ଭୁବନେଶ୍ୱର: କିଣାକିଣି ସରିଛି। ସରିଛି ଦୋଳି ବନ୍ଧା। ରାତି ପାହିଲେ ଆରମ୍ଭ ହୋଇଯିବ ସଜବାଜ। ପିଠାପଣାରେ ମହକିବ ଘର। ରଜ ୩ଦିନ ଆମିଷ ବାର ପଡ଼ୁ ନଥିବାରୁ ବୁଧବାର ସଜବାଜରେ ଘରୁ ଆମିଷ ବାସ୍ନା ଚହଟିବ। ଖାସି ମାଂସ ପାଇଁ ଆଜିଠୁ ବରାଦ ଦିଆ ସରିଥିବା ବେଳେ କାଲି ଆମିଷ ଖାଇ ଗୁରୁବାରଠୁ ପିଠା ଖାଇ ରଜ ପାଳିବାକୁ ମନସ୍ଥ କରିଛନ୍ତି ସହରବାସୀ।
ଅଭିନେତ୍ରୀଙ୍କ ରଜ
ଆଈ ହାତ ତିଆରି ପୋଡ଼ ପିଠା ଖାଇବି
ମୋ ପାଇଁ ରଜ ହେଉଛି ପରିବାର ମିଳନର ପର୍ବ। ଏହି ରଜ ଆମ ସାତ ଭଉଣୀଙ୍କୁ ଏକାଠି କରେ। ମୋ ମାମୁ ଘରେ ପ୍ରତିବର୍ଷ ରଜ ପାଳନ କରେ। ସିନେମା କଥା କହିବାକୁ ଗଲେ ମୁଁ ରଜରେ ଇଣ୍ଡଷ୍ଟ୍ରିଠାରୁ ଟିକେ ଦୂରେଇ ରୁହେ। ଆଉ ଏଥର ରଜରେ କୌଣସି ଫିଲ୍ମ ପାଇଁ ସୁଟିଂ ନାହିଁ। ମୋ ଆଈଙ୍କ ଚୁଲି ତିଆରି ପୋଡ଼ପିଠା ମତେ ମାମୁ ଘରକୁ ଟାଣିନିଏ।
-ଅର୍ଚ୍ଚିତା ସାହୁ
ରଜ କୁଇନ୍ ସୋ’ରେ ରଜ ମଉଜ ଉପଭୋଗ କରେ
୪ବର୍ଷ ହେବ ରଜ କୁଇନ୍ ପାଇଁ ବିଚାରକ ହେଉଛି। ଏଥିରେ ପାନ ଭଙ୍ଗାଠାରୁ ଆରମ୍ଭ କରି ପୁଚି ଖେଳ ପର୍ଯ୍ୟନ୍ତ ସବୁ ଜିନିଷକୁ ଏକାସାଙ୍ଗରେ ଉପଭୋଗ କରୁଛି। ସହରରେ ରଜ ହଜିଯାଉଥିବା ବେଳେ ଏହି ସୋ’ ମୋ ରଜ ମଉଜ ଆଶା ପୂରଣ କରୁଛି। ଏଥର ରଜରେ ‘ସାଥୀ ତୁ ଫେରି ଆ’ ପାଇଁ ସୁଟିଂ ଆରମ୍ଭ ହୋଇଯିବ। ସେଥିପାଇଁ ଘର କଥା ଆଉ ମୋ ପିଲା ଦିନର ରଜ କଥା ମନେପଡ଼ିବ।
-ଅନୁଭା ସୌର୍ଯ୍ୟା
୩ ଦିନରେ ୩ଟି ଏଥିନିକ୍ ଡ୍ରେସ୍ ପିନ୍ଧିବି
ଛୋଟବେଳୁ ମାମୁ ଘରେ ହିଁ ରଜ ପାଳେ। ଖାସ୍ କରି ବାଉଁଶ ଦୋଳିରେ ଦୋଳି ଖେଳିବା ମୋର ପସନ୍ଦ। ପିଠା ଭିତରେ କାକରା ଓ ପୋଡ଼ପିଠା ମୋର ପ୍ରଥମ ପସନ୍ଦ। ଗତବର୍ଷ ପ୍ରଥମ ରଜରେ ଢେଙ୍କାନାଳରେ ସିଷ୍ଟର୍ ଶ୍ରୀଦେବୀ ଚଳଚ୍ଚିତ୍ରର ପ୍ରମୋ ହୋଇଥିଲା। ସେଥିପାଇଁ ସେହି ରଜ ମୋ ଜୀବନର ଅଭୁଲା ରଜ। ଏଇ ବର୍ଷ ମୋ ପାଇଁ ତିନି ଦିନରେ ତିନୋଟି ଏଥିନିକ୍ ଡ୍ରେସ୍ ତିଆରି କରିଛି।
-ଶିବାନୀ ସଂଗୀତା
ବ୍ୟସ୍ତତାରେ କଟିବ
ଆମ ଆପାର୍ଟମେଣ୍ଟରେ ରଜ ପର୍ବକୁ ନିଆରା ଢଙ୍ଗରେ ପାଳନ କରୁ। ‘ନାୟକର ନାଁ ଦେବଦାସ’ର ସୁଟିଂ ଆରମ୍ଭ ହୋଇଯିବ। ସେଥିପାଇଁ ଏବର୍ଷ ଘରେ ରଜ ପାଳି ପାରିବିନି। ଦୁଇ ବର୍ଷ ତଳେ ଏଇ ରଜ ଦିନ ଯେତେବେଳେ ମୁଁ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲି ସେହି ଦିନକୁ ମୁଁ କେବେ ଭୁଲି ପାରିବିନି।