ଆଜିଠୁ ଜାତୀୟ ଡାକ ସାଂସ୍କୃତିକ ସମାରୋହ

ଭୁବନେଶ୍ୱର: ୧୦୧୭-୧୮ ପାଇଁ ଓଡ଼ିଶା ଡାକ ପରିମଣ୍ଡଳ ଆୟୋଜନ କରିବ ଜାତୀୟ ଡାକ ସାଂସ୍କୃତିକ ସମାରୋହ। ତୃତୀୟଥର ଲାଗି ଓଡ଼ିଶାରେ ଏହି ସମାରୋହ ହେବାକୁ ଥିବା ବେଳେ ପ୍ରଥମଥର ଲାଗି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି। ବୁଧବାର(ଆଜି)ଠାରୁ ଆରମ୍ଭ ହେବାକୁ ଥିବା ଏହି ସମାରୋହ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦ଟି ରାଜ୍ୟରୁ ୩୦୦ ପ୍ରତିଯୋଗୀ ୨୯ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ ସମେତ ସ୍ୱଳ୍ପ ସମୟର ଡ୍ରାମା ଏବଂ ବାଦ୍ୟଯନ୍ତ୍ର ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଅଭିଜ୍ଞ ତଥା ବରିଷ୍ଠ ପ୍ରଶାସକମାନେ ପ୍ରତିଯୋଗିତାକୁ ନିରୀକ୍ଷଣ କରି ମୂଲ୍ୟାୟନ କରିବେ।

ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ରାଜ୍ୟପାଳ ଏସ୍‌.ସି. ଜମିର ୩୨ତମ ସର୍ବଭାରତୀୟ ଡାକ ସାଂସ୍କୃତିକ ସମାରୋହକୁ କିଟ୍‌ ବିଶ୍ୱବିଦ୍ୟାଳୟର ୭ ନମ୍ବର କ୍ୟାମ୍ପସରେ ଉଦ୍‌ଘାଟନ କରିବେ। ଏହି ଅବସରରେ ସାଂସ୍କୃତିକ ସମାରୋହର ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହେବ। ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ର ସରକାରଙ୍କ ଡାକ ବିଭାଗ ସଚିବ ଅନନ୍ତ ନାରାୟଣ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି ଓଡ଼ିଶା ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କୁମାର କମିଳା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସମ୍ମିଳନୀରେ ସମ୍ବଲପୁର ପିଏମ୍‌ଜି ଲଳିତେନ୍ଦୁ ପ୍ରଧାନ, ବ୍ରହ୍ମପୁର ପିଏମ୍‌ଜି ଜଳେଶ୍ୱର କଅଁର, ରାଜେନ୍ଦ୍ର ପ୍ରସାଦ ଗୁପ୍ତା, ସ୍ମୃତି ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ଡାକ ଲଫାପାର ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧିତ ଖବର