ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀ। ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ, ସମୃଦ୍ଧି ଓ ଦୀର୍ଘଜୀବନ କାମନା କରି ମାଆମାନେ ଷଠୀଦେବୀଙ୍କୁ ପୂଜାର୍ଚ୍ଚନା କରିବେ। ଘରର ଜ୍ୟେଷ୍ଠ ସନ୍ତାନଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ବନ୍ଦାପନା କରାଯିବ। ଓଡ଼ିଆ ପରିବାରର ଏହି ବିଶେଷ ବିଧି ବା ପରମ୍ପରା ‘ପଢୁଆଁ ଅଷ୍ଟମୀ’ ଭାବେ ମଧ୍ୟ ଜଣାଶୁଣା। ଏହି ପର୍ବର ଅନ୍ୟ ଏକ ବିଶେଷତ୍ବ ହେଲା ଏଣ୍ଡୁରି ପିଠା। ଏହି ପିଠା ପାଇଁ ହଳଦୀ ପତ୍ରର ବ୍ୟବହାର ହୋଇଥାଏ।

Advertisment

ଏଥିପାଇଁ ଗତ କିଛି ଦିନ ହେଲା ରାଜଧାନୀରେ ହଳଦୀପତ୍ରର ଆସର ଦେଖିବାକୁ ମିଳୁଛି। ୟୁନିଟ୍‌-୧, ୟୁନିଟ୍‌-୪, ଭିଏସ୍‌ଏସ୍‌ନଗର, କୋଚିଲେଇ ହାଟ, ଆଇଡି ମାର୍କେଟ, ରୁଚିକା ମାର୍କେଟ୍‌ ଭଳି ବଡ଼ ବଡ଼ ହାଟ ସମେତ ରାଜଧାନୀର ଗଳିକନ୍ଦିରେ ଥିବା ପରିବା ଦୋକାନରେ ହଳଦୀ ପତ୍ର ବିକ୍ରିବଟା ଚାଲିଛି। ତେବେ ଆଜି ସଂଧ୍ୟାରେ ହଳଦୀପତ୍ର କିଣିବା ପାଇଁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗି ଯାଇଥିଲା। ସବୁ ହାଟରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖାଯାଇଥିଲା। ଏଥିଯୋଗୁଁ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା। ଚାହିଦା ଦେଖି ବେପାରୀମାନେ ବି ଦର ବୃଦ୍ଧି କରିଦେଇଥିଲେ। ଦୁଇ ଦିନ ତଳେ ୧୦ରୁ ୧୫ଟଙ୍କାରେ ବିକ୍ରି ହେଉଥିବା ବିଡ଼ାର ଦର ଆଜି ସଂଧ୍ୟାରେ ୨୫ରୁ ୩୦ଟଙ୍କା ପର୍ଯ୍ୟନ୍ତ ଛୁଇଁ ଯାଇଥିଲା।

କୋଚିଲେଇ ହାଟରେ ଅସ୍ଥାୟୀ ପସରା ଖୋଲିଥିବା ପ୍ରକାଶ ନାୟକ କହିଛନ୍ତି, ଗାଁରେ ଏସବୁ ମାଗଣାରେ ମିଳିଯାଏ। କିନ୍ତୁ ସହରିଆଙ୍କ ପାଇଁ ଏହା ମହରଗ। ଏଣୁ ଅଷ୍ଟମୀ ପୂର୍ବଦିନ ଗାଁରୁ ଏହି ହଳଦୀପତ୍ର ଆଣି ବିକ୍ରି କରି ବେଶ୍‌ ଦୁଇ ପଇସା ରୋଜଗାର ହୁଏ ବୋଲି ସେ କହିଛନ୍ତି। ରାଜଧାନୀକୁ ବିଶେଷକରି କନ୍ଧମାଳ, ପିପିଲି, ନିଆଳି ଓ ନୟାଗଡ଼ରୁ ହଳଦୀପତ୍ର ଆସିଥାଏ। ଅପରପକ୍ଷେ ପ୍ରଥମାଷ୍ଟମୀ ପାଇଁ ଆଜି ପୋଷାକ ବଜାରରେ ମଧ୍ୟ ଅସାମାନ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା। ମାର୍କେଟ୍‌ ବିଲ୍‌ଡିଂ, ଜନପଥରେ ଥିବା ଡ୍ରେସ୍‌ ଦୋକାନ ଓ ବଡ଼ ବଡ଼ ସପିଂ ମଲରେ ଲୋକଙ୍କ ଗହଳି ଜମିଥିଲା।