ଆଜି ଶ୍ରାବଣ ଶେଷ ସୋମବାର, ଏକାମ୍ର କ୍ଷେତ୍ରକୁ ଛୁଟୁଛନ୍ତି କାଉଡ଼ିଆ

ପୁରୁଣା ଭୁବନେଶ୍ୱର: ରାତି ପାହିଲେ ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ପୁଲିସ ଓ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ସନ୍ଧ୍ୟାରୁ କାଉଡ଼ିଆମାନେ ଧାଡ଼ି ବାନ୍ଧି ଏକାମ୍ର କ୍ଷେତ୍ରକୁ ଆସୁଛନ୍ତି। କଟକ ଗଡ଼ଗଡ଼ିଆ ଘାଟ ଓ ବାଙ୍କିରୁ ତୀର୍ଥଜଳ ଆଣି କାଉଡ଼ିଆାମାନେ ପହଞ୍ଚିଛନ୍ତି। ସେମାନେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ଓ ସିଂହଦ୍ୱାର ନିକଟରେ ଅପେକ୍ଷା କରିଛନ୍ତି। ଭୋରୁ ମନ୍ଦିରରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଜଳ ଲାଗି କରିବେ। ମନ୍ଦିରରେ ବାଇଶି ପାହାଚଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ ବନ୍ଧା ଯାଇଛି। ଭୋର ସାଢେ ୩ଟାରେ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇ ୪ଟାରେ ସାହାଣମେଲା ଦର୍ଶନ ଓ ଜଳଲାଗି ଆରମ୍ଭ ହେବ। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ମନ୍ଦିରକୁ ପ୍ରବେଶ କରିବେ। ସିଂହଦ୍ବାରର ଉତ୍ତର ଦକ୍ଷିଣ ପାର୍ଶ୍ବରୁ ଶିଶୁ, ଭିନ୍ନକ୍ଷମ, ମହିଳା, ବରିଷ୍ଠ ନାଗରିକ ଓ କାଉଡ଼ିଆମାନେ ପ୍ରବେଶ କରିବେ। କାଉଡ଼ିଆ ମାନଙ୍କ ପାଇଁ ଅସ୍ଥାୟୀ ଶିବିର ପ୍ରସ୍ତୁତ କରାଯାଇଛି।

ଅଖଣ୍ଡ ଭଜନ
ଶ୍ରୀ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ଅଖଣ୍ଡ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ, ଶାନ୍ତିଲତା ବାରିକ, ଲତା ଘୋଷ, ଆଲୋକ କୁଣ୍ଡୁ, ସ୍ୱରୂପ ନାୟକ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ପରିଷଦର ସଭାପତି ସନତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ, ଅନୁଷ୍ଠାନର ଉପଦେଷ୍ଠା ଡ. ଲକ୍ଷ୍ମୀନାରାୟଣ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ସଂପାଦକ ତବଲା ବାଦକ ସଚିନ ରଥ, କଣ୍ଠଶିଳ୍ପୀ ଅଜୟ କୁମାର ମଲିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର