ଭୁବନେଶ୍ୱର: ପିଠା ପାଇଁ ଯୋଗାଡ଼ଯନ୍ତ୍ର ସରିଛି। ଟାଣ କରି ଦୋଳି ବନ୍ଧା ହୋଇଛି। ଝିଅ-ବୋହୂଙ୍କ ହାତରେ ମେହେନ୍ଦି ରଙ୍ଗ ଝଟଝଟ ଦିଶୁଛି। ନୂଆ ପୋଷାକକୁ ନିଜ ମାପରେ ସିଲେଇ ଦୋକାନରୁ ଆଣି ଘରେ ସାଇତା ବି ହୋଇଛି। ଆସନ୍ତାକାଲି ପହିଲି ରଜ ପାଇଁ ପୂରା ରାଜଧା‌ନୀ ଆଜି ଚଳଚଞ୍ଚଳ ହୋଇଉଠିଥିଲା। ବର୍ଷା ସତ୍ତ୍ୱେ  ରାଜଧାନୀର ପ୍ରମୁଖ ମାର୍କେଟ୍‌ଗୁଡ଼ିକରେ ଗହଳି ଜମିଥିଲା। କିଏ ନିଜ ପୋଷାକ ରଙ୍ଗର ଚୁଡ଼ି, କାନଫୁଲ କିଣି ନେଉଥିଲା ତ’ କିଏ ପିଠା ପାଇଁ ନଡ଼ିଆ, ଗୁଜରାତି। ପାର୍ଲର୍‌ରେ ବି ଝିଅଙ୍କ ଲମ୍ବା ଧାଡ଼ି ଲାଗିଥିଲା, ମେହେନ୍ଦି ଆର୍ଟିଷ୍ଟ୍‌ଙ୍କୁ ଫୁରସତ୍‌ ନଥିଲା। ମାର୍କେଟ୍‌ବିଲଡିଂ ସମେତ ସହରର ବିଭିନ୍ନ ମଲ୍‌ ଆଗରେ ମେହେନ୍ଦି ଆର୍ଟିଷ୍ଟଙ୍କ ନିକଟରେ ଭିଡ଼ ଜମିଥିଲା। ଏବେ ଯୁବପିଢ଼ିଙ୍କୁ ପାନ ଆଡ଼କୁ ଆକର୍ଷିତ କରିବାକୁ ରାଜଧାନୀର ଗଳିକନ୍ଦିରେ ‘ଆଇସ୍‌ ପାନ’, ‘ଫାୟାର ପାନ’, ‘ଦିଲ୍‌ ବାହାର‌୍‌’, ‘ଦିଲ୍‌ ଦିଵାନା’, ‘ଦିଲ୍‌ଵାଲା’ ଭଳି ପାନ ଉପଲବଧ ହେଲାଣି। ପାନର ମାନ ଓ ମସଲା ଅନୁସାରେ ଗୋଟାକୁ ୨୫ ଟଙ୍କାରୁ ଆରମ୍ଭ ହୋଇ ଛଅ ଶହ ପର୍ଯ୍ୟନ୍ତ ରହିଛି। 

Advertisment

ସୋମବାର ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ
ରଜ ଉତ୍ସବ ପାଇଁ ରାଜ୍ୟ ସଂଗ୍ରହାଳୟରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଜ ପାଇଁ ଦୋଳିଠାରୁ ଆରମ୍ଭ କରି ଖାଦ୍ୟପେୟ, ପାନ ଆଦିର ଷ୍ଟଲ୍‌ ରହିବ। ସେହିପରି ରଜ ପାଇଁ ତିନି ଦିନ ବିନା ଦେୟରେ ସଂଗ୍ରହାଳୟ ବୁଲି ପାରିବେ ରାଜଧାନୀବାସୀ। ସେହିପରି ପ୍ଲାନେଟାରିୟମ, ପାନ୍ଥନିବାସଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ  ରଜ ମହୋତ୍ସବରେ ମଧ୍ୟ ଆସନ୍ତାକାଲି ଭିଡ଼ ପରିଲକ୍ଷିତ ହେବ। ସେହିପରି ପାତ୍ରପଡ଼ା, ସହିଦନଗର, ନୂଆପଲ୍ଲୀ ଆଜି ଅଞ୍ଚଳରେ ରଜ ପାଳନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି।