ଆଜି କୁଆଁର ପୂନେଇଁ, ଭଲ ବର ପାଇଁ କୁମାରୀ କରିବେ ଉପବାସ

ଭୁବନେଶ୍ୱର: ଆସିଛି କୁମାର ପୂନେଇଁ। ଭଲ ଜୀବନ ସାଥୀଟିଏ ପାଇବାକୁ କୁମାରୀ କରିବେ ଚନ୍ଦ୍ରପୂଜା। ମା’ ଗଜଲକ୍ଷ୍ମୀଙ୍କ ଆବାହନ ଓ କୁଆଁର ପୂନେଇଁ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଛି ରାଜଧାନୀ। ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳର ଝିଅମାନଙ୍କ ମନରେ ଏହି ପର୍ବକୁ ନେଇ ବେଶ୍‌ ଉତ୍ସାହ। ଏହା ସହ କିଛି ଆବାସିକ କଲୋନିରେ ଝିଅମାନେ ମିଳିତ ହୋଇ ପୂଜାର୍ଚ୍ଚନା କରିବାର ବିଧି ଏବେ ବି ବଞ୍ଚିରହିଛି। ପୁଣି କିଛି ସାଂସ୍କୃତିକ ଅନୁଷ୍ଠାନ କୁମାର ଉତ୍ସବ ବି ଆୟୋଜନ କରି ପରମ୍ପରାକୁ ଉଜ୍ଜୀବିତ କରି ରଖିବାକୁ ଉଦ୍ୟମ କରୁଛନ୍ତି। ବିଶେଷ କରି ଏହି ଦିନ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ତାଙ୍କ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ବର ମିଳେ ବୋଲି କୁହାଯାଏ। ଖଇ, ନଡ଼ିଆ, କଦଳୀ, ଛେନା, ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗେ। ଏହା ସହ ରାତିରେ କୁଆଁର ପୁନେଇଁ ଜହ୍ନ ଗୋ…. ଗୀତ ସାଙ୍ଗକୁ ପୁଚି ଖେଳ ଜମେ।

ଚଳଚଞ୍ଚଳ ରାଜଧାନୀ ବଜାର
କୁଆଁର ପୂନେଇଁ ପାଇଁ ଆଜି ରାଜଧାନୀର ବଜାର ବେଶ୍‌ ସରଗରମ ଥିଲା। ୟୁନିଟ୍‌-୧ ହାଟରେ ଖଇ, କସି କାକୁଡି, କସି ଜହ୍ନି, ଆଖୁ, ତାଳ ଗଜା, ଗୋଟାଗୁଆ, କମଳା, ନାରଙ୍ଗ, ଦୁବଘାସ, ଆମ୍ବଡ଼ାଳ, ବରକୋଳି ପତ୍ର, କଦଳୀ ପତ୍ର, ଖିରିକୋଳି ଓ ଧାନ ଆଦିର ଏକ ସେଟ୍‌ ୩୦ଟଙ୍କାରେ ବିକ୍ରି ହୋଇଥିଲା। ୟୁନିଟ୍‌-୧ ହାଟରେ ଅସ୍ଥାୟୀ ଦୋକାନ କରି ଏହି ଭଳି ସାମଗ୍ରୀ ବିକ୍ରି କରୁଥିବା ସୁଦାମ ଦଳାଇ କହନ୍ତି, ସହରରେ ଏହିସବୁ ଜିନିଷ ମିଳୁ ନ ଥିବାରୁ ଗାଁରୁ ଆସି କାଲିଠାରୁ ଏହି ବେପାର କରୁଛି। ସେହିପରି ଏହି ସବୁ ପୂଜା ସାମଗ୍ରୀ ରଖିବା ପାଇଁ ଆବଶ୍ୟକ କୁଲା, କାଇଁଞ୍ଚ ଡାଲା ଆଦି ନିଜ ହାତରେ ବୁଣି ବିକ୍ରି କରୁଛନ୍ତି ସୁଲତା ପାତ୍ର। କୁଆଁର ପୂନେଇଁରେ ନୂଆ ପୋଷାକ ପିନ୍ଧିବା ପରମ୍ପରା ଥିବାରୁ ଆଜି ପୋଷାକ ସୋ’ରୁମ୍‌ଗୁଡ଼ିକରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଗଜଲକ୍ଷ୍ମୀ ପୂଜା ପାଇଁ ପଦ୍ମ ଫୁଲ ଗୋଟାଏ ୫ ଟଙ୍କା ଓ ବିଡ଼ା ୧୦ ଟଙ୍କାରେ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର