ରାତି ୯ଟାରେ ପଞ୍ଜୀକରଣ, ୧୦ଟାରୁ ଆରମ୍ଭ

Advertisment

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଦୁନିଆରେ ରବିବାର ନୂଆ ଅଧ୍ୟାୟ ଯୋଡ଼ି ହୋଇଯିବ। ପ୍ରଥମ ଥର ପାଇଁ ରାଜଧାନୀବାସୀଙ୍କୁ ରାତ୍ରିକାଳୀନ ସାଇକ୍ଲୋଥନ୍‌ର ଅପୂର୍ବ ଅନୁଭବ ଦେବାକୁ ଯାଉଛି ‘ସମ୍ବାଦ’। ରବିବାର ଆୟୋଜିତ ଏହି ପ୍ରଥମ ‘ନାଇଟ୍‌ ସାଇକ୍ଲୋଥନ୍‌’କୁ ନେଇ ଯୁବ ବର୍ଗ, ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‌ ଏବଂ ସିନେ ସେଲିବ୍ରିଟିଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଉଦ୍ଦୀପନା ଦେଖା ଦେଇଛି। ଆସନ୍ତା ୧୧ ତାରିଖ ରବିବାର ରାତି ୯ଟାରେ ଜୟଦେବ ବିହାରସ୍ଥିତ ଜନତା ମଇଦାନ୍‌ର ପ୍ରବେଶପଥରୁ ଏହି ଅଭିନବ ସାଇକ୍ଲୋଥନ୍‌କୁ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିବେ।

ପୁଲିସ୍‌ କମିସନର୍‌ ଓ୍ଵାଇ ବି ଖୁରାନିଆଙ୍କ ସମେତ ବହୁ ତାରକା ଖେଳାଳି ଓ ଓଲିଉଡ୍‌ ସେଲିବ୍ରିଟି ଏହି ସାଇକ୍ଲୋଥନ୍‌ରେ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବେ। ରାତିର ଅନ୍ଧାରକୁ ଭେଦକରି ରାଜଧାନୀର ରାଜରାସ୍ତାରେ ଗଡ଼ିବ ବନ୍ଧୁତ୍ୱର ସାଇକେଲ୍‌। ଯୁବପିଢ଼ିଙ୍କୁ ଏକତ୍ର କରିବା, କର୍ମଜୀବୀମାନଙ୍କୁ ବିଶ୍ରାମ ପୂର୍ବରୁ ରାଜଧାନୀର ରାତ୍ରିକୁ ଭଲରେ ଉପଭୋଗ କରିବାର ଏକ ସୁନ୍ଦର ଅବସର ଆଣିଦେବ ଏହି ସାଇକ୍ଲୋଥନ୍‌। ସ୍ପୋର୍ଟସ ସେଲିବ୍ରିଟିଙ୍କ ଯୋଗଦାନ ଏହାକୁ ଅଧିକ ଆକର୍ଷଣୀୟ କରିଦେବ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି, ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ, ଦେଶର ଦ୍ରୁତତମ ଧାବକ ଅମିୟ ମଲ୍ଲିକ, ପୂର୍ବ ଭାରତର ପ୍ରଥମ ପୁରୁଷ ଏଭେରେଷ୍ଟ ବିଜେତା ଗଣେଶ ଚନ୍ଦ୍ର ଜେନାଙ୍କ ପରେ ଶନିବାର ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ମହିଳା ଫୁଟ୍‌ବଲ୍‌ର ଅର୍ଜୁନ ପୁରସ୍କାର ବିଜୟିନୀ ବେମ୍‌ବେମ୍‌ ଦେବୀ।

publive-image

ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ମଧ୍ୟ ଏହି ଉତ୍ସବର ଅନ୍ୟତମ ଆକର୍ଷଣ ହେବେ। ଏମାନଙ୍କ ବ୍ୟତୀତ ମେୟର ଅନନ୍ତ ନାରାୟଣ ଜେନା, ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, କ୍ରୀଡ଼ା ନିର୍ଦେଶକ ଭିନିଲ୍‌ କ୍ରିଷ୍ଣା ପ୍ରମୁଖ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସାଇକ୍ଲୋଥନ୍‌ ରୁଟ୍‌ରେ ସାମାନ୍ୟ ପରିବର୍ତନ କରାଯାଇଛି। ଜନତା ମଇଦାନରେ ଏହା ରାତି ୧୦ରୁ ଆରମ୍ଭ ହୋଇ ପାଓ୍ଵାରହାଉସ୍‌ ଛକ ଦେଇ ପୁଣି ଜନତା ମଇଦାନରେ ଶେଷ ହେବ। କିନ୍ତୁ ରାତି ୯ଟାରୁ ପଞ୍ଚୀକରଣ ଆରମ୍ଭ ହେବ। ପୂର୍ବରୁ ଏହା ଜନତା ମଇଦାନରୁ ଆରମ୍ଭ ହୋଇ ୟୁନିଟ୍‌-୮ ଡିଏଭି ସ୍କୁଲ୍‌ ପରିସରରେ ଶେଷ ହେବ ବୋଲି କୁହାଯାଇଥିଲେ ମଧ୍ୟ କେତେକ କାରଣରୁ ଏଭଳି ପରିବର୍ତନ କରାଯାଇଛି।। ଅଂଶଗ୍ରହଣକାରୀଙ୍କୁ କିନ୍ତୁ ନିଜସ୍ୱ ସାଇକେଲ୍‌ ସହ ଆସିବାକୁ ପଡ଼ିବ। ରାତି ୯ଟାରୁ ପଞ୍ଜୀକରଣ ହେବାଠାରୁ ସାଇକ୍ଲୋଥନ୍‌ର ଶୁଭାରମ୍ଭ ପର୍ଯ୍ୟନ୍ତ ଜନତା ମଇଦାନରେ ନାଚଗୀତର ଆସର ଜମିବ। ବିସ୍ମୟ ବାଳକ ଅଭିଷେକ ସାହୁଙ୍କ ବ୍ୟାଣ୍ଡ୍‌ ବାଦନ ଅନ୍ୟତମ ଆକର୍ଷଣ ହେବ।ସାଇକେଲ୍‌ ଚଲାଇ ନିଜକୁ ସୁସ୍ଥ ରଖିବା ସହିତ ଶାରୀରିକ ସୁସ୍ଥତା, ପରିବେଶର ସୁରକ୍ଷା ଏବଂ ସଚେତନାର ବାର୍ତ୍ତା ବାଣ୍ଟିବ ଏହି ପ୍ରଥମ ନାଇଟ୍‌ ସାଇକ୍ଲୋଥନ୍‌। ଅଂଶଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତି ମୋବାଇଲ୍‌ ନମ୍ବର ୯୧୭୮୬ ୧୧୯୯୬ ଏବଂ ୯୩୩୭୨ ୩୪୨୬୨ ରେ ଯୋଗାଯୋଗ କରିପାରିବେ। ଏହାଛଡ଼ା ପ୍ରତ୍ୟେକ ରାଜଧାନୀବାସୀ ସାଇକେଲ୍‌ ଯୋଗାଡ଼ କରିବା ସହିତ ପ୍ରଥମ ନାଇଟ୍‌ ସାଇକ୍ଲୋଥନ୍‌ରେ ଭାଗ ନେବାକୁ ଦୈନିକ ସାଇକେଲ୍‌ ଚଲାଉଥିବା ବ୍ୟକ୍ତିବିଶେଷ ଅନୁରୋଧ କରିଛନ୍ତି।