ ଏଠାରେ ୮ଟି ଅକ୍ସିଜେନ ସିଲିଣ୍ଡର୍‌ ମଧ୍ୟ କିଣି ରଖିଛନ୍ତି। ଆଗକୁ ଏହି ସେଲ୍‌ଟରକୁ ସେ ଏକ ଡାଇଗ୍ନୋଷ୍ଟିକ ସେଣ୍ଟରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। କୌଣସି ସ୍ଥାନରେ ଜୀବଜନ୍ତୁ ଆହତ ହେବା ଖବର ପାଇବା ମାତ୍ରେ ସେ ଘଟଣାସ୍ଥଳକୁ ଧାଇଁ ଯାଇ ଉଦ୍ଧାର କରନ୍ତି। ଏମିତିକି କେହି ଜୀବଜନ୍ତୁକୁ ଅତ୍ୟାଚାର କରୁଥିବାରୁ ଖବର ପାଇଲେ, ସେ ଥାନାରେ କେସ୍ କରିଥାନ୍ତି ଓ ଉକ୍ତ ଜନ୍ତୁକୁ ଉଦ୍ଧାର କରି ନିଜ ସେଲ୍‌ଟରରେ ରଖନ୍ତି। କୁକୁର ଓ ବୁଲା ଗାଈଗୋରୁଙ୍କ ସମେତ ମାଙ୍କଡ଼, ପେଚା, ସାପ, ଏଣ୍ଡୁଅ, ଚିଲ, ବିଲେଇ ଭଳି ଅନେକ ପଶୁପକ୍ଷୀଙ୍କ ସେବା କରି ଆସୁଛନ୍ତି।

publive-image

ବୁଲା କୁକୁରଙ୍କ ପାଇଁ ପ୍ରତାପଙ୍କ ‘ବିଶ୍ବାସ’
ରାଜଧାନୀର ରାଜରାସ୍ତାରେ ବୁଲୁଛନ୍ତି ହଜାର ହଜାର ସଂଖ୍ୟାରେ ବୁଲା କୁକୁର। ରାଜଧାନୀବାସୀଙ୍କ ପାଇଁ ସେମାନେ ବଡ଼ ସମସ୍ୟା ବୋଲି ବିବେଚିତ ହୋଇ ଆସୁଛନ୍ତି। ତେଣୁ ବହୁ ସମୟରେ ବୁଲା କୁକୁରମାନେ କିଛି ଲୋକଙ୍କ ଅତ୍ୟାଚାରର ଶିକାର ହେଉଛନ୍ତି। ବିନା କାରଣରେ ଲୋକେ ସେମାନଙ୍କୁ ମାଡ଼ ମାରି ଆହତ କରିବା ସହ ମରଣମୁହଁକୁ ଠେଲି ଦେବା ଭଳି ନଜିର ରହିଛି। ତେବେ ଅତି ଦୟନୀୟ ଅବସ୍ଥାରେ ମରିବାକୁ ଯାଉଥିବା ବୁଲା କୁକୁରଙ୍କ ସେବା ପାଇଁ ପ୍ରତାପ ସାହୁ ଏକ କେନ୍ଦ୍ର ନିର୍ମାଣ କରିଛନ୍ତି। ନୀଳାଦ୍ରିବିହାରରେ ପ୍ରତାପଙ୍କ ସଂସ୍ଥା ‘ବିଶ୍ବାସ’ ଅସହାୟ ବୁଲା କୁକୁରଙ୍କ ଆଶ୍ରୟସ୍ଥଳ ପାଲଟିଛି। ଏହି ଗୃହରେ ସେ ବୁଲା କୁକୁରମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିଛନ୍ତି। ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରିଛନ୍ତି। ପ୍ରତାପଙ୍କ କହିବା କଥା, ବୁଲା କୁକୁରମାନେ ମଣିଷ ସମାଜ ପାଇଁ କ୍ଷତିକାରକ ନୁହନ୍ତି। ସେମାନେ ବଡ଼ ଉପକାରୀ। ରାସ୍ତାଘାଟରୁ ଅଳିଆ ଆବର୍ଜନାରୁ ପଚାସଢ଼ା ଖାଦ୍ୟ ଖାଇ ସେମାନେ ପରିବେଶକୁ ସଫା ସୁତୁରା ରଖୁଛନ୍ତି। କିନ୍ତୁ ଲୋକେ ଓଲଟା ସେମାନଙ୍କୁ ଘୃଣା ନଜରରେ ଦେଖି ଅତ୍ୟାଚାର କରୁଛନ୍ତି। ତେଣୁ ସେ ଅସହାୟ କୁକୁରମାନଙ୍କୁ ସେବା ଯୋଗାଇ ଦେବାକୁ ଏଭଳି ପ୍ରୟାସ ଜାରି ରଖିଛନ୍ତି।