ଆଜି ଶ୍ରାବଣ ଦ୍ବିତୀୟ ସୋମବାର, ଏକାମ୍ର କ୍ଷେତ୍ରରେ କାଉଡ଼ିଆଙ୍କ ଭିଡ଼

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ଶ୍ରାବଣ ମାସର ଦ୍ବିତୀୟ ସୋମବାର। ପ୍ରତିବର୍ଷ ପରି ଦ୍ବିତୀୟ ପାଳିରେ ଅଧିକ ଭିଡ଼ ହେଉଥିବାରୁ ଚଳିତ ବର୍ଷ ମଧ୍ୟ ଭିଡ଼ ଅଧିକ ହେବା ସମ୍ଭାବନା ରହିଛି। ଏଥିପାଇଁ ପୁଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ଅପରାହ୍‌ଣରୁ କାଉଡ଼ିଆମାନେ ଧାଡ଼ି ବାନ୍ଧି ଏକାମ୍ର କ୍ଷେତ୍ରକୁ ଆସୁଛନ୍ତି। କଟକ ଗଡ଼ଗଡ଼ିଆ ଘାଟ ଓ ବାଙ୍କିରୁ ତୀର୍ଥଜଳ ଆଣି କାଉଡ଼ିଆାମାନେ ପହଞ୍ଚିଛନ୍ତି। ସେମାନେ କେଦାରଗୌରୀ ମନ୍ଦିର ନିକଟ, ଭଜନ ମଣ୍ଡପ ନିକଟ, ବିନ୍ଦୁସାଗରକୂଳ ଓ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ନିକଟରେ ଅପେକ୍ଷା କରିଛନ୍ତି। ଭୋରରୁ ମନ୍ଦିରରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଜଳଲାଗି କରିବେ। ମନ୍ଦିରରେ ବାଇଶି ପାହାଚଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବନ୍ଧା ଯାଇଛି। ଭୋର ସାଢେ ୩ଟାରେ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇ ୪ଟାରେ ସାହାଣମେଲା ଦର୍ଶନ ଓ ଜଳଲାଗି ଆରମ୍ଭ ହେବ। ମନ୍ଦିର ନିକଟରେ ଭିଡ଼କୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଆଜି ରାତି ୮ଟାରୁ ୨ଜଣ ଅତିରିକ୍ତ ଡିସିପି, ୬ଜଣ ଏସିପି, ୧୦ ଇନ୍‌ସପେକ୍ଟର, ୫୨ଜଣ ଏସ୍‌ଆଇ ଏବଂ ଏଏସ୍ଆଇଙ୍କ ସମେତ ୧୨ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏଥିରେ ୨୫ଜଣ ମହିଳା ପୁଲିସ ସମେତ ୬୪ଜଣ ହୋମଗାର୍ଡ ଅଛନ୍ତି ବୋଲି ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର