ଝଲସୁଛି ମନ୍ଦିର, ଦର୍ଶନ ଅପେକ୍ଷାରେ ଭକ୍ତ

ଆଜି ପବିତ୍ର ରାମନବମୀ

ଭୁବନେଶ୍ୱର: ସବୁଠି ନବାହ୍ନ ପାରାୟଣର ଗୁଞ୍ଜରଣ। ରଙ୍ଗିନ ଆଲୋକମାଳାରେ ଝଲସୁଛି ରାମ ମନ୍ଦିର। ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିନ ପାଳିବାକୁ ଭକ୍ତମାନେ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରଗୁଡ଼ିକରେ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। ରବିବାର ପାଳିତ ହେବ ପବିତ୍ର ରାମନବମୀ। ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଥିବା ରାମ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ରାମ ମନ୍ଦିରରେ ଶ୍ରୀରାମ ନବମୀ ମହୋତ୍ସବର କାର୍ଯ୍ୟସୂଚୀ ମୁତାବକ ଭୋର ୫ଟାରୁ ମଙ୍ଗଳ ଆଳତି ପରେ ଆରମ୍ଭ ହେବ ଦର୍ଶନ। ପରେ ଶୃଙ୍ଗାର ଆଳତି, ଭୋଗ ଆଳତି, ଜନ୍ମୋତ୍ସବ ଆଳତି, ପୁଷ୍ପାଞ୍ଜଳି ପର୍ବ ଅନୁଷ୍ଠିତ ହେବ। ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ପହୁଡ଼ ପଡ଼ିବ। ୧୨ଟାରେ ଆଳତି ଅନୁଷ୍ଠିତ ହେବ। ତେବେ ମଧ୍ୟାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମନ୍ଦିରକୁ ପ୍ରବେଶ କରିବାର ସୁଯୋଗ ପାଇବେ। ୪ଟା ପର୍ଯ୍ୟନ୍ତ ବିଶ୍ରାମ ପରେ ପୁଣି ୪ଟାରୁ ଦର୍ଶନ ଆରମ୍ଭ ହେବ। ଏଥିପାଇଁ ଶ୍ରୀରାମ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭକ୍ତଙ୍କ ପାଇଁ ତଳ ଦ୍ୱାର ବାଟେ ପ୍ରବେଶ ପଥ ଖୋଲା ଯାଇଥିବା ବେଳେ ଭକ୍ତମାନେ ଧାଡ଼ିବାନ୍ଧି ଶୃଙ୍ଖଳାର ସହ ଯାଇ ଦର୍ଶନ କରିପାରିବେ ବୋଲି ଶ୍ରୀରାମ ମନ୍ଦିରର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି।

ନଜର ରଖିବେ ପୁଲିସ୍‌, ସିସିଟିଭି

ଦର୍ଶନାର୍ଥୀଙ୍କ ସୁରକ୍ଷା ଦୃଷ୍ଟିରୁ କମିସନରେଟ୍‌ ପୁଲିସ୍‌ ୨ ପ୍ଲାଟୁନ୍‌ ପୁଲିସ ମୁତୟନ କରିବ। ଏଥିସହିତ ୫୦ ଜଣ ସ୍କାଉଟ୍‌ ଗାଇଡ୍‌ ଏବଂ ୩୦ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇ ଧାଡ଼ି ନିୟନ୍ତ୍ରଣ କରିବା ସହ ପୂରା ବ୍ୟବସ୍ଥା ଉପରେ ନଜର ରଖିବେ। ଏଥିସହିତ ୧୬ଟି ସିସିଟିଭି କ୍ୟାମେରା ମଧ୍ୟ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବ।

ସହରର ବିଭିନ୍ନ ମନ୍ଦିରରେ ପାଳନ ହେବ ରାମ ନବମୀ

ସହରର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି ୧ ନମ୍ବର ହାଟସ୍ଥିତ ଶ୍ରୀରାମ ମନ୍ଦିର, ୯ତାଲା ପଛ ପାର୍ଶ୍ୱରେ ଥିବା ଶ୍ରୀରାମ ମନ୍ଦିର, ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି ନିକଟସ୍ଥ ଶ୍ରୀରାମ ମନ୍ଦିର ଏବଂ ଅନ୍ୟାନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଶୃଙ୍ଖଳିତ ବନ୍ଦୋବସ୍ତ କରାଯାଇଛି। ସେହିପରି ଇସ୍କନ୍‌, ଚିତ୍ରକୁଟ ଆଶ୍ରମ ଓ ବାୟାବାବା ମଠରେ ମଧ୍ୟ ବୈଷ୍ଣବ ମତାନୁଯାୟୀ ଶ୍ରୀରାମ ନବମୀ ପାଳନ ପାଇଁ ପ୍ରସ୍ତୁତି କରାଯାଇଛି।

 

ସମ୍ବନ୍ଧିତ ଖବର