ଆଜି ମହାବିଷୁବ ସଂକ୍ରାନ୍ତି : ଓଡ଼ିଆ ପାଳୁଛନ୍ତି ନୂଆବର୍ଷ

ଭୁବନେଶ୍ବର: ଗ୍ରହ ଚଳନରୁ ପ୍ରସ୍ତୁତ ରାଶିଚକ୍ର ଅନୁସାରେ ଆଜି ହେଉଛି ବର୍ଷର ପ୍ରଥମ ଦିନ। ପ୍ରଥମ ରାଶି ହେଉଛି ମେଷ। ପ୍ରଥମ ରାଶିର ପ୍ରଥମ ଦିନ ହେଉଛି ମହାବିଷୁବ ସଂକ୍ରାନ୍ତି। ତେଣୁ ଆଜି (ଗୁରୁବାର) ଅର୍ଥାତ୍ ମହାବିଷୁବ ସଂକ୍ରାନ୍ତି ତିଥିକୁ ଓଡ଼ିଆ ନୂଆବର୍ଷ ଭାବରେ ପାଳନ କରାଯାଏ। ଏହି ସମୃଦ୍ଧ ପରମ୍ପରା ଓ ସଂସ୍କୃ୍ତି ପାଇଁ ଓଡ଼ିଆ ଗର୍ବିତ। ଏହି ପର୍ବକୁ ପାଳନ କରିବା ପାଇଁ  ରାଜ୍ୟର ବିଭିନ୍ନ ଅଞ୍ଚଳ ଓ  ରାଜଧାନୀର ବିଭିନ୍ନ ମହଲରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଓଡ଼ିଆ ପରିବାର ସହ ମଠ, ମନ୍ଦିର ସବୁ ଉତ୍ସବମୁଖର ହୋଇଛି।

ଇଂରାଜୀ ନବବର୍ଷ ପାଳନର ଅଭ୍ୟାସ ଭିତରେ ବି ଓଡ଼ିଆ ନବବର୍ଷ ପ୍ରତି ରାଜଧାନୀବାସୀଙ୍କର ଥିବା ଆନ୍ତରିକତା ବାରି ହୋଇପଡ଼ିଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ନୂଆବର୍ଷର ଶୁଭେଚ୍ଛା ସୁଅ ଛୁଟିଥିବା ବେଳେ ଏହାକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ମଠ, ମନ୍ଦିର ସମେତ ବିଭିନ୍ନ ଜାଗାରେ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି। ବିଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁ ଏହା କେବଳ ପ୍ରତୀକାତ୍ମକ ପାଳନ ହୋଇଥିବା ବେଳେ ଏଥର ଏହାକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ସମସ୍ତେ ଉତ୍ସାହିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି।

ମହାବିଷୁବ ସଂକ୍ରାନ୍ତି ବା‌ ପଣା ସଂକ୍ରାନ୍ତି ପାଇଁ ରାଜଧାନୀରେ ପ୍ରତ୍ୟେକ ହିନ୍ଦୁ ପରିବାର ସହ ମନ୍ଦିର, ମଠ ଓ ହିନ୍ଦୁ ଧର୍ମାନୁ‌ଷ୍ଠାନଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ ପଣା ତିଆରି ଏକ ଅନ୍ୟନ ପରମ୍ପରା। ପଣା ତିଆରି ପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ ଆଜିଠାରୁ ଆବଶ୍ୟକ ଫଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଦୋକାନ ବଜାରରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା। ପଣା ପାଇଁ ଫଳର ଚାହିଦାକୁ ଦେଖି ବ୍ୟବସାୟୀମାନେ ଦର ବଢ଼ାଇ ଦେଇଥିବା ଦେଖାଯାଇଛି।

ପୂର୍ବରୁ ଗୋଟା ପିଛା ୫ରୁ ୭ ଟଙ୍କା ପଡ଼ୁଥିବା ଦେଶୀ କଦଳୀ ଦର ଆଜି ୧୦ରୁ ୧୨ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୦ ଟଙ୍କା ଥିବା ନଡ଼ିଆ ଦର ଆଜି ୩୦ ରୁ ୩୫ ଟଙ୍କାରେ ପହଞ୍ଚିଛି। ପାଚିଲା ବେଲ ଦର ମଧ୍ୟ ଆକାଶଛୁଆଁ। ଏସବୁ ସତ୍ତ୍ବେ ଭୁବନେଶ୍ବରିଆଙ୍କ ପଣା ପ୍ରେମରେ କିଛି ବି ହ୍ରାସ ହୋଇଥିବା ପରିଲକ୍ଷିତ ହୋଇନାହିଁ। ଫଳ ବଜାରରେ ଆଜି ସନ୍ଧ୍ୟାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ମହାବିଷୁବ ସଂକ୍ରାନ୍ତି ଅବସରରେ ପାଳିତ ହୁଏ ହନୁମାନ ଜୟନ୍ତୀ। ଏଥିପାଇଁ ରାଜଧାନୀର ବିଭିନ୍ନ ହନୁମାନ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ସବୁ ହନୁମାନ ମନ୍ଦିରକୁ ଆଲୋକମାଳାରେ ସଜାଇ ଦିଆଯାଇଛି। ସିଆର୍‌ପି ଛକରେ ଥିବା ହନୁମାନ ମନ୍ଦିରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିଭଳି ବିଜେବିନଗର, ବରମୁଣ୍ଡା, ଗଣ୍ଡମୁଣ୍ଡା, ୟୁନିଟ୍‌-୬, କୋଚିଲେଇ ହାଟ, ଡୁମୁଡ଼ୁମା ପ୍ରଭୃତି ହନୁମାନ ମନ୍ଦିର ଉତ୍ସବମୁଖର ହୋଇପଡ଼ିଛି। ସେହିଭଳି ଏହି ପବିତ୍ର ଦିନରେ ପଡ଼ୁଛି ମହାବୀର ଜୟନ୍ତୀ। ଜୈନ ଧର୍ମାବଲମ୍ବୀମାନଙ୍କ ପାଇଁ ଏହା ବଡ଼ ପର୍ବ। ତେଣୁ ସେମାନେ ମଧ୍ୟ ଏହି ଜୟନ୍ତୀ ପାଳନ କରିବାକୁ ଜୋର୍‌ଦାର ପ୍ରସ୍ତୁତି ଚଳାଇଛନ୍ତି। ମହାବୀର ଜୈନ ହିଂସା, ଜୀବହତ୍ୟା ପ୍ରଭୃତିକୁ ବିରୋଧ କରିବା ସହ ଦାନଧର୍ମରେ ଆଗ୍ରହ ରଖୁଥିବାରୁ ଜୈନ ଧର୍ମାମ୍ବଲମ୍ବୀମାନେ ଆସନ୍ତାକାଲି ମହାବୀରଙ୍କ ଜୟନ୍ତୀ ପାଳନ ଅବସରରେ ଦାନଧର୍ମ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି।

ସମ୍ବନ୍ଧିତ ଖବର