ଭୁବନେଶ୍ବର: ରାମନାମରେ କମ୍ପିବ ଗଗନ ପବନ। ପବିତ୍ର ରାମଚରିତ ମାନସର ଗୁଞ୍ଜରିତ ପଙ୍କ୍ତି ରାଜଧାନୀକୁ ସକାରାତ୍ମକ ଭାବନାରେ ଭରିଦେବ। ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଥରେ ଆଖି ପୂରେଇ ଦେଖି ନେବାର ଅଭୀପ୍ସା ହଜାର ହଜାର ଭକ୍ତଙ୍କୁ ମନ୍ଦିରକୁ ଟାଣିନେବ। ରବିବାର ଭୋର୍ ୪ଟାରୁ ଚଳଚଞ୍ଚଳ ହୋଇପଡ଼ିବ ମନ୍ଦିର ଓ ମଠ। ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିବ। ୨ ବର୍ଷର ବିରତି ପରେ ପୁଣି ଭକ୍ତ ଓ ଭଗବାନଙ୍କ ମିଳନ ହେବ। ଏଣୁ ଆଜି ସହରର ସମସ୍ତ ରାମ ମନ୍ଦିର ଓ ମଠରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଫୁଲ, ଫଳ ଦୋକାନ ଓ ପୂଜା ସାମଗ୍ରୀ ବିକ୍ରି ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଫୁଲ ଓ ଫଳ ଦର ଆକାଶଛୁଆଁ ରହିଥିଲା।
ୟୁନିଟ୍-୩ସ୍ଥିତ ରାମ ମନ୍ଦିରର ରାମ ନବମୀର ମୁଖ୍ୟ ଆକର୍ଷଣ ‘ଛପନ ଭୋଗର ସ୍ୱତନ୍ତ୍ର ଥାଳି’ ଚଳିତଥର ଆୟୋଜିତ ହେବ ନାହିଁ। ପୂର୍ବରୁ ଏହି ଥାଳି ପିଛା ଦାମ୍ ୫୦୦ ଟଙ୍କା ରହିଥିବା ଚାହିଦାକୁ ଦେଖି ୨୦୧୯ରେ ତାହା ବଢ଼ି ୯୦୦ ଟଙ୍କା ହୋଇଥିଲା। ଏହି ଥାଳିରେ ବିଭିନ୍ନ ମିଠା, ପିଠା ସହ ୫୬ପ୍ରକାର ବ୍ୟଞ୍ଜନ ପରଷା ଯାଉଥିଲା। କିନ୍ତୁ ଚଳିତଥର ଏହି ସ୍ବତନ୍ତ୍ର ଥାଳିରୁ ବଞ୍ଚିତ ହେବେ ଭକ୍ତ। ତେବେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ବୁନ୍ଦି ମିଠେଇ ପ୍ରସାଦ ବଣ୍ଟନ କରାଯିବ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟିର ପରିଚାଳକ ମହାବୀର ପ୍ରସାଦ ଶର୍ମା।
ସେ କହିଛନ୍ତି, ସକାଳ ୫ଟାରେ ମନ୍ଦିର ଖୋଲିଯିବ। ନିର୍ଧାରିତ ନୀତିକାନ୍ତି ଅନୁଯାୟୀ ପ୍ରାତଃ ସାଢ଼େ ୫ଟାରେ ମଙ୍ଗଳଆଳତି ପରେ ଠାକୁରଙ୍କ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ସକାଳ ୭ଟାରେ ଶୃଙ୍ଗାର ଆରତି ହେବ। ସକାଳ ୧୦ରୁ ରାମଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଭଜନକୀର୍ତ୍ତନ ପରେ ମଧ୍ୟାହ୍ନ ୧୨ଟାରେ ଠାକୁରଙ୍କ ଜନ୍ମୋତ୍ସବ ଆରତି ତଥା ଅଭିଷେକ କରାଯିବ। ସାଢ଼େ ୧ଟାରେ ପହୁଡ଼ ପଡ଼ିବ। ୪ରେ ପୁଣି ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲିବ। ୭ଟାରେ ସଂଧ୍ୟା ଆଳତି ଓ ରାତି ୯ଟାରେ ଭୋଗ ଆଳତି ଅନୁଷ୍ଠିତ ହେବ।
ଶ୍ରୀରାମଙ୍କ ଆବାହନ ପାଇଁ ସିଆର୍ପିସ୍ଥିତ ଇସ୍କନ୍ ମନ୍ଦିର ବି ସଜେଇ ହୋଇଛି। ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆରତି ତଥା ଅଭିଷେକ କରାଯିବ। ଶ୍ରଦ୍ଧାଳୁଙ୍କୁ ସ୍ୱତନ୍ତ୍ର ଭାବେ ଫଳ ଓ ସିଝା ପରିବା ତିଆରି ‘ଅନୁକଳ୍ପ ପ୍ରସାଦ’ ବଣ୍ଟନ କରାଯିବ ବୋଲି ମନ୍ଦିର ଅଧିକାରୀ ରାଧାକାନ୍ତ କହିଛନ୍ତି। ସଂଧ୍ୟାରେ ଭଜନ କୀର୍ତ୍ତନ ସହ ରାତି ସାଢ଼େ ୧୦ଟା ଯାଏ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ସେହିପରି ସହରର ଅନ୍ୟ ସମସ୍ତ ମଠ, ମନ୍ଦିର ବିଶେଷକରି ୧ନମ୍ବର ହାଟସ୍ଥିତ ଶ୍ରୀରାମ ମନ୍ଦିର, ୯ତାଲା ପଛ ପାର୍ଶ୍ୱରେ ଥିବା ଶ୍ରୀରାମ ମନ୍ଦିର, ଲକ୍ଷ୍ମୀସାଗର ବ୍ରିଟ୍ କଲୋନି ନିକଟସ୍ଥ ଶ୍ରୀରାମ ମନ୍ଦିର ସମେତ ବହୁ ମନ୍ଦିରରେ ପ୍ରଭୁଙ୍କ ଜନ୍ମୋତ୍ସବ ଉପଲକ୍ଷେ ସଂକୀର୍ତନ ଓ ରାମଚରିତ ମାନସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/26-7.jpg)