ଆଜି ଜୟଦେବ ଜୟନ୍ତୀ: ଜନ୍ମପୀଠକୁ ଅଣଦେଖା

ବାଲିଅନ୍ତା: ରାତି ପାହିଲେ ରାଜ୍ୟବ୍ୟାପୀ ପାଳନ ହେବ ମହାନ କବି ଜୟଦେବଙ୍କ ଜୟନ୍ତୀ। ଏହି ଅବସରରେ ଆସନ୍ତା କାଲି ସକାଳୁ ବିନ୍ଦୁସାଗର କୂଳରେ ଥିବା ପ୍ରଭୁ ଅନନ୍ତବାସୁଦେବ ମନ୍ଦିର ନିକଟରୁ ଜୟଦେବ ସଂକୀର୍ତ୍ତନମଣ୍ଡଳୀ ପଦଯାତ୍ରା ପୀଠ ଅଭିମୁଖେ ବାହାରିବେ। ହେଲେ ସରକାର ଓ ପ୍ରଶାସନିକସ୍ତରରେ ଚରମ ଅବହେଳା ଯୋଗୁ ଏଯାଏ କବିଙ୍କ ଜନ୍ମମାଟି ଭାବେ ପରିଚିତ ବାଲିଅନ୍ତା ବ୍ଲକ ଅଧୀନ କେନ୍ଦୁବିଲ୍ଵ ସ୍ଥିତ ଜୟଦେବ ପୀଠର ସାମଗ୍ରିକ ବିକାଶ କାର୍ଯ୍ୟ ସମ୍ଭବ ହୋଇପାରିନି। ୨୫ ଏକର ଜମିର ପରିଧି ଭିତରେ ଥିବା ଜୟଦେବ ପୀଠର ସୌନ୍ଦର୍ଯ୍ୟପୂର୍ଣ୍ଣ ସବୁଜ ବଳୟ ରକ୍ଷଣାବେକ୍ଷଣ ଓ ଉପଯୁକ୍ତ ଯତ୍ନ ଅଭାବରୁ ଶ୍ରୀହୀନ ହୋଇଗଲାଣି । ପୀଠର ବିଭିନ୍ନ ସ୍ଥାନରେ ଲାଗିଥିବା ୬୫ଟି ଲାଇଟ୍‌ ଆଣ୍ଡ ସାଉଣ୍ଡ ବକ୍ସ କେବେଠୁ ଅଚଳ ହୋଇପଡ଼ିଛି। ୨୦୧୪/୧୫ ଆର୍ଥିକ ବର୍ଷରେ ୧୨ କୁଞ୍ଜରେ ସ୍ଥାପନ ହେବାକୁ ଥିବା ୫ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ଅଟକଳରେ ନିର୍ମିତ ବ୍ରୋଞ୍ଜ ମାଧବ ପ୍ରତିମୂର୍ତି ଖତ ଖାଉଛି। ପାର୍କରେ ଜଳସେଚନ ପାଇଁ ଥିବା ସ୍ପି୍ରଙ୍କଲର ବ୍ୟବସ୍ଥା ନଷ୍ଟ ହୋଇଯାଇଛି। ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁ ରୁଦ୍ରାକ୍ଷ ଓ ଆଶୋକ ଭଳି ୩୧ଟି ଦୁର୍ଲ୍ଲଭ ଔଷଧୀୟ ଗଛ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ପଦ୍ମାବତୀ ପୁଷ୍କରିଣୀରେ ଭାସମାନ ଅବସ୍ଥାରେ ଥିବା କାଳୀୟ ଦଳନ ମୂର୍ତି ଓ ମ୍ୟୁଜିୟମ୍‌ ଆଗରେ ଥିବା ପାଣି ଫୁଆରା ବି ଖରାପ ପଡ଼ିଛି। ଦୁଇଟିଯାକ ହାଇମାକ୍ସ ଲାଇଟ ଅସଜଡ଼ା ରହିଥିବାରୁ ପୀଠ ମଧ୍ୟରେ ଅନ୍ଧାର ରାଜୁତି କରୁଛି। ଫଳରେ ରାତିରେ ପୀଠ ପରିସରରେ ନାନା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ପୀଠର ସାମଗ୍ରିକ ବିକାଶ ଦିଗରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ଜୟନ୍ତୀ ଉତ୍ସବରେ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର