ଆଜି ଶ୍ରମିକ ଦିବସ, ଯୋଜନା କାହା ପାଇଁ…

ଭୁବନେଶ୍ବର: ଶ୍ରମିକଙ୍କୁ ପରାମର୍ଶ ଦେବା ପାଇଁ ‘ଶ୍ରମିକ ସାରଥି’ ଯୋଜନାର ଶୁଭାରମ୍ଭ ହେଲା। ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ କିମ୍ବା ଦେଶକୁ କାମ ଉଦ୍ଦେଶ୍ୟରେ ଚାଲିଯାଉଥିବା ଶ୍ରମିକମାନଙ୍କୁ ପରାମର୍ଶ ଓ ସଚେତନ କରିବା ପାଇଁ ବଲାଙ୍ଗୀର, ଖୋର୍ଧା, ବରଗଡ଼ରେ ଏହି ଯୋଜନାର ଶୁଭାରମ୍ଭ କରାଗଲା। ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣମୂଳକ କାର୍ଯ୍ୟକ୍ରମ ବାବଦରେ ସଚେତନତା ସହ ପ୍ରଚାର ପ୍ରସାର ପାଇଁ ‘ଶୁଣ ଶ୍ରମିକ’ କମ୍ୟୁନିଟି ରେଡିଓର ଶୁଭାରମ୍ଭ ହେଲା। ଶିଶୁ ଶ୍ରମିକ ପ୍ରଥାରେ ପ୍ରତିବନ୍ଧକ ଲଗାଇବା ପାଇଁ ୪୫ ଦିନିଆ ଅଭିଯାନର ଶୁଭାରମ୍ଭ ହେଲା। nirmanshramika.com ନାମରେ ୱେବ୍‌ସାଇଟ୍‌ ଲୋକାର୍ପଣ ହେଲା। ହେଲେ ଶ୍ରମିକଙ୍କ ଅବସ୍ଥା ଯାହା ଥିଲା ସେୟା ରହିଯାଇଛି। ବାସ୍ତବରେ ଏତେ ସବୁ ଯୋଜନା ହୋଇଥିଲେ ବି କୌଣସି ଗୋଟିଏ ବି ଯୋଜନା ସମ୍ପର୍କରେ ଖୋଦ ଶ୍ରମିକମାନେ ହିଁ ଜାଣନ୍ତି ନାହିଁ। ସେମାନେ ତ ଜାଣନ୍ତିନି, କିନ୍ତୁ ଯେଉଁ ଯୋଜନାଗୁଡ଼ିକ ଉନ୍ମୋଚିତ ହୋଇଥିଲା ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ବି ପ୍ରଶ୍ନବାଚୀ। ଯେଉଁ ୱେବ୍‌ସାଇଟ୍‌ଟି ଖୋଲାଯାଇଛି ତାହା ଏପର୍ଯ୍ୟନ୍ତ କାମ କରୁନାହିଁ। ଏନେଇ ଆମେ ଯେତେବେଳେ ନୂଆପଲ୍ଲୀ ମଣିଷ ହାଟ ତଥା ଶ୍ରମିକ ହାଟରେ କିଛି ଶ୍ରମିକଙ୍କୁ ଭେଟି ଏସବୁ ଯୋଜନା ସମ୍ପର୍କରେ ପଚାରିଲୁ ସେମାନେ ଏ ବାବଦରେ କିଛି ଜାଣନ୍ତି ନାହିଁ ବୋଲି ସ୍ପଷ୍ଟ ଉତ୍ତର ରଖିଥିଲେ। ଧାରା ୧୪ ମୁତାବକ କର୍ମକ୍ଷେତ୍ରରେ ପୀଡ଼ିତ ଦାଦନ ଶ୍ରମିକମାନଙ୍କୁ ଚିହ୍ନଟ କରିବା ବା ସେମାନଙ୍କ ସମ୍ପର୍କରେ ସର୍ବେକ୍ଷଣ କରିବା ସରକାରଙ୍କ ଦାୟିତ୍ବ। ରାଜ୍ୟ ସରକାରଙ୍କ ଦ୍ବାରା ଜିଲ୍ଲା ଏବଂ ସଦର ମହକୁମାସ୍ତରରେ ଗଠିତ ‘ଭିଜିଲାନ୍‌ସ କମିଟି’ ଉପରେ ଏହି ଦାୟିତ୍ବ ନ୍ୟସ୍ତ। ୩୦ ଜିଲ୍ଲା ଓ ୫୮ ସଦର ମହକୁମାରେ ଏହି ଭିଜିଲାନ୍‌ସ କମିଟି କାର୍ଯ୍ୟ କରିବାର ନିୟମ ରହିଛି। ପ୍ରତି ୨ବର୍ଷରେ ଥରେ ଏହା ପୁନର୍ଗଠିତ ହେବାର ନିୟମ ମଧ୍ୟ ରହିଛି। କିନ୍ତୁ ଅଧିକାଂଶ ସ୍ଥାନରେ ଏହି କମିଟି ସକ୍ରିୟ ନାହିଁ, ନଚେତ ପୁନର୍ଗଠନ ହୋଇନାହିଁ। ଫଳରେ ଅନେକ ଶ୍ରମିକ କର୍ମସ୍ଥଳରେ ନିର୍ଯାତିତ ଏବଂ ପାରିଶ୍ରମିକ ପାଉ ନଥିବା ଭଳି ସମସ୍ୟା ଉପୁଜିଥିଲେ ମଧ୍ୟ ତାହା ଉପରେ ନଜର ରଖିବା ପାଇଁ କେହି ନାହାନ୍ତି। ଏବେ ବି ଜମିହୀନ, ସ୍ଥିର ରୋଜଗାର ପାଇଁ ଆବଶ୍ୟକୀୟ କର୍ମକ୍ଷେତ୍ର ନପାଇବା, ବଡ଼ ପରିବାରରେ କମ୍‌ ବ୍ୟକ୍ତିଙ୍କ ରୋଜଗାର, କୃଷିଜାତ ଉତ୍ପାଦିତ ଫସଲର ଉଚିତ୍‌ ମୂଲ୍ୟ ନପାଇବା ଭଳି କାରଣ ଯୋଗୁଁ ଅନେକ ରାଜ୍ୟ କିମ୍ବା ଦେଶ ବାହାରକୁ ଚାଲିଯାଉଛନ୍ତି। ତେବେ ସଚେତନତା ଅଭାବରୁ ସେମାନେ ଅନେକ ସମୟରେ ନିର୍ଯାତିତ ହେଉଛନ୍ତି। ଉଚିତ୍‌ ପ୍ରାପ୍ୟ ପାଉନାହାନ୍ତି। ଏନେଇ ଭାରତ ସରକାରଙ୍କ ପୂର୍ବତନ ୟୁନିଅନ ଲେବର ସେକ୍ରେଟେରି ଡ.ଏଲ୍‌.ଡି ମିଶ୍ର କୁହନ୍ତି, ଓଡ଼ିଶାରୁ ବିଶେଷକରି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଭଳି କମ ଜଳସେଚିତ ଓ ଦୁର୍ଭିକ୍ଷପ୍ରବଣ ଅଞ୍ଚଳରୁ ଦାରିଦ୍ରୢ ସୀମାରେଖା ତଳେ ଥିବା ବ୍ୟକ୍ତିମାନେ ଦାଦନ ଖଟିବାକୁ ବାହାରକୁ ଚାଲିଯାଆନ୍ତି। ତେଣୁ କେବଳ ଯୋଜନା ଘୋଷଣା କରିଦେଲେ ହେବ ନାହିଁ। ବରଂ ତାକୁ କାର୍ଯ୍ୟକାରୀ କରିବା ସହ ଶ୍ରମିକମାନଙ୍କୁ ନିଜ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ପାଇଁ ଏକ ରାଜ୍ୟସ୍ତରୀୟ ଆକ୍ସନ ପ୍ଲାନ୍‌ର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର