ପୁରୁଣା ଭୁବନେଶ୍ୱର: ଫୁଲରେ ସଜେଇ ହୋଇଛି ସିଂହଦ୍ବାର। ଆଲୁଅ ମାଳାରେ ଝଲମଲ ହେଉଛି ମନ୍ଦିର। ସଂଚରି ଆସୁଛି ଶିବ ପଞ୍ଚାକ୍ଷର। ‌ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶୈବ ପୀଠ ଏକାମ୍ର କ୍ଷେତ୍ର। ରାତି ପାହିଲେ ଆରମ୍ଭ ହେବ ଦର୍ଶନ। ଉଜାଗର ଓ ଉପବାସ ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ଉପାସନାରେ ମଗ୍ନ ହେବେ ଶ୍ରଦ୍ଧାଳୁ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବ୍ୟତୀତ ଅନ୍ୟ ଶୈବପୀଠରେ ବି ଭିଡ଼ ଜମିବ। ଏହାକୁ ଦୃଷ୍ଟିରେ ରଖି ପୁରଣା ଭୁବନେଶ୍ବରରେ ଥିବା ସମସ୍ତ ଶୈବପୀଠରେ ପ୍ରସ୍ତୁତି ଶେଷ ହୋଇଛି। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଯେପରି ରାତି ସାଢ଼େ ୧୦ଟାରେ ମହାଦୀପ ଉଠିବ ସେନେଇ ପ୍ରଶାସନ ପ୍ରସ୍ତୁତି ଚଳାଇଛି। ମନ୍ଦିର ପ୍ରଶାସନ ସେବାୟତଙ୍କ ସହଭାଗିତାରେ କାର୍ଯ୍ୟ ଜାରିରଖିଛି। ମନ୍ଦିର ଗର୍ଭଗୃହରୁ ପାଦୁକ ସଫେଇ ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ୪୦ ଜଣଙ୍କୁ ନିୟୋଜିତ କରାଯାଇ ସଫେଇ ଶେଷ ହୋଇଛି। ଏଥିସହ ମନ୍ଦିରକୁ ସଫେଇ କରାଯାଇଛି।

Advertisment

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତମାନଙ୍କ ଦର୍ଶନ ସହ ଶୃଙ୍ଖଳିତ ନୀତି ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ କମିସନରେଟ୍‍ ପୁଲିସ୍‍ ପ୍ରସ୍ତୁତି ହୋଇଛି। ଟ୍ରାଫିକ୍‌ ସହ ଅପରାଧ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା ହୋଇଛି। ପୁଲିସ୍‍ କମିସନର ସତ୍ୟଜିତ ମହାନ୍ତିଙ୍କ ସୂଚନା ମୁତାବକ ଡିସିପି ଅନୁପ କୁମାର ସାହୁଙ୍କ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ। ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ଶ୍ରୀଲିଙ୍ଗରାଜ ମନ୍ଦିରରେ ପଯ୍ୟର୍ଟକଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଶିବରାତ୍ରିରେ ୨ ସିଫ୍ଟ୍‌ରେ ୨୫ପ୍ଲାଟୁନ୍‍ ପୋଲିସ୍‍ ଦାୟିତ୍ବରେ ରହିବେ। ୫ଜଣ ଆଡିସନାଲ ଏସିପି, ୧୧ଜଣ ଏସିପି, ୧୦୦ଜଣ ବରିଷ୍ଠ ଅଧିକାରୀ ସାମିଲ ହେବେ। ଧାର୍ଯ୍ୟ ସମୟରେ ଯେଭଳି ମହାଦୀପ ଉଠିବ ସେନେଇ ସେବାୟତ ଓ ନିର୍ବାହୀ ଅଧିକାରୀଙ୍କ ସହ ଆଲେଚନା ହୋଇଛି। ଆସନ୍ତାକାଲି ମଧ୍ୟ ଆଲୋଚନା ହେବ। ମହାଦୀପ ଉଠିବା ପରେ ସାଧାରଣତଃ ଭକ୍ତମାନଙ୍କର ଶ୍ରୀଜିଉ ଦର୍ଶନ ପାଇଁ ଆଗ୍ରହ ଥାଏ। ଏଣୁ ମହାଦୀପ ଉଠିବା ସମୟ ଉପରେ ଗୁରୁତ୍ବ ରହିବ। ତା ସହିତ ଏହି ସମୟରେ ପ୍ରବଳ ଭିଡ଼ ହେବ। ଏଣୁ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ଧ୍ୟାନ ଦିଆଯାଇଛି। ମହାଦୀପ ଉଠିବା ପରେ ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପାଇଁ ୧ ଘଣ୍ଟା ସମୟ ଧାର୍ଯ୍ୟ ହୋଇଛି। ଏହି ସମୟରେ ପ୍ରବଳ ଭିଡ଼ ଯୋଗୁଁ ୧ ଘଣ୍ଟା ଭିତରେ ସମସ୍ତ ଭକ୍ତଙ୍କୁ ଦର୍ଶନ କରାଇବା ସମସ୍ୟା ହୋଇପାରେ। ସଂଖ୍ୟା ଅଧିକ ହେଲେ ବା ନୀତି ବିଳମ୍ବ ହେଲେ ସମସ୍ୟା ହୋଇପାରେ। ଏଣୁ ଆସନ୍ତାକାଲି ମଧ୍ୟ ପୁଣି ଥ‌ରେ ସେବାୟତ ଓ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିଲେ ହିଁ ଏହି ନିୟନ୍ତ୍ରଣ ସହଜ ହେବ ଓ ନିର୍ଦ୍ଧାରିତ ସମୟରେ ସମସ୍ତ ଭକ୍ତ ଶୃଙ୍ଖଳିତ ଦର୍ଶନ କରିପାରିବେ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ବ୍ୟାରିକେଡ୍‌ ଦେଇ ଭକ୍ତମାନେ ଯେଭଳି ଯିବେ, ବ୍ୟାରିକେଡ୍‌ ବାହାରେ ଯେଭଳି କୌଣସି ଭକ୍ତଙ୍କୁ ସୁଯୋଗ ଦିଆଯିବ ନାହିଁ ତାହା ଉପରେ ପୁଲିସର ନଜର ରହିବ। ମନ୍ଦିର ଭିତରେ ଓ ବାହାରେ ଲାଗିଥିବା ୩୨ଟି ସିସି କ୍ୟାମେରା ଭକ୍ତ ଓ ଅପରାଧିଙ୍କ ଉପରେ ନଜର ରଖିବ। ଏହି କ୍ୟାମେରାରୁ ଆସୁଥିବା ଭିଜୁଆଲକୁ ଲଗାତାର ଅନୁଧ୍ୟାନ କରାଯିବ। ଭିଡ଼ ଭିତରେ ସାଦା ପୋଷାକଧାରୀ ଉଭୟ ପୁରୁଷ ଓ ମହିଳା ପୁଲିସ ଭିଡ଼ ନିୟନ୍ତ୍ରଣ କରିବା ସହ ଅପରାଧ ଉପରେ ନଜର ରଖିବେ। ଆଜି ରାତି ୨ଟାରୁ ମନ୍ଦିର ବାହାରୁ ଓ ଭିତରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଡ୍ୟୁଟି ଆରମ୍ଭ କରିଛି।

ସେହିପରି ବାହାରେ ଟ୍ରାଫିକ୍‍ ଓ ଆଇନ୍‍ ଶୃଙ୍ଖଳା ରକ୍ଷା ଦିଗରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଯାନବାହନ ଯାତାୟାତ ଉପରେ କଟକଣା କରାଯାଇଥିବା ବେଳେ ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ନିର୍ଦ୍ଧାରଣ କରାଯାଇଛି। ବିଏମ୍‍ ହାଇସ୍କୁଲ, ସୁଭଦ୍ରା ମହତାବ ଉଚ୍ଚ ବିଦ୍ୟାଳୟ ଓ ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟ ପରିସର ଓ ଗଙ୍ଗାଯମୁନା ନିକଟରେ ଯାନବାହନ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ସବୁ ଜାଗା ପୂର୍ଣ୍ଣ ହୋଇଗଲେ ବାହାରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ। ଭକ୍ତମାନେ ଯେଭଳି ଦୂରରେ ଗାଡ଼ି ରଖି ଅଧିକ ବାଟ ନ ଚାଲିବେ ସେଥିପାଇଁ ମଧ୍ୟ ଗୁରୁତ୍ବାରୋପ କରାଯାଇଛି ବୋଲି କମିସନର ଶ୍ରୀ ମହାନ୍ତି କହିଛନ୍ତି।

publive-image

ପତାକା ବାନ୍ଧିଲେ ୨୫୦
ମହାଶିବରାତ୍ରିରେ ବହୁ ଭକ୍ତ ମନ୍ଦିର ଚୂଡାରେ ପତାକା ବାନ୍ଧିବେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଚଳିତ ବର୍ଷ ୨୫୦ ଟଙ୍କା ଦେୟ ନିର୍ଧାରିତ କରିଛି। ଶଦ୍ଧାଳୁମାନେ ପତାକା ଚଢ଼ାଇବାକୁ ଚାହୁଁଥିଲେ ମନ୍ଦିର କାର୍ଯ୍ୟାଳୟରେ ପାଉଣା ଦେଇ ପତାକା ଦାଖଲ କରିବେ। କୌଣସି ଅପରିଚିତ ବ୍ୟକ୍ତିଙ୍କୁ ପତାକା ଦେଲେ ତାହା ଠିକଣା ସ୍ଥାନରେ ପହଞ୍ଚିପାରିବ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟ ପଟେ ସୂତା ଓ ନାଲି ରଙ୍ଗର ପତାକା ଦେବାକୁ ସମର୍ଥା ସେବାୟତମାନେ ଅନୁରୋଧ କରିଛନ୍ତି।

ଚିନ୍ତା ବଢ଼ାଇପାରେ ଷଣ୍ଢ
ଏଠାରେ ଜାଗର ଉପ‌ଲକ୍ଷେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବା ବେଳେ ଷଣ୍ଢ ଯେ ଚିନ୍ତା ନ‌ବଢ଼େଇବ କହିହେବ ନାହିଁ। ବିଏମ୍‌ସି ପକ୍ଷରୁ ରାତି ଅଧିଆ ଷଣ୍ଢ ଧରା ଅଭିଯାନ ଜାରି ରହିଛି। ଅନେକ ଷଣ୍ଢକୁ ଧରିନେବାରେ ବିଏମ୍‌ସି ସଫଳ ହୋଇଛି। ମାତ୍ର ଆହୁରି ଅନେକ ରହି ଯାଇଛନ୍ତି। ରଥ କାଳେସୀ ନୃସିଂହ ଖୁଣ୍ଟିଆ ଓ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ପତିଙ୍କ କହିବା ମୁତାବକ, ପ୍ରତିଦିନ ଏଠି ଷଣ୍ଢଙ୍କ ଉତ୍ପାତ ଯୋଗୁଁ ଅନେକ ଶ୍ରଦ୍ଧାଳୁ, ବ୍ୟବସାୟୀ ଆହତ ହେଉଛନ୍ତି। ତେଣୁ ଜାଗର ବେଳେ ବହୁ ଭକ୍ତଙ୍କ ଭିଡ଼ ଭିତରେ ଷଣ୍ଢଙ୍କ ଦୌରାତ୍ମ୍ୟ ନାକେଦମ କରିବ ବୋଲି ସେମାନେ କହିଛନ୍ତି।

କେତକୀ ୩ଶହ
ଶିବରାତ୍ରିରେ ପ୍ରଭୁ ଯୋଗୀ ବେଶ ଧାରଣ କରନ୍ତି। ତେଣୁ ଏହି ଦିନ ଶିବଙ୍କୁ କେତକୀ ଫୁଲ ଅର୍ପଣ କଲେ କୋଟି ଜନ୍ମର ପୁଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। କେବଳ ଶିବଙ୍କ ମସ୍ତକରେ ଧାରଣ ପାଇଁ କେତକୀ ମଧ୍ୟ କେବଳ ଫୁଲ ‌ରୂପରେ ଜନ୍ମ ନେଇଥିବା ‌କଥା ଉଲ୍ଲେଖ ରହିଛି। ଏହି ବିଶ୍ବାସକୁ ଆଧାର କରି ବାଲୁଗାଁ ଏବଂ ଅନ୍ୟସ୍ଥାନରୁ କେତକୀ ଓ କିଆ ନେଇ ବହୁ ବେପାରୀ ଆଜିଠୁ ମନ୍ଦିର ଚାରିପାଖରେ ପସରା ଖୋଲିଦେଇଛନ୍ତି। ବାସ୍ତବରେ କେତକୀ ଫୁଲ ଏତେଟା ମିଳୁନଥିବାରୁ ଆଜିଠୁ କେତେକ ଭକ୍ତ କିଣି ନେଉଥିବା ଦେଖିବାକୁ ମିଳିଛି। କିଆ ଦେଢ଼ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାସ୍ତବ କେତକୀ ଫୁଲ ୨ଶହରୁ ୩ ଶହ ଟଙ୍କାରେ ମୂଲଚାଲ କରି ଶ୍ରଦ୍ଧାଳୁ କିଣି ନେଇଛନ୍ତି।

ଲାଗିଲା ଚାନ୍ଦୁଆ
ମନ୍ଦିର ଗର୍ଭଗୃହରେ ବିସ୍ତୃତ ଚାନ୍ଦୁଆ ବନ୍ଧାଯାଇଛି। ୨୨ଫୁଟ୍ ଚଡ଼ଡା ୨୨ଫୁଟ୍ ଲମ୍ୱ ବିଶିଷ୍ଟ ଏହି ଚାନ୍ଦୁଆକୁ ଜଣେ ଭକ୍ତ ଦାନ କରିଛନ୍ତି। ମନ୍ଦିର ପ୍ରଶାସନ ସହଯୋଗରେ ଏଏସ୍ଆଇ ପକ୍ଷରୁ ଏହାକୁ ଲଗାଯାଇଛି। ସେହିପରି ଗର୍ଭଗୃହକୁ ଏଏସ୍ଆଇ ପକ୍ଷରୁ ରଙ୍ଗ କରାଯାଇଛି।

ମହାଦୀପ ନେବେ ୫ସମର୍ଥା
ମହାଶିବରାତ୍ରିରେ ମହାଦୀପ ଦର୍ଶନକୁ ଶ୍ରଦ୍ଧାଳୁ ଚାହିଁ ରହୁଥିବା ବେଳେ ଏହାକୁ ୫ଜଣ ସମର୍ଥା ସେବାୟତ ନେବେ ବୋଲି ସମର୍ଥା ନିଯୋଗ ପକ୍ଷରୁ କୁହାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇ ଜଣ ଯିବା ପାଇଁ କୁହାଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୫ଜଣ ମନ୍ଦିର ଚୂଡ଼ାକୁ ଯିବେ ବୋଲି କୁହାଯାଇଛି ।