ଭୁବନେଶ୍ବର, ୬।୨(ଇମିସ): ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରେମ ସପ୍ତାହ। ଗୋଲାପ କହିବ ମନର କଥା। ଏଥିପାଇଁ ନାଲି, ଗୋଲାପି, ଧଳା ଓ ହଳଦିଆ ରଙ୍ଗବେରଙ୍ଗ ଗୋଲାପରେ ଦୋକାନ ବଜାର ଭର୍ତ୍ତି ହେଲାଣି। ଖାଲି ଯାହା କାଲି ସକାଳକୁ ଅପେକ୍ଷା। ସରଗରମ୍ ହୋଇଯିବ ପାର୍କ, କଲେଜ ଓ ଉପହାର ବଜାର। ଏଥିପାଇଁ ଉତ୍ସାହିତ ହେଲେଣି ଯୁବପିଢ଼ି। ଏଥିସହ ବେପାର ପାଇଁ ପସରା ମେଲି ବସିଲେଣି ଫୁଲ ଓ ଉପହାର ବ୍ୟବସାୟୀ। ଆସନ୍ତାକାଲି ଗୋଲାପ ଦିବସ ପରେ ଚକୋଲେଟ୍ ଦିବସ, ଟେଡ୍ଡି ଦିବସ ଓ ଭାଲେଣ୍ଟାଇନ୍ ଆଦି ଦିବସରେ ଉପହାର ବିକ୍ରି ବି ଉତ୍ସାହଜନକ ଭାବେ ବଢ଼ିବ। ଏଥିପାଇଁ ଭିନ୍ନଭିନ୍ନ ରକମର ଉପହାରରେ ବି ଦୋକାନ ଭର୍ତ୍ତି। ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଶୁଭେଚ୍ଛା ବାର୍ତ୍ତା ଘୂରି ବୁଲିଲାଣି।
ଚାହିଦାରେ ବେଙ୍ଗାଲୁରୁ ଡଜ୍ ରୋଜ୍ ଓ ଜର୍ବେରା ଫୁଲ
ଲାଲ୍ ଟହଟହ ବଡ଼ ସୁଢ଼ଳ ବେଙ୍ଗାଲୁରୁ ଡଜ୍ ଗୋଲାପରେ ସହରର ସବୁ ଗଳିକନ୍ଦି ଭର୍ତ୍ତି ହେଲାଣି। ବେଙ୍ଗାଲୁରୁ ଗୋଲାପର ସ୍ବତନ୍ତ୍ର ଚାହିଦା ଥିବାରୁ ଆସନ୍ତାକାଲି ବେପାର ପାଇଁ ସ୍ବତନ୍ତ୍ର ବରାଦ୍ କରାଯାଇଛି ଏହି ଗୋଲାପ। ଏହାଛଡ଼ା ରାଇପୁର, ଦିଲ୍ଲୀ ଓ କୋଲକାତା ଗୋଲାପରେ ବି ଭର୍ତ୍ତି ହୋଇଛି ଫୁଲ ଦୋକାନ। ବଡ଼, ଲାଲି ଓ ସୁନ୍ଦର କାରଣରୁ ବେଙ୍ଗାଲୁରୁ ଗୋଲାପର ଦାମ୍ ୨୫ ଟଙ୍କା ପର୍ଯ୍ୟନ୍ତ ରହିଛି। ବାକି ସବୁ ଗୋଲାପ ଆକାରରେ ଛୋଟ ଓ ଡେମ୍ଫ ଛୋଟ ହୋଇଥିବାରୁ ଚାହିଦା ସହ ଦାମ୍ ବି କମ୍ ରହିଛି। ୧୫ ଟଙ୍କାରେ ଏହି ସବୁ ଗୋଲାପ ମିଳି ଯାଉଛି। ଏହାଛଡ଼ା ବେଙ୍ଗାଲୁରୁ ଜର୍ବେରା ଫୁଲର ବି ଗୋଲାପ ଦିବସରେ ସ୍ବତନ୍ତ୍ର ଚାହିଦା ରହିଛି। ଏହାର ଆକାର ଅନୁଯାୟୀ ଦାମ୍ ୧୦ରୁ ୨୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସୂର୍ଯ୍ୟନଗରସ୍ଥିତ ବାବା ପଞ୍ଚ ଲିଙ୍ଗେଶ୍ବର ଫ୍ଲୋରିଷ୍ଟ୍ର ମାଲିକ ସୂର୍ଯ୍ୟକାନ୍ତ ସ୍ବାଇଁ କହିଛନ୍ତି, ଏବେ ବିବାହ ଋତୁ ଚାଲିଛି। ତା’ ସହ ଆରମ୍ଭ ହୋଇଗଲା ପ୍ରେମ ଋତୁ। ଏହି ସପ୍ତାହରେ ଆମର ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଟଙ୍କାର ବେପାର ହୁଏ। ଏଥର ବି ସେୟା ଆଶା ରହିଛି। ଏଥିସହ ଗୋଲାପ ଫୁଲରେ ଟିକେ ଡିଜାଇନ୍ କରିକି ଦେଲେ ତା’ର ଦାମ୍ ଅଧିକ ରହିବା ସହ ବେଶ୍ ଦୁଇ ପଇସା ରୋଜଗାର ବି କରି ହେଉଛି।
ଉପହାର ବଜାରରେ ମେଟାଲ୍ ରୋଜ୍ ଓ କ୍ରିଷ୍ଟାଲ୍ ଟେଡ୍ଡି
ପ୍ରଥମତଃ ପ୍ରେମ ଋତୁ ଓ ଦ୍ବିତୀୟରେ ବିବାହ ଋତୁ; ଏଥିପାଇଁ ଉପହାର ଦୋକାନ ଏବେ ଚଳଚଞ୍ଚଳ ହୋଇ ଉଠିଲାଣି। ଲୋକମାନେ ପ୍ରତିବର୍ଷ ନୂଆ ନୂଆରକମର ଉପହାର ଖୋଜୁଥିବା ବେଳେ ଲୋକଙ୍କ ଚାହିଦାକୁ ନଜରରେ ରଖି ବଜାରକୁ ଆସିଛି କିଛି ନିଆରା ଉପହାର। ଗୋଲାପ ଫୁଲ ଦୁଇ ଦିନ ପରେ ମଉଳି ଯାଉଥିବା ବେଳେ ପ୍ରେମିକ/ପ୍ରେମିକାମାନେ ଏବେ ଦୀର୍ଘ ସ୍ଥାୟୀ ଗୋଲାପ ଖୋଜୁଛନ୍ତି। ଏଥିପାଇଁ ଉପହାର ବଜାରରେ ଏବେ ପ୍ରବେଶ କରିଛି ମେଟାଲ୍ ରୋଜ୍। ଏହା ଦେଖିବାକୁ ଯେତିକି ସୁନ୍ଦର, ସେମିତି ଦୀର୍ଘସ୍ଥାୟୀ ମଧ୍ୟ। ଏଣୁ ମେଟାଲ୍ ରୋଜ୍ର ଚାହିଦା ବଢ଼ିଛି। ଏଥିସହ କପଲ୍ ଲାଇଟିଂ ଆଇଟମ୍, କାଚ ବାଉଲ୍ ଫ୍ଲାୱାର୍ କେସ୍, ମୁଭିଂ କଥାକୁହା ବକ୍ସ ରହିଛି, ଯାହାକୁ ଖୋଲିଲେ ଲାଇଟ୍ ଜଳିବା ସହ ଲଭ୍ ୟୁ, ୱିଲ୍ ୟୁ ମ୍ୟାରି ମି ଆଦି କହୁଥିବା ଶୁଣିବାକୁ ମିଳୁଛି। ଏଥିସହ ଲାଇଟିଂ ଫ୍ଲାୱାର୍ ବି ରହିଛି। ଲାଇଟିଂ ଫ୍ଲାୱାର୍ର ଦାମ୍ ୨୪୦ ଟଙ୍କା ଥିବା ବେଳେ ମେଟାଲ୍ ଫ୍ଲାୱାର୍ର ଦାମ୍ ରହିଛି ୧୫୦ ଟଙ୍କା। ସେହିପରି ମ୍ୟୁଜିକାଲ୍ ବକ୍ସର ଦାମ୍ ୯୯୯ ଟଙ୍କା। ଏଥିସହ ରହିଛି ପାନ ପତ୍ର ଟେଡ୍ଡି, ପିଲୋ ଟେଡ୍ଡି ଓ କ୍ରିଷ୍ଟାଲ୍ ଟେଡ୍ଡି। ଜାଗମରାସ୍ଥିତ ବି ପି ଜି ଗିଫ୍ଟ ସପ୍ର ସ୍ବତ୍ବାଧିକାରୀ ଲୋକନାଥ ପାତ୍ର କହିଛନ୍ତି, ଯୁବପିଢ଼ି ମଧ୍ୟରେ ଟେଡ୍ଡିର ଚାହିଦା ଓ ଆଦର ଅଧିକ ରହିଥିବାରୁ ଏଥର ଉପହାର ବଜାର ଟେଡ୍ଡି ଉପରେ ବି ଅଧିକ ନଜର ଦେଇଛି। ଟେଡ୍ଡି ଭିତରେ ଘଣ୍ଟା, ଆଇ ଲଭ୍ ୟୁ କହୁଥିବା କଥାକୁହା ଟେଡ୍ଡି, ଲଭ୍ ୟୁ ଲେଖିଥିବା ଟେଡ୍ଡି ଆଦି ରହିଛି। ଏ ସବୁର ଦାମ୍ ୨୪୯ରୁ ଆରମ୍ଭ କରି ୧୬୯୯ଟଙ୍କା ପର୍ଯ୍ୟନ୍ତ ରହିଛି। ଟେଡ୍ଡିକୁ ସଫା କରିବା ବିରକ୍ତିକର କାମ ହୋଇଥିବା ବେଳେ କ୍ରିଷ୍ଟାଲ ଟେଡ୍ଡିକୁ ଧୋଇବା ଅତ୍ୟନ୍ତ ସହଜ। ଏହି ଟେଡ୍ଡି ଉପରେ ୬ ମାସର ୱାରେଣ୍ଟି ମଧ୍ୟ ଦିଆଯାଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି।