ସରିଲା ଗୋଲାପ ଦିଆନିଆ, ଆଜି କହିବେ ମନର କଥା

ଫୁଲ ଦୋକାନୀ ନିରାଶ

ଭୁବନେଶ୍ବର: ଗୋଲାପ। କେବେ ଅବୁଝା ‌ପ୍ରେମିକାକୁ ମନେଇବାରେ ସାହାଯ୍ୟ କ‌ରେ ତ’ ଆଉ କେବେ ନୂଆ ଏକ ବନ୍ଧୁତ୍ବର ମୂଳଦୁଆ ପକାଏ। କେବେ ଶାନ୍ତିର ପ୍ରତୀକ ତ’ କେବେ ଶୁଭେଚ୍ଛା ବାର୍ତ୍ତା। ହେଲେ ଆଜି ଗୋଲାପ କିଛି ଖାସ୍‌ ଥିଲା। ‘ଭାଲେଣ୍ଟାଇନ୍‌ ୱିକ୍‌’ ବା ପ୍ରେମ ସପ୍ତାହର ପ୍ରଥମ ଦିନ ଭାବେ ‘ଗୋଲାପ ଦିବସ’ ଆଜି ସହରର ଫୁଲ ବଜାରକୁ ଚଳଚଞ୍ଚଳ କରି ଦେଇଥିଲା। ଯୁବପିଢ଼ି ବି ବେଶ୍‌ ଉତ୍ସାହିତ ଥିଲେ। କିଏ ନିଜ ପ୍ରେମିକ/ପ୍ରେମିକାକୁ ଗୋଲାପଟିଏ ଦେଇ ନିଜ ପ୍ରେମର ଗଭୀରତାକୁ ଦେଖାଉଥିଲେ ତ’ ଆଉ କିଏ ଗୋଲାପଟିଏ ଦେଇ ବନ୍ଧୁତ୍ବ ଓ ପ୍ରେମ ସମ୍ପର୍କର ବୁନିଆଦି ‌ପକାଇଥିଲେ। ହ୍ବାଟସ୍‌ ଆପ୍‌, ଫେସ୍‌ବୁକ୍‌ ଆଦି ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଥିଲା। ଫୁଲ ବଜାରରେ ଗତ ଦିନଗୁଡ଼ିକ ଅପେକ୍ଷା ଆଜି ଟିକେ ଭିଡ଼ ଥିଲେ ବି ଆଗଭଳି ବେପାର ହେଉ ନଥିବାରୁ ବେପାରୀ ନିରାଶ ଥିଲେ। ମୋଟ୍‌ ଉପରେ ଆଜି ପ୍ରେମ ସପ୍ତାହର ପ୍ରଥମ ଦିନରେ କଲେଜଠାରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ, ଫୁଲ ଦୋକାନଠାରୁ ଆରମ୍ଭ କରି ‌ସିନେମା ହଲ୍‌ ପର୍ଯ୍ୟନ୍ତ ସବୁଠି ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା।

ଆଜି ପ୍ରପୋଜ୍‌ ଡେ’
ସରିଛି ଗୋଲାପ ଦିଆନିଆ। ଏବେ ପ୍ରେମ ନିବେଦନର ପାଳି। ନିଜ ପ୍ରେମକୁ ଶବ୍ଦରେ ବୟାନ କରିପାରୁନଥିବା ଅନେକ ପ୍ରେମିକ/ପ୍ରେମିକା ଆଜିର ଦିନର ମଉକାକୁ ଉପଯୋଗ କରିଥାଆନ୍ତି। ଯେମିତି ଏହି ଦିନଟିକୁ ବହୁ ଉତ୍କଣ୍ଠାରେ ଅପେକ୍ଷା କରିଥାଆନ୍ତି। ନୂଆ ନୂଆ ପ୍ରେମ କରୁଥିବା ପ୍ରେମୀଯୁଗଳଙ୍କ ପାଇଁ ଏହା ଯେମିତି ଏକ ଖାସ୍‌ ଉତ୍ସବ ପାଲଟିଯାଏ। କେଇ ବର୍ଷ ହେବ, ପ୍ରେମ ସପ୍ତାହର ଧାରା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ପ୍ରେମ ନିବଦେନ କରିବେ ଅନେକ। ସୋସିଆଲ୍‌ ମିଡିଆ ଯୁଗ ଚାଲିଥିବାରୁ କେହିକେହି ପରୋକ୍ଷରେ ହେଉ ଅବା ଥଟ୍ଟାମଜାରେ ନିଜ ‌ପ୍ରେମର ପରିପ୍ରକାଶ କରିବେ। ଆସନ୍ତାକାଲିର ଦିନକୁ ସ୍ମରଣୀୟ ରଖିବା ପାଇଁ ଅନେକ ପ୍ରେମୀଯୁଗଳ ପାର୍କ, ରେସ୍ତୋରାଁ ଓ ସିନେମା ହଲ୍‌ରେ ଭିଡ଼ ଜମିବ।

?

ଫୁଲ ଦୋକାନୀ ନିରାଶ
ଗୋଲାପ ଦିଆନିଆରୁ ପ୍ରେମର ଆରମ୍ଭ ହୁଏ। କିଛି ନ କହି ବି ଗୋଲାପଟିଏ ପ୍ରେମିକ/ପ୍ରେମିକାର ମନ କଥାକୁ ଖୋଲି ଦିଏ। ସେଥିପାଇଁ କୁହାଯାଏ ପ୍ରେମ ଓ ଗୋଲାପ ଓତପ୍ରୋତ ଭାବେ ଜଡ଼ିତ। କିନ୍ତୁ ଏବେ ପ୍ରେମର ପରିଭାଷା ବଦଳିବା ସହ ଗୋଲାପ ଦିଆନିଆ ବି ପୁରୁଣା କାଳିଆ ହୋଇଗଲାଣି। ମନର କଥା କହିବାକୁ ଆଗ ଭଳି ଆଉ ଗୋଲାପ ଲୋଡ଼ା ପଡ଼ୁନି। ସେଥିପାଇଁ ବୋ‌ଧେ ଗୋଲାପ ବେପାର ଏବେ ଆଉ ଭଲ ଜମୁନି। ସୂର୍ଯ୍ୟନଗରସ୍ଥିତ ବାବା ପଞ୍ଚଲିଙ୍ଗେଶ୍ବର ଫ୍ଲୋରିଷ୍ଟ୍‌ ସପ୍‌ର ସ୍ବତ୍ବାଧିକାରୀ ସୂର୍ଯ୍ୟକାନ୍ତ ସ୍ବାଇଁ କୁହନ୍ତି, ୧୦/୧୨ ବର୍ଷ ତଳେ ଗୋଲାପ ଦିବସରେ ୨୦୦ରୁ ୩୦୦ ବଣ୍ଡଲ ଗୋଲାପ ବିକ୍ରି ‌ହେଉଥିଲା। ଗୋଟିଏ ବଣ୍ଡଲରେ ୨୦ଟି ଗୋଲାପ ରହୁଥିଲା। ସେ ସମୟରେ ଦିନ ୧୨ଟା ସୁଦ୍ଧା ସହରର ସବୁ ଗୋଲାପ ସରି ଆହୁରି ଲୋଡ଼ା ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ୧୦୦ ବଣ୍ଡଲ ଗୋଲାପ ବିକ୍ରି ହେବା ବି କଷ୍ଟ ହୋଇପଡ଼ୁଛି। ଯଦିଓ ଗୋଲାପର ଚାହିଦା କେବେ କମେନି କିନ୍ତୁ ଗୋଲାପ ଦିବସରେ ଆଗ ଭଳି ଆଉ ବେପାର ହେଉନି। ବଜରଙ୍ଗ ଦଳର ଭୟ ମଧ୍ୟ ଏଥିରେ କିଛିଟା ଦାୟୀ। ବର୍ତ୍ତମାନ ବଜାରକୁ ବେଙ୍ଗାଲୁରୁ ଓ କୋଲକାତା ଗୋଲାପ ଆସିଛି। କୋଲକାତା ଗୋଲାପର ଦାମ୍‌ ୫/୧୦ ଟଙ୍କା ଥିବା ବେଳେ ‌ବେଙ୍ଗାଲୁରୁ ଗୋଲାପର ଦାମ୍‌ ୨୦ ଟଙ୍କା ରହିଥିଲା।

ସମ୍ବନ୍ଧିତ ଖବର