ଆଜିଠୁ ପ୍ରଦର୍ଶିତ ହେବ କଳ୍ପନାଙ୍କ ଏଭରେଷ୍ଟ୍‌ ଆରୋହଣ ଉପକରଣ

ଭୁବନେଶ୍ବର: ପ୍ରଥମ ଓଡ଼ିଆ ଭାବେ ଏଭରେଷ୍ଟ୍‌ ବିଜୟିନୀ ହୋଇଥିବା କଳ୍ପନା ଦାଶଙ୍କ ସନ୍ତକ ଏଣିକି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଦେଖିବାର ଅବସର ଜୁଟିବ। କଳ୍ପନାଙ୍କ ଏଭରେଷ୍ଟ ଆରୋହଣର ପ୍ରଥମ ସନ୍ତକ ତଥା ଜ୍ୟାକେଟ୍‌, ଜୋତା ଓ ଅନ୍ୟାନ୍ୟ ଉପକରଣମାନ ଏଣିକି ସ୍ବତନ୍ତ୍ର ଭାବେ ପ୍ରଦର୍ଶିତ ହେବ। ୨୦୧୭ ମସିହା ଡିସେମ୍ବର ୨୯ ତାରିଖରେ ଏହି ପାହାଡ଼ ଚଢ଼ା ଉପକରଣଗୁଡ଼ିକ ସେ ରାଜ୍ୟ ସଂଗ୍ରହାଳୟକୁ ଦାନ କରିଥିଲେ। ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ଅବସରରେ ଏହାକୁ ସଂଗ୍ରହାଳୟର ହାତୀ ଦାନ୍ତ ଗ୍ୟାଲେରି ନିକଟରେ ସପ୍ତାହେ ବ୍ୟାପୀ ପ୍ରଦର୍ଶିତ କରାଯାଇଥିଲା। ପରେ ଏହାକୁ ସଂରକ୍ଷିତ ରଖାଯାଇଥିଲା। କଳ୍ପନାଙ୍କର ଅଚାନକ ମୃତ୍ୟୁ ହେବା ପରେ ତାଙ୍କର ଏହି ସନ୍ତକକୁ ସବୁଦିନ ପ୍ରଦର୍ଶନ ପାଇଁ ଯୋଜନା କରାଯାଇଛି। ବାତ୍ୟା ପରଠୁ ବନ୍ଦ ଥିବା ରାଜ୍ୟ ସଂଗ୍ରହାଳୟ ଗତ ୨୪ ତାରିଖରୁ ଖୋଲିଥିବା ବେଳେ ଆସନ୍ତାକାଲି ଏହାକୁ ବିଧିବଦ୍ଧ ଭାବେ ଲୋକାର୍ପଣ କରାଯିବ।

କଳ୍ପନା ନିଜର ମରଣକୁ ଉପଲବ୍ଧ କରିନେଇଥିଲେ ନା କ’ଣ କେଜାଣି, ଦେଢ଼ ବର୍ଷ ପୂର୍ବେ ସଚିବାଳୟସ୍ଥିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀଙ୍କୁ ସ୍ବତଃ ଭେଟି ନିଜର ଏଭରେଷ୍ଟ ଆରୋହଣର ସମସ୍ତ ଉପକରଣ ଦାନ କରିବା କଥା ଜଣାଇଲେ। ଶ୍ରୀ ପାଣିଗ୍ରାହୀ ବି ତୁରନ୍ତ ତାଙ୍କ କଥାକୁ ସମ୍ମାନ ଜଣାଇ ସ୍ବୀକୃତି ଦେଇଥିଲେ। ଫଳସ୍ବରୂପ ସଂଗ୍ରହାଳୟର ପ୍ରତିଷ୍ଠା ଦିବସରେ ୨୦ ହଜାର ଟଙ୍କାର ଅର୍ଥରାଶି ସହ ତାଙ୍କୁ ତତ୍କାଳୀନ ରାଜ୍ୟପାଳ ଏସ୍‌.ସି ଜମିର୍‌ଙ୍କ ହାତରେ ସମ୍ବର୍ଧିତ କରାଯାଇଥିଲା। ଶ୍ରୀ ପାଣିଗ୍ରାହୀଙ୍କ କହିବା ମୁତାବକ, ଯେବେ ସେ ଏହି ଉପକରଣମାନ ଦାନ କରିଥିଲେ ପୁନର୍ବାର ଏଭରେଷ୍ଟ ଆରୋହଣ କରିବା କଥା ମଧ୍ୟ ଜଣାଇଥିଲେ। ଆରୋହଣ କରି ଆଉ ଏକ କୀର୍ତିମାନ ସ୍ଥାପନ ବି କରିନେଇଥିଲେ। ମାତ୍ର ଫେରିବା ବାଟରେ ଅସୁସ୍ଥ ହୋଇ ସେ ମୃତ୍ୟୁବରଣ କଲେ।

କେବଳ ଏଭରେଷ୍ଟ ନୁହେଁ, ୨୦୦୮ ମେ’ ମାସ ୨୧ ତାରିଖରେ ସେ ଆମେରିକା, କାନାଡ଼ା, ନେପାଳର ପର୍ବତାରୋହୀଙ୍କ ଦଳରେ ସାମିଲ୍‌ ହୋଇ ବିଶ୍ବର ଉଚ୍ଚତମ ପର୍ବତ ଶୃଙ୍ଗ ଆରୋହଣ କରିବାରେ ସଫଳ ହୋଇପାରିଥିଲେ। ପେସାରେ ଆଇନଜୀବୀ ଥିଲେ ହେଁ ପର୍ବତ ଆରୋହଣ ଭଳି ଦୁଃସାହସିକ କ୍ରୀଡ଼ାକୁ ଜୀବନର ବ୍ରତ କରିଥିଲେ। ଭାରତ ସମେତ ନେପାଳ, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଓ ୟୁରୋପ‌ର ଅନେକ ପର୍ବତ ଶୃଙ୍ଗ ଆରୋହଣ କରି ଦେଶର ସଫଳ ପର୍ବତ ଆରୋହୀ ଭାବେ ସମଗ୍ର ରାଜ୍ୟରେ ଆଦର୍ଶ ପାଲଟିଥିଲେ।

ସମ୍ବନ୍ଧିତ ଖବର