ଆଜି ଖୋଲିବ ଉତ୍କଳ ବିଶ୍ବବିଦ୍ୟାଳୟ: କ୍ୟାମ୍ପସରେ ବଙ୍ଗାଳୀ ଶ୍ରମିକ, ଓଡ଼ିଆ ଶ୍ରମିକଙ୍କୁ ଛାଡ଼ି ବଙ୍ଗାଳୀ ପ୍ରୀତି କାହିଁକି?

୫ ଦିନ ହେଲା ଆସିଲେଣି, ନମୁନା ପରୀକ୍ଷା ହୋଇନି

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଅଛନ୍ତି ୨୬ ଜଣ ବଙ୍ଗାଳୀ ଶ୍ରମିକ। ୫ ଦିନ ହେଲା ସେମାନେ କ୍ୟାମ୍ପସରେ ରହୁଥିଲେ ମଧ୍ୟ ସେମାନଙ୍କ କୋଭିଡ୍‌-୧୯ ପରୀକ୍ଷା କରାଯାଇ ନାହିଁ। ଦିନକୁ ଦିନ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରେ ଥିବା ଏହି ଶ୍ରମିକଙ୍କୁ ନେଇ କ୍ୟାମ୍ପସରେ ରହୁଥିବା ପ୍ରଫେସର, କର୍ମଚାରୀ, ସୁରକ୍ଷା କର୍ମୀ ଭୟଭୀତ ହୋଇପଡ଼ିଛନ୍ତି। ବୁଧବାରଠାରୁ ବିଶ୍ବବିଦ୍ୟାଳୟ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେବା ପରେ ଚିନ୍ତା ଆହୁରି ବଢ଼ିଛି। ୨୬ ଜଣଙ୍କ ନମୁନା ଏପର୍ଯ୍ୟନ୍ତ ପରୀକ୍ଷା ହୋଇ ନ ଥିବା ବେଳେ ସେମାନଙ୍କର କ୍ୟାମ୍ପସ ରହଣୀକୁ ନେଇ ବିରୋଧର ସ୍ବର ଉଠିଛି।

ସବୁଠାରୁ ବଡ଼ କଥା ହେଲା ଯେ ଆଗରୁ ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଖାମଖିଆଲି ନୀତି ଯୋଗୁଁ କରୋନା ଭୟରେ ୩ଟି ପିଜି ବିଭାଗ ବନ୍ଦ ହୋଇଛି। ଆଇଗିଣିଆରୁ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ମା’ ଉତ୍କଳ ବିଶ୍ବବିଦ୍ୟାଳୟର ଏକ ବିଭାଗରେ ପ୍ରଫେସର ଅଛନ୍ତି। ଉଭୟ ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ। ତେଣୁ କରୋନା ଚିହ୍ନଟ ହେବା ପରେ ଯୁବତୀଙ୍କ ମା’ଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। କାରଣ ଜୁନ୍‌ ୪ ତାରିଖରେ ସମ୍ପୃକ୍ତ ପ୍ରଫେସର ଜଣକ ବିଶ୍ୱବିଦ୍ୟାଳୟକୁ ଆସିଥିଲେ। ଅନ୍ୟ ପ୍ରଫେସରଙ୍କ ସହ ମିଶିଥିଲେ। ତେଣୁ ସମ୍ପୃକ୍ତ ପ୍ରଫେସର ମିଳାମିଶା କରିଥିବା ୩ ବିଭାଗ ଯଥା ଇଂରାଜୀ, ଅର୍ଥନୀତି ଓ ଦର୍ଶନଶାସ୍ତ୍ରକୁ ସିଲ କରାଯିବା ସହ ଉକ୍ତ ବିଭାଗର ଅଧ୍ୟାପକ, ପ୍ରଫେସରଙ୍କୁ ହୋମ୍‌ କ୍ୱାରାଣ୍ଟିନରେ ରହିବାକୁ କୁହାଯାଇଥିଲା। ଏଭଳି ବିପଦ ଟଳି ନ ଥିବା ବେଳେ ବଙ୍ଗାଳୀ ଶ୍ରମିକଙ୍କୁ ନେଇ ଚିନ୍ତା ବଢ଼ିଛି।

କ୍ୟାମ୍ପସରେ କାମ କରୁଥିବା ଠିକା ସଂସ୍ଥା ଏନ୍‌ବିସିସି ଅଧୀନରେ ଏହି ଶ୍ରମିକମାନେ କାମ କରୁଛନ୍ତି। ଗତ ୧୨ ତାରିଖ ରାତିରେ ୨୬ ଜଣ ବଙ୍ଗାଳୀ ଶ୍ରମିକ ଏକ ଟ୍ରେନ୍‌ରେ ସମ୍ବଲପୁରରୁ ଭୁବନେଶ୍ବରକୁ ଆସିଥିଲେ। ରେଳ ଷ୍ଟେସନରେ ଓହ୍ଲାଇବା ‌ପରେ ଏନ୍‌ବିସିସି ପକ୍ଷରୁ ସେମାନଙ୍କୁ ଏକ ସ୍ବତନ୍ତ୍ର ଗାଡ଼ିରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଅଣାଯାଇଥିଲା। ସେତେବେଳେ ଏମାନଙ୍କୁ ବିରୋଧ କରାଯାଇଥିଲା। କ୍ୟାମ୍ପସରେ ପୂରାଇବା ଅନୁମତି ନ ଦେବାକୁ କ୍ୟାମ୍ପସର ଅନ୍ତେବାସୀ ଦାବି କରିଥିଲେ। ତେବେ ୧୩ ତାରିଖରେ ଏମାନଙ୍କ ନମୁନା ପରୀକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ନମୁନା ପରୀକ୍ଷା କରାଯାଇ ନଥିବାରୁ ଅସନ୍ତୋଷ ଦେଖାଦେଇଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୬ ଜଣ ଯାକ ବଙ୍ଗାଳୀ ଶ୍ରମିକ କ୍ୟାମ୍ପସ ଭିତରେ ଥିବା ପ୍ରେକ୍ଷାଳୟରେ ରହିଛନ୍ତି। ଗୋଟିଏ ଘର ଭିତରେ ଏମାନେ ସମ‌ସ୍ତେ ରହୁଛନ୍ତି। ବାହାରେ ଥିବା ଏନ୍‌ବିସିସିର କର୍ମଚାରୀମାନେ ସେମାନଙ୍କୁ ନିୟମିତ ଭାବେ ଖାଇବାକୁ ଦେଉଛନ୍ତି। ଶୁକ୍ରବାର ସେମାନଙ୍କର ନମୁନା ପରୀକ୍ଷା କରାଯାଇପାରେ।

ଅନ୍ୟପକ୍ଷରେ ଏନ୍‌ବିସିସିର ବଙ୍ଗାଳୀ ଶ୍ରମିକ ପ୍ରୀତିକୁ ‌ନେଇ ଭୁବନେଶ୍ବର ଶ୍ରମିକମାନେ ସ୍ବର ଉଠାଇଛନ୍ତି। ସମ୍ପୃକ୍ତ ଠିକା ସଂସ୍ଥା ଓଡ଼ିଶାରେ କାମ କରୁଥିବା ବେଳେ ବଙ୍ଗାଳୀ ଶ୍ରମିକଙ୍କୁ କାହିଁକି ନିୟୋଜିତ କରୁଛି? ଓଡ଼ିଶାରେ କ’ଣ କୁଶଳୀ ଶ୍ରମିକ ନାହାନ୍ତି? କରୋନା ସମୟରେ ଓଡ଼ିଆ ଶ୍ରମିକ କାମ ପାଉନାହାନ୍ତି। ହାତ ବାନ୍ଧି ଘରେ ବସିଛନ୍ତି। ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଗୋଟିଏ ପଟେ ଓଡ଼ିଶାର ଶ୍ରମିକମାନେ ବାହାରକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଅନ୍ୟପଟେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓ ଏନ୍‌ବିସିସିର ଏହି ଶ୍ରମିକ ମାରଣ ନୀତିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଓଡ଼ିଆ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ନିର୍ଦେଶ ଦେବାକୁ ବିଭିନ୍ନ ଶ୍ରମିକ ସଙ୍ଗଠନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର