ଭୁବନେଶ୍ବର, ୧୨/୬ (ଇମିସ): ରଜ ଦୋଳି କୁଆଁରୀଙ୍କୁ ହାତ ଠାରି ଡାକିଲାଣି। ପାନର ଲାଲ୍ ରଙ୍ଗ କୁଆଁରୀ ଦେହରେ ରଙ୍ଗ ମାଖିଲାଣି। ବଜାର ଗହଳି, ରଜ ଆଉ ଅଳ୍ପ ଦିନ ବୋଲି ଘୋଷଣା କଲାଣି। ଘରେ ଘରେ ଉତ୍ସାହର ସ୍ବର ଗୁଞ୍ଜରିତ ହୋଇଥିବା ବେଳେ ପାର୍ଲର୍ଠାରୁ ମେହେନ୍ଦି ଆର୍ଟିଷ୍ଟ୍ ଗ୍ରାହକକୁ ଅପେକ୍ଷା କରି ବସିଛନ୍ତି। ଭାଉଣୀ ପାଇଁ ଭାଇଟିଏ ଦୋଳି ବାନ୍ଧିବାକୁ ସଜ ହେଲାଣି। ଲିଚୁ, ଜାମୁ, ଆମ୍ବ ଓ ପଣସ ଆଦି ଫଳ ବାପା ଆଣି ଝିଅ ପାଇଁ ସାଇତିଛନ୍ତି। ମା’ମାନେ ପୋଡ଼ ପିଠା, ଚକୁଳି, କରଞ୍ଜି, କାକରା ଓ ଆରିସା ଭଳି ଭଳିକି ଭଳି ପିଠା ପାଇଁ ଯୋଗାଡ଼ ଆରମ୍ଭ କରିଛନ୍ତି। ରାତି ପାହିଲେ ରଜ ସଜବାଜ ଥିବାରୁ ଘରେ ଘରେ ଏହି ଗଣପର୍ବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏଥର ଧୂଆଁ ଧୂଆଁ ‘ସ୍ମୋକ୍ ପାନ’
ରଜରେ କ’ଣ ଲିପ୍ଷ୍ଟିକ୍ରେ କୁଆଁରୀ ଓଠ ଲାଲ୍ ହେବ? ନା ନା ସେମିତି କେମିତି। ପାନର ଲାଲିମା କୁଆଁରୀ ଓଠକୁ ରକ୍ତିମ କରିବ। ଖାସ୍ ସେଥିପାଇଁ ବେପାରୀମାନେ ପାନ, ଗୁଆଠୁ ଆଣି ଭଳିଭଳିକି ମସଲା ଦୋକାନରେ ସଜାଇଲେଣି। ଆସନ୍ତାକାଲି ରଜ ସଜବାଜ ହୋଇଥିବାରୁ ଆରମ୍ଭ ହୋଇଯିବ ପାନ ପସରା। ରଜରେ ପାନ ବେପାର, ବିଶେଷ କରି ମିଠା ପାନର ଚାହିଦା ବଢ଼ିଥାଏ। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବ୍ୟବସାୟୀମାନେ ରଜରେ ବିଭିନ୍ନ ରକମର ପାନ ପ୍ରସ୍ତୁତ କରନ୍ତି। ବନ୍ଧୁ ପରିଜନଙ୍କୁ ଉପହାର ଦେବାକୁ ପାନର ଗିଫ୍ଟ ପ୍ୟାକିଂ ମଧ୍ୟ ଆସିଲାଣି। ସେତିକି ନୁହେଁ, ରଜ ପାଇଁ ଅନ୍ଲାଇନ୍ ବଜାରରେ ମଧ୍ୟ ପାନ ଉପଲବ୍ଧ ହେଲାଣି। ଚଳିତ ବର୍ଷ ମାର୍କେଟକୁ ଆସିଛି ସ୍ମୋକ୍ ପାନ। ତନ୍ଦୁରି ଚା’ ପରେ ରାଜଧାନୀବାସୀ ଧୂଆଁଳିଆ ବା ସ୍ମୋକି ଫ୍ଲେବର୍ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଥିବା ବେଳେ ରାଜଧାନୀକୁ ନୂଆ କରି ଏଥର ଆସିଛି ‘ସ୍ମୋକ୍ ପାନ’। ସହିଦନଗରସ୍ଥିତ ବନାରସୀ ପାନ ଭଣ୍ଡାରର ସ୍ବତ୍ତ୍ବାଧିକାରୀ ରମାକାନ୍ତ ସେନାପତି କହିଛନ୍ତି, ପାନରେ ଚୂନ ଲଗାଇ, ଏଥିରେ ଖଟା, ମୁଖବାସ, ଚମନ୍ବାହାର୍, ତରୁଣବାହାର୍, ପାନ ରସ୍ନା, ପାନମଧୁରୀ, ସଲ୍ଟେଡ୍ ଧନିଆ, ଗୁଲ୍କୁନ୍ଦ, ମିକ୍ସଚର୍, ରିମ୍ଝିମ୍, ପାନ ସୁପାରି, ସୁଣ୍ଠି, ଜାଇଫଳ, ପିପର୍ମିଣ୍ଟ୍, ମୁଲେଠି, ଚେରି ଓ ତୁଟିଫୁଟି ଆଦି ଦେଇ ତିନିକୋଣିଆ ଆକାରର ଭଙ୍ଗାଯାଇ, ତା’ ଉପରେ ଚେରି ଦେଇ ଏକ କାଠିରେ ସେଟ୍ କରିଦିଆଯାଏ। ତା’ ପରେ ଏହା ଉପରେ ‘ଇଡେବୁଲ୍ ଲିକ୍ୟୁଇଡ୍ ନାଇଟ୍ରୋଜେନ’ ବୋଲି ଏକ ତରଳ ପଦାର୍ଥ ଢଳାଯାଏ। ଏହି ତରଳ ପଦାର୍ଥ ପଡ଼ୁପଡ଼ୁ ପାନରୁ ଧୂଆଁ ବାହାରିବା ଆରମ୍ଭ ହୋଇଯାଏ। ଏହି ଧୂଆଁ ବାହାରୁଥିବା ସମୟରେ ହିଁ ସ୍ମୋକ୍ ପାନକୁ ଗ୍ରାହକଙ୍କ ପାଟିକୁ ବଢ଼ାଇ ଦିଅନ୍ତି ବ୍ୟବସାୟୀ। ଏହା ଏକ ଗ୍ରାହକଙ୍କୁ ଖଟା, ମିଠାର ସ୍ବାଦ ଦେବା ସହ ଧୂଆଁଳିଆ ଫ୍ଲେବର୍ ଦିଏ।
ଗଳି ଗଳିରେ ପ୍ଲାଷ୍ଟିକ୍ ଦୋଳି
ରଜ କହିଲେ, ଦୋଳି ଖେଳ କଥା ଆପେ ଆପେ ମନକୁ ଆସେ। ଚଳିତବର୍ଷ ରଜକୁ ଧୂମ୍ଧାମ୍ରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସେଥିପାଇଁ ସହରର ଗଳକନ୍ଦିରେ ଖୋଲିଗଲାଣି ଦୋଳିର ପସରା। ସହରରେ ବଡ଼ ବଡ଼ ଗଛରେ ଦୋଳି ବାନ୍ଧି ଖେଳିବା ଆଉ ସମ୍ଭବ ହେଉନାହିଁ। ଏଣୁ ରାସ୍ତା କଡ଼ରେ ବିକ୍ରି ହେଉଥିବା ପ୍ଲାଷ୍ଟିକ୍ ଦୋଳିର କ୍ରେଜ୍ ଗତ କିଛି ବର୍ଷ ହେଲା ଯଥେଷ୍ଟ ବଢ଼ିଛି। ବଡ଼ ଦୋଳିର ମୂଲ୍ୟ ୧୦୦ରୁ ୧୨୦ ଟଙ୍କା ଥିବା ବେଳେ ଛୋଟ ଦୋଳିର ମୂଲ୍ୟ ୮୦ରୁ ୧୦୦ ଟଙ୍କା ରହିଛି। ସେହିଭଳି ସାମୁହିକ ଦୋଳି ପଡ଼ିଥିବା ସ୍ଥାନଗୁଡ଼ିକରେ ମାତ୍ରାଧିକ ଗହିଳକୁ ନେଇ ଲୋକମାନେ ଘରେ ଦୋଳିର ବ୍ୟବସ୍ଥା କରୁଛନ୍ତି। ବିଭିନ୍ନ ପାର୍କରେ ଥିବା ଦୋଳିରେ ମଧ୍ୟ ଛୋଟ ପିଲାମାନେ ମଜା ନେଇପାରିବେ।