ଆଜି ଶ୍ରମିକ ଦିବସ: ରୋଗ, ଭୋକ ସହ ଲ‌ଢ଼ୁଛନ୍ତି ବଙ୍ଗୀୟ ଶ୍ରମିକ

ଅସହାୟ ଅବସ୍ଥାରେ ନିର୍ମାଣ ଶ୍ରମିକ ମହେନ୍ଦ୍ର

ଭୁବନେଶ୍ବର: କରୋନା ପାଇଁ ଗତବର୍ଷର ଦୁର୍ଦ୍ଦଶା ଆଜି ବି ଭୁଲି ପାରିନାହାନ୍ତି ରାଜଧାନୀରେ କାମ କରୁଥିବା ବଙ୍ଗୀୟ ଶ୍ରମିକ। ତେବେ ପରିବାରକୁ ଭୋକରୁ ବଞ୍ଚାଇବା ପାଇଁ ପୁଣି ସେମାନଙ୍କୁ ଭୁବନେଶ୍ବର ଆସିବାକୁ ପଡ଼ିଛି। ଏବେ ପୁଣି ସମାନ ସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ କିଛି ଶ୍ରମିକ ଏବେଠାରୁ ଭୁବନେଶ୍ବର ଛାଡ଼ି ସାରିଥିବା ବେଳେ ଅନେକ ବଙ୍ଗୀୟ ଶ୍ରମିକ ଏଠାରେ ପଡ଼ି ରହିଛନ୍ତି। ରୋଗ ଓ ଭୋକ ସହ ଲଢ଼ିବାକୁ ନିଜକୁ ପ୍ରସ୍ତୁତ କରି ନେଇଛନ୍ତି। ବର୍ତ୍ତମାନ ଯେଉଁମାନେ ରହିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଲାଣି। କେଉଁଠି ଶ୍ରମିକଦଳକୁ ଛାଡ଼ି ଠିକାଦାର ଫେରାର୍‌ ହୋଇଗଲାଣି ତ କେଉଁଠି କାମ ବନ୍ଦ ହେରାଇଯିବା ଯୋଗୁଁ ସେମାନେ ରୋଜଗାର ହରାଇଲେଣି। କିଛି ସ୍ଥାନରେ ସାମାଜିକ ସଙ୍ଗଠନଗୁଡ଼ିକ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଛନ୍ତି। ଆଉ କିଛି ଶ୍ରମିକ ସ୍ବାଭାବିକ ଭାବରେ ଆପାର୍ଟମେଣ୍ଟ ସମେତ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ରହିଛନ୍ତି। ଠିକାଦାର ସେମାନଙ୍କ ଖାଦ୍ୟ ବ୍ୟବସ୍ଥା କରୁଛନ୍ତି। ତେବେ ପ୍ରତି ମୁହୂର୍ତ୍ତରେ ସେମାନେ କରୋନାରେ ଆକ୍ରାନ୍ତ ହେବାର ଭୟରେ ଅଛନ୍ତି।

ବିଭିନ୍ନ ନିର୍ମାଣ କ୍ଷେତ୍ରରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଶ୍ରମିକଙ୍କ ବଡ଼ ଅବଦାନ ରହିଛି। ସେମାନେ ଯେତିକି କୁଶଳୀ ସେତିକି କର୍ମଠ। ଗତବର୍ଷ କରୋନା ପାଇଁ ଓଡ଼ିଶାରେ ବଙ୍ଗୀୟ ଶ୍ରମିକଙ୍କ ଅଭାବ କାରଣରୁ ବହୁ ସରକାରୀ ଓ ଘରୋଇ ପ୍ରକଳ୍ପ କାମ ଆଗେଇ ପାରିଲା ନାହିଁ। ତେଣୁ କରୋନା କଟକଣା କୋହଳ ହେବା ମାତ୍ରେ ବିଭିନ୍ନ ଠିକା ସଂସ୍ଥା ଗାଡ଼ି ପଠାଇ କିମ୍ବା ଶ୍ରମିକ ଦଲାଲଙ୍କ ଜରିଆରେ ଏହି ଶ୍ରମିକମାନଙ୍କୁ ଘରୁ ଡକାଇ ଆଣିଥିଲେ। ଫଳରେ ପୁଣି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଲା। ଶ୍ରମିକ ମୁକ୍ତାର ସେକ୍‌ କହନ୍ତି ତାଙ୍କ ଉପରେ ଯୌଥ ପରିବାରର ଦାୟିତ୍ବ। ଗାଁରେ କୃଷି ଶ୍ରମିକ ହେବା ଛଡ଼ା ଅନ୍ୟ କୌଣସି ରୋଜଗାର ନାହିଁ। କୃଷି ମଜୁରି ବାବଦରେ ମାତ୍ର ୨୦୦ ଟଙ୍କା ମିଳେ। ଏଥିଯୋଗୁଁ ବାଧ୍ୟ ହୋଇ ନଭେମ୍ବର ମାସରେ ଚାଲି ଆସି ଖଣ୍ଡଗିରି ଅଞ୍ଚଳରେ କାର୍ଯ୍ୟ କରୁଥିଲେ। କିନ୍ତୁ ଗତବର୍ଷର ଦୁର୍ଦ୍ଦଶା ଯୋଗୁଁ ସେ ବର୍ତ୍ତମାନ ଘରକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ସେହିଭଳି ଶ୍ରମିକ ଜିୟାରୁଲ୍‌ ଓ ଅନଓ୍ବର୍‌ ଅଲ୍ଲୀ କହନ୍ତି, ପ୍ରାପ୍ୟ ପାଇବାରେ ଅସୁବିଧା ଥିଲେ ବି କାମ ମିଳୁଛି ଓ ଖାଇବାକୁ ମିଳୁଥିବାରୁ ସେ ଏଠାରେ ରହିଯାଇଛନ୍ତି। ତେବେ ସେମାନଙ୍କ ଭଳି ସୁବିଧାଜନକ ସ୍ଥିତିରେ ଅନ୍ୟମାନେ ନାହାନ୍ତି। ନୀଳାଦ୍ରିବିହାର ବସ୍ତିକୁଂଜ ପାଇଁ କାର୍ଯ୍ୟ କରୁଥିବା ୧୪ ଶ୍ରମିକ, ଇନ୍‌ଫୋସିସ୍‌ ମାଇଣ୍ଡ-୩ ଆପାର୍ଟମେଣ୍ଟରେ କାର୍ଯ୍ୟ କରିବା ପାଇଁ ଆସିଥିବା ୪୦ ଶ୍ରମିକ, ପଥରଗାଡ଼ିଆରେ ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା ୧୦ ଜଣ ବଙ୍ଗୀୟ ଶ୍ରମିକଙ୍କ ଅବସ୍ଥା ଭଲ ନଥିବା ଜଣାପଡ଼ିଛି। ପେଟକୁ ମୁଠାଏ ଖାଇବା ଯୋଗାଡ଼ କରିବା ପାଇଁ ପ୍ରତିଦିନ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଘରକୁ ଫେରିବା ପାଇଁ ଇଛା ଥିଲେ ବି ଅନ୍‌ଲାଇନ୍‌ ଟିକେଟ୍‌ କରିବା ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ।

ଠିକାଦାରମାନଙ୍କୁ ଶ୍ରମିକ ଯୋଗାଉଥିବା ଓମର ସିଂ କହିଛନ୍ତି, ସେ ପ୍ରତିବର୍ଷ ପଶ୍ଚିମବଙ୍ଗରୁ ୫୦୦ରୁ ୬୦୦ ଶ୍ରମିକ ଭୁବନେଶ୍ବରକୁ ଆଣନ୍ତି। ଚଳିତ ବର୍ଷ ଲକ୍‌ଡାଉନ ପରେ ୯୦ ଜଣଙ୍କୁ ଆଣିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଭୟରେ ଚାଲି ଯାଇଛନ୍ତି। ଯେଉଁମାନେ ଅଛନ୍ତି, ସେମାନଙ୍କ ପାଇଁ ପ୍ରତିଦିନ ଗୋଟିଏ ବେଳାର ଖାଦ୍ୟ ବ୍ୟବସ୍ଥା କରୁଛନ୍ତି। ଏପରିକି ଜଣେ ଶ୍ରମିକ କରୋନା ଆକ୍ରାନ୍ତ ପରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରିଥିଲେ। ତେବେ ଏମିତି କିଛି ଠିକାଦାର ଅଛନ୍ତି ଯେଉଁମାନେ ସେମାନଙ୍କୁ କାମରେ ନି‌ୟୋଜିତ କରିବା ପରେ ଆଉ କୌଣସି ଦାୟିତ୍ବ ନେଉନାହାନ୍ତି। ପରେ ସେମାନଙ୍କୁ ମଜୁରି ମିଳିଲା କି ନାହିଁ, ସେମାନେ ଖାଇବାକୁ ପାଉଛନ୍ତି କି ନାହିଁ, କେହି ଦେଖିବାକୁ ନାହିଁ। ଫଳରେ ସେମାନେ ସମସ୍ୟାରେ ପଡ଼ୁଛନ୍ତି। ଏହି ଶ୍ରମିକମାନେ ନିର୍ମାଣସ୍ଥଳରେ ସକାଳ ୭ଟାରୁ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି ଓ ଠିକଣା ସମୟରେ କାମ ସାରିଦିଅନ୍ତି। ଏଥିପାଇଁ ଠିକାଦାରମାନେ ବଙ୍ଗୀୟ ଶ୍ରମିକଙ୍କୁ ପସନ୍ଦ କରନ୍ତି। କିନ୍ତୁ ସେମାନେ କରୋନା ସଂକଟ ବେଳେ ଯେଉଁ ଅସୁବିଧାରେ ପଡ଼ିଥିଲେ, ସେଥିପ୍ରତି ଠିକାଦାରମାନେ ନଜର ଦେଇନଥିଲେ। ତେଣୁ ଚଳିତ ବର୍ଷ କରୋନା ସ୍ଥିତି ସଂଗିନ୍ ହେବା ପୂର୍ବରୁ ସେମାନେ ଘରକୁ ଫେରି ଯାଇଛନ୍ତି।

ଭୁବନେଶ୍ବର ଖାମ୍‌ନଗରରେ ନିର୍ମାଣ କାର୍ଯ୍ୟ କରୁଥିବା ମୁର୍ଶିଦାବାଦର ଶ୍ରମିକ ହବିବ(୨୭)ଙ୍କ ଭଳି ଅନେକ ଫେରି ଯାଇଛନ୍ତି। ଯେଉଁମାନେ ଅଟକି ରହିଛନ୍ତି, ସେମାନଙ୍କ ଅବସ୍ଥା ଧୀ‌ରେଧୀରେ ବିଗିଡ଼ିବାକୁ ବସିଲାଣି। ଏହା ସତ୍ତ୍ବେ ଭୋକ ଓ ରୋଗ ସହ ଲଢ଼ିବାକୁ ସେମାନେ ପଡ଼ି ରହିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି। ପରିବାରର ଆର୍ଥିକ ସମସ୍ୟା ସେମାନଙ୍କୁ ଭୁବନେଶ୍ବରରେ ଅଟକାଇଛି ବୋଲି ସେମାନେ କହିଛନ୍ତି।

ଅସହାୟ ଅବସ୍ଥାରେ ନିର୍ମାଣ ଶ୍ରମିକ ମହେନ୍ଦ୍ର
ଦିନେ ରାଜଧାନୀର ଜଣାଶୁଣା ରାଜମିସ୍ତ୍ରି ଥିଲେ ମହେନ୍ଦ୍ର। ଭୁବନେଶ୍ଵର ଅଶୋକ ନଗରସ୍ଥିତ ଭଗବତୀ ବସ୍ତିର ମହେନ୍ଦ୍ର ଶେଖର ମହାପାତ୍ର (୩୬)। ରାଜମିସ୍ତ୍ରି କାମ ସହିତ ଘର ୱେୟାରିଂ କରିବାରେ ସେ ଥିଲେ ସିଦ୍ଧହସ୍ତ। ବଡ଼ ବଡ଼ ଠିକାଦାରଙ୍କ ନିକଟରେ ମହେନ୍ଦ୍ରଙ୍କ ଚାହିଦା ଥିଲା। ରାଜଧାନୀର ବହୁ ବଡ଼ ବଡ଼ କୋଠା ନିର୍ମାଣରେ ମହେନ୍ଦ୍ରଙ୍କ ଯୋଗଦାନ ରହିଛି। କିନ୍ତୁ ଆଜି ସେ ଅକ୍ଷମ। ୨୦୧୮ମସିହାରେ ଏକ ମର୍ମଦୁନ୍ତ ଦୁର୍ଘଟଣାରେ ମହେନ୍ଦ୍ରଙ୍କ ଡାହାଣ ଗୋଡ଼ କ୍ଷତିଗ୍ରସ୍ତ ହେବା ପରେ ତାଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଯେଉଁ ଠିକାଦାରମାନଙ୍କ ପାଇଁ ସେ ଆଦରର ପାତ୍ର ଥିଲେ, ସେମାନେ ତାଙ୍କର ଏଭଳି ଅସମୟରେ ମୁହଁ ଫେରାଇ ନେଇଛନ୍ତି। ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କରାଇ ନପାରି ସେ ଘରେ ପଡ଼ି ରହିଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ଏବେ ନିଜ ଗୋଡ଼ର କ୍ଷତକୁ ନିଜେ ଡ୍ରେସିଂ କରୁଛନ୍ତି।

ତାଙ୍କର ଏଭଳି ଅବସ୍ଥାରେ ବୃଦ୍ଧ ବାପା, ପୁଅ, ଝିଅ ଓ ସ୍ତ୍ରୀ ଏବେ ବଡ଼ ଅସହାୟ ହୋଇପଡ଼ିଛନ୍ତି। ନିଜ ରୋଜଗାରରେ ବେଶ୍ ଭଲରେ ଚଳୁଥିବା ପରିବାର ଏବେ ଭୋକ ଉପାସରେ ଦିନ କାଟିବା ଅବସ୍ଥାରେ। ଶ୍ରମିକ କାର୍ଡ ଥିଲେ ମଧ୍ୟ ସରକାରଙ୍କ ପାଖରୁ କୌଣସି ପ୍ରକାର ସାହାଯ୍ୟ ତାଙ୍କୁ ମିଳିନାହିଁ ବୋଲି ସେ କହିଛନ୍ତି। ବାରମ୍ବାର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଦୌଡ଼ିଲା ପରେ ମଧ୍ୟ ତାଙ୍କୁ କୌଣସି ପ୍ରକାର ସରକାରୀ ସାହାଯ୍ୟ ମିଳିନାହିଁ। ଯେଉଁ ଠିକାଦାରମାନଙ୍କ ପାଇଁ ସେ କାମ କରୁଥିଲେ, ସେମାନେ ଆଜି ତାଙ୍କୁ ଆଡ଼ ନଜରରେ ବି ଚାହୁଁନାହାନ୍ତି ବୋଲି ବଡ଼ ଦୁଃଖର ସହ ସେ କହିଛନ୍ତି। ତାଙ୍କର ଏହି ଦୁର୍ଦ୍ଦିନରେ ସେ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ସେହିଭଳି ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଇଛା କରୁଥିଲେ, ତାଙ୍କୁ ୯୬୫୮୮୫୯୫୫୩ ରେ ଯୋଗାଯୋଗ କରିବାକୁ ସେ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର