ଆଜି ଶିବ ବିବାହ, ମଙ୍ଗନରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ

ବିନ୍ଦୁସାଗର ମ୍ୟୁଜିକାଲ ଫାଉଣ୍ଟେନ୍‌ ମରାମତି

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ। ପ୍ରଥାନୁସାରେ, ଠାକୁର ଶ୍ରୀଲିଙ୍ଗରାଜ ଶ୍ବଶୁର ଘର କେଦାରେଶ୍ୱର ମନ୍ଦିରକୁ ଯିବେ। ଏଥିପାଇଁ ଆଜି ମଙ୍ଗନ ତିଥି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗନ ଅବସ‌ରରେ ଆଜି ସନ୍ଧ୍ୟାରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଛି। ଆସନ୍ତାକାଲି ସେମାନଙ୍କ ଉପସ୍ଥିତିରେ ଶିବ-ପାର୍ବତୀଙ୍କ ଶୁଭ ପରିଣୟ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟାରେ ସେବାୟତମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗନ କାର୍ଯ୍ୟ ସମାହିତ କରିଥିଲେ। ସନ୍ଧ୍ୟା ଧୂପ ପରେ ପରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏକାମ୍ର କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଥିବା ଅଷ୍ଟ ଦେବୀ ଯଥା ମଠକପାଳି ଠାକୁରାଣୀ, ମହନୀ ଠାକୁରାଣୀ, ଆଖଡ଼ାଚଣ୍ଡୀ ଠାକୁରାଣୀ, ରାମାୟଣୀ ଠାକୁରାଣୀ, କପାଳି ଠାକୁରାଣୀ, ଉତ୍ତରାୟଣୀ ଠାକୁରାଣୀ, ଗୌରୀ ଠାକୁରାଣୀ, ଅମ୍ୱିକେ ଠାକୁରାଣୀ, ଓ ଦ୍ୱାରବାସିନୀ ଠାକୁରାଣୀଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ପଠାଯାଇଥିଲା। ପୂଜାପଣ୍ଡା, ପାଳିଆ ବଡ଼ୁ, ଛତା, ତ୍ରାସ, ମଶାଲ, ପତ୍ରୀ, ଘଣ୍ଟ, କାହାଳୀ, ପର୍ବଯାତ୍ରା ବିଶୋୟୀ ଓ ସୁପରଭାଇଜର୍‌ ନିମନ୍ତ୍ରଣ ପର୍ବରେ ସାମିଲ ହୋଇଥିଲେ। ସେବାୟତମାନେ ଅଷ୍ଟଚଣ୍ଡୀ ଠାକୁରାଣୀମାନଙ୍କୁ ଫୁଲ, ଚନ୍ଦନ, ବେଲ ପତ୍ର ଓ ମହାପ୍ରସାଦ ସମର୍ପଣ କରି ନିମନ୍ତ୍ରଣ କରିଥିଲେ। ପୂର୍ବରୁ ଏହି କାର୍ଯ୍ୟକ୍ରମ ବେଶ୍ ଆଡ଼ମ୍ବର ସହକାରେ ସମ୍ପାଦିତ ହେଉଥିଲା। କିନ୍ତୁ ଏଥର ବିନା ଗହଳଚହଳରେ କେବଳ ଗୋଟିଏ ଘଣ୍ଟ, ଶଙ୍ଖ ଓ କାହାଳୀ ଶବ୍ଦରେ ସମାହିତ ହୋଇଛି।

ଆସନ୍ତାକାଲି ନିରାଡ଼ମ୍ବର ଭାବେ ଠାକୁର ପାଳିଆ ସେବାୟତଙ୍କ ଗହଣରେ କେଦାରଗୌରୀ ମନ୍ଦିରକୁ ଯିବେ। ବିଧି ଅନୁସାରେ ୧୧ଟା ସୁଦ୍ଧା ବରଯାତ୍ରୀ ମନ୍ଦିରରୁ ବାହାରି ବଢ଼େଇବାଙ୍କ ଛକ, ତିନି ମୁଣ୍ଡିଆ ଛକ, ଏକାମ୍ର ବନ ନିକଟ ମଧ୍ୟ ଦେଇ ଯାତ୍ରା କରିବେ। ତେବେ ବରଯାତ୍ରାରେ ପୂର୍ବଭଳି ବା‌ଜା, ବାଣ ଓ ରୋଶଣିର ଚମକ ରହିବ ନାହିଁ। କେବଳ ଗୋଟିଏ ଘଣ୍ଟ, ଗୋଟିଏ ଶଙ୍ଖ ଓ ଗୋଟିଏ କାହାଳୀ ବାଜିବ। ମନ୍ଦିର ଜ୍ୟୋତିଷ ଦେଇଥିବା ସମୟ ଅନୁଯାୟୀ, ରାତ୍ର ୧୨ଟାରୁ ରାତ୍ର ସାଢ଼େ ୩ଟା ମଧ୍ୟରେ ଶିବ-ପାର୍ବତୀଙ୍କ ହାତଗଣ୍ଠି ପଡ଼ିବ। ସେଠାରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ଅନ୍ୟାନ୍ୟ ଦେବଦେବୀଙ୍କ ପାଳିଆ ସେବାୟତ ସମେତ ମନ୍ଦିର ସୁପରଭାଇଜର୍‌, ମନ୍ଦିର ଚର୍ଚେଇତ, ପର୍ବଯାତ୍ରା ବିଶୋୟୀ, ଭଣ୍ଡାର ମେକାପ, ମନ୍ଦିର ଚପରାଶି ଓ ଅନ୍ୟାନ୍ୟ ସେବାୟତମାନେ ସେମାନଙ୍କ ନୀତି ସମ୍ପାଦନ କରିବେ। ଅନ୍ୟପକ୍ଷରେ କେଦାର ଗୌରୀ ମନ୍ଦିରରେ ପ୍ରତିବର୍ଷ ପରି ହେବାକୁ ଥିବା ଅଷ୍ଟପ୍ରହର ନାମଯଜ୍ଞକୁ ଏଥର ବନ୍ଦ କରାଯାଇଛି। ସେହିପରି ଶୀତଳଷଷ୍ଠୀ ସାଂସ୍କୃତିକ ପରିଷଦ ପକ୍ଷରୁ ମନ୍ଦିର ସମ୍ମୁଖରେ ହେବାକୁ ଥିବା ସମ୍ୱଲପୁରୀ ଭଜନ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି।

ପୁରୁଣା ଭୁବନେଶ୍ବର: କରୋନା କଟକଣା ଯୋଗୁଁ ଅଢ଼େଇ ମାସ ହେଲା ବିନ୍ଦୁସାଗର ମ୍ୟୁଜିକାଲ ଫାଉଣ୍ଟେନ୍‌ର ବନ୍ଦ ରହିଥିଲା। ଦୀର୍ଘ ଦିନ ବନ୍ଦ ରହିବା ପଳରେ ଫାଉଣ୍ଟେନର ଯନ୍ତ୍ରାଂଶ ଅଚଳ ହୋଇଯାଇଛି। ଏବେ ଅପରାହ୍‌ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିନ୍ଦୁସାଗର କୂଳରେ ଲୋକଙ୍କ ଭିଡ଼ ଜମୁଛି। ଲୋକାମାନେ ଏଠାରେ ଏକାଠି ହୋଇ ଶୀତଳ ପବନର ମଜା ନେଉଛନ୍ତି। ଏହାକୁ ଆଖି ଆଗରେ ରଖି ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ମ୍ୟୁଜିକାଲ ଫାଉଣ୍ଟେନକୁ ମରାମତି କରାଯାଇଛି।

ସମ୍ବନ୍ଧିତ ଖବର