ରାତି ପାହିଲେ ପଖାଳ ଦିବସ: ଆଜି ପାଳିବେ ଆମିଷପ୍ରିୟ

‌ହୋଟେଲ, ରେସ୍ତୋରାଁ‌ରେ ପ୍ରସ୍ତୁତି ଜୋରଦାର୍‌

ଭୁବନେଶ୍ବର: ଓଡ଼ିଆ ସଂସ୍କୃତି, ପରମ୍ପରା ସହ ପଖାଳ ଓତପ୍ରୋତ ଭାବେ ଜଡ଼ିତ। ଓଡ଼ିଆଙ୍କ ଇଷ୍ଟ କାଳିଆ ସାଆନ୍ତଙ୍କ ପାଖରେ ବି ପଖାଳ ଲାଗି ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ବରେ ଏକମାତ୍ର ଦେବତା ଯିଏ କି ଘିଅ ପଖାଳ ଖାଇ ନିଦ୍ରା ଯାଆନ୍ତି। ତେଣୁ ପଖାଳଖିଆ ଜାତି ଭାବେ ଆମେ ପ୍ରତିଟି ଓଡ଼ିଆ ଗର୍ବ ଅନୁଭବ କରିଥାଉ। ଏହି ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପଖାଳ ଦିବସ ପାଳନ ହୋଇ ଆସୁଛି। ଉକ୍ତ ଦିନ ଓଡ଼ିଶାର ପ୍ରତିଟି ଘରେ, ହୋଟେଲ ଏବଂ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନରେ ନାନା ରକମର ପଖାଳ ସାଙ୍ଗକୁ ଛଅ ଠା… ନଅ ଭଜା… ପ୍ରସ୍ତୁତ ହୋଇଥାଏ। ପଖାଳ କଂସାକୁ ଓଲି ପିଆଜ, ବଡ଼ି ଚୁରା, ଆମ୍ବ ଚଟଣି, ଶାଗ ଭଜା, ମାଛ ଭଜା ଓ ଚିଙ୍ଗୁଡ଼ି ଛେଚା ଦେଖୁ ଦେଖୁ ଲୋକଙ୍କ ମୁହଁରୁ ଆପେ ଲାଳ ବୋହିଆସେ। ତେବେ ଏଥର ପଖାଳ ଦିବସ ସୋମବାର ପଡ଼ୁଥିବାରୁ ଆମିଷପ୍ରିୟ ଲୋକ ଦିନକ ଆଗକୁ ଏହାକୁ ପାଳନ କରିବାକୁ ସଜବାଜ ହୋଇଛନ୍ତି। ରାଜଧାନୀର ଅଧିକାଂଶ ହୋଟେଲ, ରେସ୍ତୋରାଁ ଓ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏନେଇ ପ୍ରସ୍ତୁତି ହୋଇଛି।

ଚିପୁଡ଼ାରୁ ଟଭା ପଖାଳ…

(representational immage)
My Photography ~ Gapu Photography

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଏଥର ପଖାଳକୁ ଏକ ବ୍ରାଣ୍ଡ କରିବାର ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଟିଡିସି ପରିଚାଳିତ ହୋଟେଲ ‘ନିମନ୍ତ୍ରଣ’ରେ ଚଳିତ ବର୍ଷ ବିଭିନ୍ନ ପ୍ରକାରର ପଖାଳ ପ୍ରସ୍ତୁତ ହୋଉଛି। ଚିପୁଡ଼ା ପଖାଳ, ମିଠା (ଗୁଡ଼) ପଖାଳ, ଟଭା ପଖାଳ, ଦହି ପଖାଳ, ମଲ୍ଲୀଫୁଲ ପଖାଳ, ଘିଅ ପଖାଳ… ଏମିତି ଅନେକ ପ୍ରକାର ପଖାଳ। ଏହାସହ ଏହାର ପ୍ରସ୍ତୁତି ପ୍ରଣାଳୀ, ଇତିହାସ ଓ ମହତ୍ବ ସମ୍ପର୍କରେ ସପ୍ତାହେ ହେଲା ଟ୍ବିଟର୍‌ରେ ଏକ ପଖାଳ ଅଭିଯାନ ଚଳାଇଛି ଓଟିଡିସି। ପଖାଳ ଦିବସ ପାଳନ ପାଇଁ ଫୁଡ୍‌ ବ୍ଲଗର୍‌ମାନଙ୍କୁ ମଧ୍ୟ ନିମନ୍ତ୍ରଣ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ସହରିଆମାନେ ନିମନ୍ତ୍ରଣ ରେସ୍ତୋରାଁକୁ ଯାଇ ପଖାଳ ଦିବସ ଦିନ ଓ ଖରା ଦିନେ ବିଭିନ୍ନ ପ୍ରକାର ପାରମ୍ପରିକ ଖା‌ଣ୍ଟି ଓଡ଼ିଆ ପଖାଳର ମଜା ନେଇପାରିବେ।

ପଖାଳ ସାଙ୍ଗକୁ ଶୁଖୁଆ ପୋଡ଼ା

(representational immage) Twitter

ପୁଦିନା ପଖାଳ ସହ ଶୁଖୁଆ ପୋଡ଼ା; ତା’ ସାଙ୍ଗକୁ ବାଇଗଣ ଭରତା, ଟମାଟୋ ପୋଡ଼ା, ଶାଗ ଭଜା। ଖାଣ୍ଟି ଓଡ଼ିଆ ଚାଷୀ ଭାଇର ଖାଦ୍ୟ ଆସନ୍ତାକାଲି ମିଳିବ ଏକାମ୍ର ହାଟସ୍ଥିତ ‘ପେଟପୂଜା ରେସ୍ତୋରାଁ’ରେ। ଛୁଙ୍କ ଦିଆ ପଖାଳ ଆଉ ମସଲା ପଖାଳ ସହ ଚୁନା ମାଛ ଭଜା, ମାଛ ତାୱା ବେଶର ଭଜା, ଚିଙ୍ଗୁଡ଼ି ପୋଡ଼ା, ଛତୁ ପୋଡ଼ା, ଚିକେନ୍‌ ଶାଳପତ୍ର ପୋଡ଼ା ଓ ମଟନ୍‌ କଷା ରହିଛି ବୋଲି ପେଟପୂଜାର ସ୍ବତ୍ବାଧିକାରୀ ପ୍ରକାଶ ବେହେରା କହିଛନ୍ତି। ପୁଣି କଖାରୁ ଫୁଲ ଭଜା, କଲରା ଗୋଟା ମସଲା, ବଡ଼ିଚୁରା ଆଦି ଖାଣ୍ଟି ଓଡ଼ିଆ ବ୍ୟଞ୍ଜନରେ ଆସନ୍ତା ୨ ଦିନ ଏକାମ୍ର ହାଟ ମହକିବ। ଏକାମ୍ର ହାଟସ୍ଥିତ ହୋଟେଲ କାକା ଓ ସୌକିନ ଆଦିରେ ପଖାଳର ବିଭିନ୍ନ ବ୍ୟଞ୍ଜନ ଉପଲବ୍ଧ ହେବ। ସେହିଭଳି ବିଭିନ୍ନ ତାରକା ହୋଟେଲରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି। ହୋଟେଲ ପୁଷ୍ପକରେ ସୋମବାର ଦିନ ‘ପଖାଳ ଉତ୍ସବ-୨୦୨୩’ ଅନୁଷ୍ଠିତ ହେବ। ଦହି ପଖାଳ ସହ ଆଳୁ ଚିପ୍ସ୍‌, ବାଇଗଣ ଚୋଖା, ବଡ଼ି ଚୁରା, ଶାଗ ଭଜା, ଟମାଟୋ ଚଟ୍‌ଣି ଓ ଛତୁ‌ ବେଶର ରାଇର ଦାମ୍‌ ୩୦୦ ଟଙ୍କା ରହିଥିବା ବେଳେ ଏହା ସହ ମାଛ ଭଜା, ଚୁନା ଚିଙ୍ଗୁଡ଼ି ରାଇ ଓ ଚୁନା ମାଛ ରାଇ ଆଦି ଅଲଗାରେ ମଗାଇ ହେବ। ଏହା ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିବ ବୋଲି ହୋଟେଲର ମ୍ୟାନେଜର୍‌ ଅବିନାଶ ଗନ୍ତାୟତ କହିଛନ୍ତି।

ପଖାଳ ସହ ସାହିତ୍ୟ ଆସର

ପଖାଳ ସହ ମାଛ ଭଜା, ଚିଙ୍ଗୁଡ଼ି ଛେଚା, ଚିଙ୍ଗୁଡ଼ି ପକୋଡ଼ା ଓ ମାଛ ବେଶର ଆଦିର ଆଦର ଅନେକ। ମାଛ ଭଜା ବିନା ପଖାଳ କଂସା ଯେମିତି ଅଧା। ଏଣୁ ପଖାଳ ଦିବସ ସୋମବାର ପଡ଼ୁଥିବାରୁ ଏହା ପୂର୍ବ ଦିନ ରବିବାର ଆମିଷ ବାରିରେ ଜମିବ ପଖାଳ ମଜା। ପଖାଳର ଅଧିକ ପ୍ରଚାର ପ୍ରସାର ପାଇଁ ‘ସତ୍ୟନଗର ଲେଡିଜ୍‌ ଫୋରମ୍‌’ ପକ୍ଷରୁ ଏକାମ୍ର ହାଟଠାରେ ‘ପଖାଳ ଆସର’ ଅନୁଷ୍ଠିତ ହେବ ବୋଲି ଫୋରମ୍‌ର ସମ୍ପାଦିକା ଅନୁରାଧା ଦାଶ କହିଛନ୍ତି। ୨୦ ତାରିଖ ସୋମବାର ଦିନ ମଧ୍ୟ ଅନେକ ଅନୁଷ୍ଠାନ ପଖାଳ ଦିବସ ପାଳିବେ। ‘ଶ୍ରୀଜଗନ୍ନାଥ ସଂସ୍କୃତି ପରି‌ଷଦ’ ପକ୍ଷରୁ ସୋମବାର ଦିନ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସ‌ରରେ ‘ବିଶ୍ବ ପଖାଳ ଦିବସ’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ସମ୍ବନ୍ଧିତ ଖବର