ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଭୁବନେଶ୍ୱର ଜୋନ୍‌ରେ ପ୍ରସ୍ତୁତି ଶେଷ ହୋଇଛି। ପୁରୀ, ଖୋର୍ଧା ଏବଂ ନୟାଗଡ଼ ଜିଲ୍ଲାକୁ ନେଇ ଗଠିତ ଭୁବନେଶ୍ୱର ଜୋନ୍‌ରେ ରେଗୁଲାରରେ ୬୭,୩୯୦ ଓ ଏକ୍ସ-ରେଗୁଲାରରେ ୩୦୭୫ ଏହିପରି ମୋଟ ୭୦,୪୬୫ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ୩ଟି ଯାକ ଜିଲ୍ଲାରେ ୩୧୫ଟି ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା ପରିଚାଳନା ଲାଗି ୨୯ଟି ହବ୍‌ କରାଯାଇଥିବା ବେଳେ ୯୩୧ଟି ହାଇସ୍କୁଲର ଛାତ୍ରଛାତ୍ରୀ ଏଥର ପରୀକ୍ଷାରେ ଅଂଶଗ୍ରହଣ କରିବେ। ଖୋର୍ଧା ଜିଲ୍ଲାରେ ୩୪୦ଟି ହାଇସ୍କୁଲର ୩୦,୨୧୧ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବେ। ରେଗୁଲାରରେ ୨୮,୮୨୧ ପରୀକ୍ଷାର୍ଥୀ ଥିବା ବେଳେ ଏକ୍ସ-ରେଗୁଲାରରେ ୧୩୯୦ ଜଣ ରହିଛନ୍ତି। ଏଥିପାଇଁ ଜିଲ୍ଲାରେ ୧୨୪ଟି ପରୀକ୍ଷା କେନ୍ଦ୍ର ଓ ୧୨ଟି ନୋଡାଲ ସେଣ୍ଟର ହୋଇଛି। ପୁରୀ ଜିଲ୍ଲାରେ ୧୧୫ଟି ପରୀକ୍ଷା କେନ୍ଦ୍ରରେ ୩୫୬ ହାଇସ୍କୁଲର ୨୫,୪୬୭ ପରୀକ୍ଷାର୍ଥୀ ରହିଛନ୍ତି। ରେଗୁଲାରରେ ୨୪,୧୯୯ ଓ ଏକ୍ସ-ରେଗୁଲାରରେ ୧୨୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା ପରିଚାଳନା ଲାଗି ୧୨ଟି ନୋଡାଲ ସେଣ୍ଟର ହୋଇଛି। ନୟାଗଡ଼ ଜିଲ୍ଲାରେ ୭୬ଟି ପରୀକ୍ଷା କେନ୍ଦ୍ରରେ ୧୪,୭୮୭ ପରୀକ୍ଷାର୍ଥୀ ରହିଛନ୍ତି। ୧୪,୩୭୦ ଜଣ ରେଗୁଲାର ଏବଂ ୪୧୭ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୫ଟି ନୋଡାଲ ସେଣ୍ଟର ହୋଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଲାଗି ପୁରୀରେ ୭, ଖୋର୍ଧାରେ ୪ ଓ ନୟାଗଡ଼ରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଛି। ଉକ୍ତ ତିନି ଜିଲ୍ଲାରୁ ୨,୦୬୩ ପରୀକ୍ଷାର୍ଥୀ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଦେବେ। ମଧ୍ୟମା ପରୀକ୍ଷା ଲାଗି ପୁରୀରେ ୪ଟି କେନ୍ଦ୍ର ହୋଇଛି। ଏହି କେନ୍ଦ୍ରଗୁଡ଼ିରେ ମୋଟ ୧୨୭ ଜଣ ପରୀକ୍ଷାର୍ଥୀ ରହିଛନ୍ତି।

Advertisment

ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲା ପ୍ରଶ୍ନପତ୍ର
ଶୁକ୍ରବାର ପରୀକ୍ଷା ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ଗାଡ଼ିରେ ଦୁଇ ଜଣ ପୁଲିସ କର୍ମଚାରୀ ଏବଂ ନୋଡାଲ ସେଣ୍ଟରର ଦୁଇ ଜଣ ଶିକ୍ଷକ ରହିଥିଲେ। ପରୀକ୍ଷା ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିଛି। ବନ୍ଧୁକଧାରୀ ପୁଲିସ ମୁତୟନ ହୋଇଛନ୍ତି।

କପି ଯାଞ୍ଚ ଲାଗି ୫ସ୍ତରୀୟ ସ୍କ୍ଵାଡ୍‌
କପି ରୋକିବା ଲାଗି ଏଥର ୫ସ୍ତରୀୟ ସ୍କ୍ଵାଡ୍‌ ଗଠନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌ ହୋଇଛି। ଏଥିସହ ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀ ଓ ଅଧ୍ୟାପକଙ୍କୁ ନେଇ ସ୍ୱତନ୍ତ୍ର ସ୍କ୍ଵାଡ୍‌, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ସ୍କ୍ଵାଡ୍‌, ଜିଲ୍ଲାପାଳ, ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ସ୍କ୍ଵାଡ୍‌ ଓ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ଜୋନ୍‌ ପକ୍ଷରୁ ଡେପୁଟି ସଚିବ ଓ ଅଧ୍ୟାପକଙ୍କୁ ନେଇ ଜୋନାଲ୍‌ ସ୍କ୍ଵାଡ୍‌ ଗଠନ ହୋଇଛି। ବିଦ୍ୟାଳୟଗୁଡ଼ିକ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଦୁଇଥର ଯାଞ୍ଚ କରାଯିବ। ବିଦ୍ୟାଳୟଗୁଡ଼ିକ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିବା ଭୁବନେଶ୍ୱର ଜୋନ୍‌ ଉପ ସଚିବ ବିଭୂ ପ୍ରସାଦ ଦାଶ ସୂଚନା ଦେଇଛନ୍ତି।

ପରୀକ୍ଷାର୍ଥୀ ଧ୍ୟାନ ଦିଅନ୍ତୁ

ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ଆଡମିଟ୍‌ କାର୍ଡ ବାଧ୍ୟତାମୂଳକ।
ରୋଲ୍‌ ନମ୍ବର, ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାକୁ ଠିକ୍‌ ଭାବେ ଯାଞ୍ଚ କରିବେ।
ଉତ୍ତର ଖାତା, ପ୍ରଶ୍ନପତ୍ରରେ ନିଜ କିମ୍ବା ବିଦ୍ୟାଳୟ ନାମ ଲେଖିବେନି।
ବିଭାଗଓ୍ଵାରି ପ୍ରଶ୍ନର ଉତ୍ତର ଲେଖିବେ।
ମାର୍ଜିନ୍‌ ଭିତରେ କିଛି ବି ଲେଖିବେ ନାହିଁ।
କଲମ ପରିବର୍ତନ ସମୟରେ ଇନ୍‌ଭିଜିଲେଟରଙ୍କ ଦସ୍ତଖତ ଆବଶ୍ୟକ।

ପରୀକ୍ଷା ସମୟ ସାରଣୀ...

ସକାଳ ୭ଟା- ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ପହଞ୍ଚିବେ।
୮ଟା ୧୫- ପରୀକ୍ଷାର୍ଥୀ ହଲ୍‌ ମଧ୍ୟକୁ ପ୍ରବେଶ କରିବେ।
୮ଟା ୩୦- ଓଏମ୍‌ଆର ସିଟ୍‌ ବଣ୍ଟନ, ପ୍ରଶ୍ନପତ୍ର ଖୋଲାଯିବ, ଆନ୍ତରୀଣ ସ୍କ୍ଵାଡ ଯାଞ୍ଚ।
୮ଟା ୪୫- ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପ୍ରଦାନ।
୯ଟା - ପରୀକ୍ଷା ଆରମ୍ଭ, ସଂକ୍ଷିପ୍ତ ପ୍ରଶ୍ନପତ୍ରର ଉତ୍ତର ଲେଖିବେ।
୧୦ଟା- ପାର୍ଟ-୧ ପରୀକ୍ଷା ଶେଷ, ଓଏମ୍‌ଆର ସିଟ୍‌ ସଂଗ୍ରହ, ପାର୍ଟ-୨ ପରୀକ୍ଷା ଆରମ୍ଭ।
୧୧ଟା ୩୦- ପାର୍ଟ-୨ ପରୀକ୍ଷା ଶେଷ, ଉତ୍ତର ଖାତା ସଂଗ୍ରହ (ଗଣିତ ବିଷୟରେ ଅଧିକ ସମୟ)।