ଆଜିଠାରୁ କାର୍ଯ୍ୟକ୍ଷମ ଭରତପୁର ଥାନା, କାର୍ଯ୍ୟରେ ଯୋଗ ଦେବା ପାଇଁ ରାତିଅଧିଆ ନିର୍ଦ୍ଦେଶ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଭରତପୁର ଥାନା ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ହେବ। ଦୀର୍ଘଦିନ ହେବ ଏହାର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଆଜି ଥାନା ଇନ୍‌ସ୍‌ପେକ୍ଟରଙ୍କ ସମେତ ଦୁଇଜଣ ଏସ୍‌ଆଇ, ଜଣେ ଏଏସ୍‌ଆଇ ଓ ଦୁଇ ଜଣ କନେଷ୍ଟବଳଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଜି ମଧ୍ୟରାତ୍ରି ସୁଦ୍ଧା ସେମାନେ ନୂଆ ଥାନାରେ ଯୋଗ ଦେବା ପାଇଁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଦେଶନାମା ଜାରି କରିଛନ୍ତି। ନୂତନ ନିଯୁକ୍ତିପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନେ ଯେଉଁ ସବୁ ଥାନାରେ ଥିଲେ ସେଠାରୁ ସେମାନଙ୍କୁ ତୁରନ୍ତ ରିଲିଭ୍‌ କରିବା ପାଇଁ ସମ୍ପୃକ୍ତ ଏସିପିମାନଙ୍କୁ ଚିଠି ଲେଖାଯାଇଛି।

ଏହି ନୂଆ ଥାନାରେ ଜଣେ ଇନ୍‌ସ୍‌ପେକ୍ଟରଙ୍କ ସମେତ ୬ ଏସ୍‌ଆଇ, ୩ ଏଏସ୍‌ଆଇ ଓ ୨୧ କନେଷ୍ଟବଳ ପଦ ସୃଷ୍ଟି କରାଯାଇଛି। ଦୁର୍ଗାପ୍ରଦସାଦ ଜେନା ଏଠାରେ ପ୍ରଥମ ଇନ୍‌ସ୍‌ପେକ୍ଟର ଭାବରେ କାର୍ଯ୍ୟ କରିବାକୁ ଅନୁମତି ପାଇଛନ୍ତି। ତାଙ୍କ ସହିତ ଏସ୍‌ଆଇ ମାନସ ରଞ୍ଜନ ମଲ୍ଲିକ, ଗୋବର୍ଦ୍ଧନ ସାହୁ ଓ ଏଏସ୍‌ଆଇ ଏସ୍‌କେ ମୁଣ୍ଡା, କନେଷ୍ଟବଳ ୟୁକେ ସେଠୀ, ବିବି ମଲ୍ଲିକ ଓ ନଳିନୀ ରାଉତ ରହିଛନ୍ତି। ଏମାନଙ୍କ ସହ ପୂର୍ବରୁ ଭରତପୁର ଫାଣ୍ଡିରେ କାର୍ଯ୍ୟରତ ଅନ୍ୟ କର୍ମଚାରୀମାନେ ଏହି ଥାନାରେ କାମ କରିବାକୁ ସ୍ବୀକୃତି ପାଇଛନ୍ତି। ଆସନ୍ତାକାଲି ଏହାକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଏହାକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।

୧୯୮୩ ମସିହାରେ ଶହେ ବର୍ଗକିଲୋମିଟର ଅଞ୍ଚଳ ଓ ୨୦ ହଜାର ଜନସଂଖ୍ୟାକୁ ନେଇ ଖଣ୍ଡଗିରି ଥାନା ଆରମ୍ଭ ହୋଇଥିଲା। ଏବେ ଏହି ଥାନା ଅଞ୍ଚଳରେ ଜନସଂଖ୍ୟା ୪ଲକ୍ଷରେ ପହଞ୍ଚିବାରୁ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା କାଠିକର ପାଠ ହୋଇଛି। ଏଣୁ ଖଣ୍ଡଗିରି ଥାନାକୁ ଦୁଇ ଭାଗ କରି ଭରତପୁର ନୂଆ ଥାନା କରିବା ପାଇଁ ପୁଲିସ କମିସନର ସରକାରଙ୍କୁ ସୁପାରିସ କରିଥିଲେ। ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ କମିସନରଙ୍କ ସୁପାରିସକୁ ସ୍ବୀକୃତି ଦେଇଥିଲେ। ୨୫ ବର୍ଗ କିଲୋମିଟର ଅଞ୍ଚଳରେ ଏହି ନୂଆ ଥାନା କାମ କରିବ। ଏଥିରେ ବିଏମ୍‌ସିର ୨୨, ୨୩, ୨୪, ୪୯ ୱାର୍ଡ ସମେତ ୧୭ଟି ଗାଁ ଓ ପାଇକରାପୁର ପଞ୍ଚାୟତର ମୋଟ ୨ ଲକ୍ଷ ଲୋକ ସାମିଲ ହେବେ। ଏହି ଅଞ୍ଚଳର ସମସ୍ତ ପୁରୁଣା ମାମଲା ମଧ୍ୟ ଖଣ୍ଡଗିରି ଥାନାରୁ ଭରତପୁରକୁ ସ୍ଥାନାନ୍ତର ହେବ।

ସମ୍ବନ୍ଧିତ ଖବର