ଆଜି ରାମନବମୀ: ରାମନାମ ଧ୍ବନିରେ ଗୁଞ୍ଜରିତ ହେବ ମଠ, ମନ୍ଦିର

ଝଡ଼ ବର୍ଷା ହେଲେ ଭଟ୍ଟା ପଡ଼ିବ ଦର୍ଶନ: ମନ୍ଦିର ପରିଚାଳକ

ଭୁବନେଶ୍ବର: ରାତି ପାହିଲେ ପାଳନ ହେବ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ। ରାମନାମ ଧ୍ବନିରେ ଗୁଞ୍ଜରିତ ହେବ ଗାଁଠୁ ସହର। ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଗୁରୁବାର ପ୍ରତ୍ୟୁଷରୁ ଚଳଚଞ୍ଚଳ ହୋଇଉଠିବ ମଠ ଓ ମନ୍ଦିର। ଏଣୁ ଆଜିଠୁ ରାଜଧାନୀର ସମସ୍ତ ମଠ ଓ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭକ୍ତ ଓ ଭଗବାନଙ୍କ ମିଳନରେ କିଛି ଯେମିତି ଊଣା ହେବନି, ସେ ନେଇ ବିଭିନ୍ନ ମନ୍ଦିର ପରିଚାଳନା କମିଟି ସବୁ ବ୍ୟବସ୍ଥା କରିଛନ୍ତି। ଆଜି ଅଶୋକାଷ୍ଟମୀ ହୋଇଥିବାବେଳେ ଆସନ୍ତାକାଲି ରାମନବମୀ ପଡ଼ୁଛି। ଫଳରେ ରାଜଧାନୀ ବଜାରରେ ଫୁଲ, ଫଳ ଦୋକାନ ଓ ପୂଜା ସାମଗ୍ରୀ ବିକ୍ରି ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଫୁଲ ଓ ଫଳ ଦର ଅନ୍ୟଦିନ ଅପେକ୍ଷା ଉଚ୍ଚା ଥିଲା।

ଆଜିଠୁ ୟୁନିଟ୍‌-୩ସ୍ଥିତ ରାମ ମନ୍ଦିର‌ ଆଲୋକମାଳାରେ ଝଲସୁଛି। ରାସ୍ତା ଯାଉଥିବା ପଥିକକୁ ଆକର୍ଷିତ କରୁଛି ମନ୍ଦିରର ସାଜସଜା। ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହେଲେ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ହେବା ନେଇ ଜାରି କରାଯାଇଥିବା ସତର୍କ ସୂଚନା ଦର୍ଶନରେ ବାଧା ସୃଷ୍ଟି କରିବ ବୋଲି ପରିଚାଳନା କମିଟି ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ବର୍ଷା ହେଲେ ଭକ୍ତଙ୍କ ସମାଗମ କମିଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି। ତଥାପି ମଧ୍ୟ ପ୍ରଭୁଙ୍କ ନୀତିକାନ୍ତି ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ‌ଶ୍ରୀ ଶର୍ମାଙ୍କ କହିବାନୁସାରେ, ଭୋର୍‌ ୫ଟା ୩୦ରୁ ମଙ୍ଗଳ ଆଳତି ହେବ।

ଏହାପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଯିବ। ପରେ ସକାଳ ୭ଟାରେ ଶୃଙ୍ଗାର ଆଳତି ହେବ। ୮ଟାରୁ ଶ୍ରୀରାମ ଚରିତମାନସ ନବାହ୍ନ ପରାୟଣ ଅନୁଷ୍ଠିତ ହେବ। ୧୦ଟାରୁ ଭଜନ କୀର୍ତ୍ତନ ହୋଇ ୧୧ଟାରୁ ପହୁଡ଼ ନୀତି ହେବ। ଏହାପରେ ମଧ୍ୟାହ୍ନ ଭୋଗରେ ପ୍ରଭୁଙ୍କ ପାଖରେ ଫଳ, ମିଠା, ଅନ୍ନ, ଡାଲି, ଖିରି, ପିଠା ଭଳି ବିଭିନ୍ନ ବ୍ୟଞ୍ଜନ ଲାଗି ହେବ। ଦିନ ୧ଟା ୩୦ରେ ପହୁଡ଼ ପଡ଼ିବ। ଅପରାହ୍ଣ ୪ଟାରେ ପହୁଡ଼ ଖୋଲିବା ସହ ଦର୍ଶନ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତି ହେବ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ ବୋଲି ସେ କହିଛନ୍ତି। ଗତବର୍ଷ ୫୦ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିବାବେଳେ ଚଳିତବର୍ଷ ଲକ୍ଷାଧିକଙ୍କ ଶ୍ରଦ୍ଧାଳୁ ଆସିବା ନେଇ ଆକଳନ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରାଯାଇଛି। ସମସ୍ତ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ମନ୍ଦିର ଚତୁପାର୍ଶ୍ବରେ ସିସିଟିଭି ଖଞ୍ଜାଯାଇଛି। ଭିଡ଼ ନିୟନ୍ତ୍ରଣ କରିବା ସହ ଶୃଙ୍ଖଳା ରକ୍ଷା କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ୧୫ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ ନେଇ ଡିସିପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଭୁ ଶ୍ରୀରାମଙ୍କ ଆବାହନ ପାଇଁ ସଜେଇ ହୋଇଛି ଇସ୍କନ୍‌ ମନ୍ଦିର। ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ପ୍ରଭୁଙ୍କ ଅଭିଷେକ କରାଯିବ। ତା’ପରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ପାଳୁଅ ଖିରି, ସୋଲା, ଫଳ ଓ ସିଝା ପରିବାରେ ତିଆରି ‘ଅନୁକଳ୍ପ ପ୍ରସାଦ’ ବଣ୍ଟନ କରାଯିବ ବୋଲି ମନ୍ଦିର ଅଧିକାରୀ ରାଧାକାନ୍ତ ଦାସ କହିଛନ୍ତି।

ସେହିପରି ରାମ ମନ୍ଦିର ସମେତ ବିଭିନ୍ନ ଧର୍ମ‌ାନୁଷ୍ଠାନରେ ପ୍ରଭୁଙ୍କ ଜନ୍ମୋତ୍ସବ ଉପଲକ୍ଷେ ସଂକୀର୍ତନ ଓ ରାମଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସପ୍ତାହବ୍ୟାପୀ ଚାଲିଛି ପାରାୟଣ

ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି ରାମ ମନ୍ଦିରରେ ଗତ ବୁଧବାରଠାରୁ କଳସ ଯାତ୍ରା ଆରମ୍ଭ ହୋଇ ପ୍ରତିଦିନ ନାମଯଜ୍ଞ ଓ ପ‌ରାୟଣ ଅନୁଷ୍ଠିତ ହେଉଛି। ଏହା ଆସନ୍ତା କାଲି ରାମନବମୀରେ ଉଦ୍‌ଯାପିତ ହେବ। ସ୍ଥାନୀୟ ଅଞ୍ଚଳର ବହୁ ଧର୍ମ ପରାୟଣ ମହିଳା ଓ ପୁରୁଷ ଯୋଗଦେଇ ପ୍ରତିଦିନ ରାମଚରିତ ମାନସ ପାଠ କରୁଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସମସ୍ତ କାର୍ଯ୍ୟ ସୁରୁଖୁରରେ ଚାଲିଛି ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର