ଆଜି ନନ୍ଦନକାନନର ୬୦ତମ ପ୍ରତିଷ୍ଠା ଦିବସ: କ୍ରମାଗତ ଭାବେ କମୁଛି ବିରଳ ପ୍ରଜାତି ପ୍ରାଣୀଙ୍କ ସଂଖ୍ୟା

ଆଖି ବୁଜିଲା ଏସୀୟ ସିଂହ ପିଚ୍ଛାନ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ବିଦାୟ ନେଲା ୫୯ତମ ବର୍ଷ। ବର୍ଷଟି ଥିଲା ନନ୍ଦନକାନନ ପ୍ରଣୀ ଉଦ୍ୟାନ ପାଇଁ ଦୁଃଖଦ। ଗୋଟି ଗୋଟି ହୋଇ ମରିଗଲେ ଅନେକ ବିରଳ ପ୍ରଜାତିର ପ୍ରାଣୀ। ପ୍ରତିଷ୍ଠା ଦିବସର ପୂର୍ବ ଦିନରେ ବାର୍ଦ୍ଧକ୍ୟରେ ପୀଡ଼ିତ ଥିବା ଏସୀୟ ସିଂହ ପିଚ୍ଛାନ(୨୧) ବି ସବୁଦିନ ପାଇଁ ବିଦାୟ ନେଲା। ପିଚ୍ଛାନ ବାର୍ଦ୍ଧକ୍ୟରେ ପୀଡ଼ିତ ଥିବାରୁ ତାକୁ ସିଂହ ସଫାରୀର ଖାଦ୍ୟ ଗ୍ରହଣ କକ୍ଷରେ ରଖି ଚିକିତ୍ସା କରାଯାଉଥିଲା। ତା’ର ଅଧିକାଂଶ ଦାନ୍ତ ଝଡ଼ିବା ସହିତ ଚର୍ମ ଲୋଚାକୋଚା ହୋଇଯାଇଥିଲା। ତାକୁ ମାଂସ କିମ୍ବା ଅଣ୍ତାକୁ ଭାଙ୍ଗି ଖାଇବାକୁ ଦିଆଯାଉଥିଲା। ଆଣ୍ଟିଟ୍ରେସ ଓ ଭିଟାମିନ୍ ଦେଇ ଚିକିତ୍ସା କରାଯାଉଥିଲା। ଆଜି ଅପରାହ୍‌ଣରେ ସେ ସବୁ ଦିନ ପାଇଁ ଆଖି ବୁଜିଲା। ନନ୍ଦନକାନନରେ ଲାଗାତର ଭାବେ ସିଂହ ମୃତ୍ୟୁ ସାଙ୍ଗକୁ ଜନ୍ମ ଆଦୌ ନଥିବାରୁ ବଂଶ ବୃଦ୍ଧି ଲାଗି ୨୦୧୩ ମସିହା ମାର୍ଚ୍ଚ ୨୩ ତାରିଖରେ ପିଚ୍ଛାନକୁ ମାଈ ସାଥୀ ଶ୍ୟାମା ସହ ଗୁଜୁରାଟର ଜୁନାଗଡ ସ୍ଥିତ ସୁକୁରାବାଗ ଚିଡ଼ିଆଖାନା କର୍ତ୍ତୃପକ୍ଷ ଦାନ ସୂତ୍ରରେ ଦେଇଥିଲେ। ମାତ୍ର ସେମାନେ ମଧ୍ୟ ଏଠାରେ ପ୍ରଜନନ କରିବାକୁ ସକ୍ଷମ ହୋଇ ନଥିଲେ। ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଏସୀୟ ମାଈ ସାଥୀଟି ସହିତ ୨ଟି ଆଫ୍ରିକୀୟ ମାଈ ଓ ୮ଟି ବର୍ଣ୍ଣଶଙ୍କର ବା ହାଇବ୍ରିଡ୍ (୪ ପୁରୁଷ ଓ ୪ ମାଈ)ଙ୍କୁ ମିଶାଇ ମୋଟ ୧୧ଟି ସିଂହ ଅଛନ୍ତି।

ପ୍ରତିଷ୍ଠା ଦିବସରେ ମଧ୍ୟ ବର୍ଷରେ ମରିଥିବା ୨ ସଂହଙ୍କୁ ନେଇ ଚିନ୍ତା ପ୍ରକଟ କରିବେ କର୍ତ୍ତୃପକ୍ଷ। ଏହାଛଡ଼ା ସବୁଠୁ ବଡ ଚର୍ଚ୍ଚାକୁ ଆସିବ ସେପ୍ଟେମ୍ବର ମାସରୁ ଅକ୍ଟୋବର ମାସ ମଧ୍ୟରେ ମାତ୍ର ୨୬ ଦିନ ବ୍ୟବଧାନରେ ହରପେସ୍‌ ଭୂତାଣୁ ସଂକ୍ରମଣରେ କ୍ରମାନୁସାରେ ହାତୀ ଚନ୍ଦନ, ଜୁଲି, କମଳା ଓ ଗୌରୀଙ୍କର ମୃତ୍ୟୁ। ଏହି ବର୍ଷରେ ଲୋପ ପାଇଛି ନୀଳଗିରି ମାଙ୍କଡ଼, ଓରାଙ୍ଗଓଟାନ ବଂଶ, ମରିଛନ୍ତି ୪ ବାଘ ମନୀଷ, ରୋଷନ, କୁସୁମ ଓ ଧଳାକଳା ଲୋମଯୁକ୍ତ ବିରଳ ବାଘ ଶୁଭ୍ରାଂଶୁ। ମରିଛନ୍ତି ଦୁଇ ଧୁସରଗଧିଆ, ଦୁଇ ଗୁଣ୍ତୁଚି ମାଙ୍କଡ଼, ଗୋଟିଏ ତାମରିନ୍ ମାଙ୍କଡ଼, ଦୁଇ ଭାଲୁ, ଗୋଟିଏ ହିମାଳୟ ଭାଲୁ, ଗୋଟିଏ ଗୟଳ ଛୁଆ, ସିମ୍ପାଞ୍ଜି ଛୁଆ ଜନ୍, ଗୋଟିଏ ମଗର କୁମ୍ଭୀର, ୨ଟି ନୀଳଗାଈ, ୨ଟି ସମ୍ବର, ଗୋଟିଏ ମଣିପୁରୀ ହରିଣ, ଗୋଟିଏ ବାରାଶିଙ୍ଗା ହରିଣ ଓ ଗତ ନଭେମ୍ବର ୨୮ ଓ ୩୦ ତାରିଖରେ ୨ଟି ଆନାକୋଣ୍ତାଙ୍କ ସମେତ ବିରଳ ଜୀବଙ୍କର ମୃତ୍ୟୁ ହୋଇଛି। ଯାହା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ମର୍ମାହତ କରିଛି। ଯୋଜନା ମୁତାବକ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ନର୍ମାଣ ହୋଇଥିବା ଧୂସର ଗଧିଆ ଖୁଆଡ଼, ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତାମରିନ୍ ମାଙ୍କଡ଼, ଗୁଣ୍ତୁଚି ମାଙ୍କଡ଼ ଓ କାପୁସିନୋ ମାଙ୍କଡ଼ ଖୁଆଡ଼ ନିର୍ମିତ ହୋଇଛି। ୬୦ତମ ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ପ୍ରଧାନ ବନସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ହରିଶଙ୍କର ଉପାଧ୍ୟାୟ ନବ ନିର୍ମିତ ଖୁଆଡ଼ ୩ଟିକୁ ଉଦ୍‌ଘାଟନ କରିବେ। ଏଥିସହିତ ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ବାଘୁଣୀ ରେଣୁକାର ଜନ୍ମିତ ୨ଟି ଏକ ବର୍ଷ ତିନି ମାସର ବିରଳ କଳା ବାଘଙ୍କୁ ପ୍ରଥମ କରି ପର୍ଯ୍ୟଟକଙ୍କ ସମ୍ମୁଖକୁ ଛଡାଯିବ। ନନ୍ଦନକାନନ ନିର୍ଦ୍ଦେଶକ ଶଶିପଲଙ୍କ ଅଧକ୍ଷ୍ୟତାରେ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି ଉପ ନିର୍ଦ୍ଦେଶକ ଜୟନ୍ତ ଦାସ।

ସମ୍ବନ୍ଧିତ ଖବର