ଭୁବନେଶ୍ବର: ରାଜଧାନୀରେ ଥିବା ୧୫ଶହ ଷଣ୍ଢ ଓ ବୁଲା ଗୋରୁ, ୪୦ହଜାର କୁକୁର ଏବେ ଖାଦ୍ୟ ନପାଇ ଆଉଟୁପାଉଟୁ ହେଉଛନ୍ତି। ୧୦ରୁ ଅଧିକ କୁକୁର ବିଭିନ୍ନ ଜାଗାରେ ମରି ପଡ଼ିଲେଣି। ଆଉ କିଛି କୁକୁର ଭୋକରେ ଦିନ ଦୁଇଦିନରେ ମରିବା ସ୍ଥିତିରେ ପହଞ୍ଚିଲେଣି। ଷଣ୍ଢ ଓ ଗାଈ ଯେଉଁଠି ଶୋଉଛନ୍ତି, ସେଠାରୁ ଉଠି ପାରୁନାହାନ୍ତି। କିଛି କୁକୁର ତ ପାଗଳ ହୋଇ କାମୁଡ଼ିବାକୁ ଗୋଡ଼ାଇଲେଣି। ଏ ପରିସ୍ଥିତିରେ ବିଏମ୍ସି ବୁଧବାରଠାରୁ ଏମାନଙ୍କୁ ଖାଦ୍ୟ ଦେବାକୁ ଯୋଜନା କରୁଛି। ଲକ୍ଡାଉନ୍କୁ ୭ଦିନ ବିତି ଯାଇଥିବା ବେଳେ ବିଏମ୍ସି ମୁଣ୍ଡରେ ଏବେ ବୁଲା ଗୋରୁ ଓ କୁକୁରଙ୍କ କଥା ପଶିଛି। ତାହା ପୁଣି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଏମ୍ସି ପକ୍ଷରୁ ନିଷ୍ପତ୍ତି ହୋଇଛି ଯେ, ରାଜ୍ୟ ସରକାର ଦିନକୁ ଯେଉଁ ୨୦ହଜାର ଟଙ୍କା ବୁଲା କୁକୁର ଓ ଗୋରୁଙ୍କ ଖାଇବା ପାଇଁ ଦେବେ ସେଥିରୁ ୮ହଜାର ଟଙ୍କା ଷଣ୍ଢ ଓ ବୁଲା ଗୋରୁ ଏବଂ ୧୨ହଜାର ଟଙ୍କା କୁକୁରଙ୍କ ପାଇଁ ଖର୍ଚ୍ଚ ହେବ। ଗଳିକନ୍ଦିରେ କୁକୁର ଓ ଷଣ୍ଢ ବୁଲୁଥିବାରୁ ରାଜଧାନୀର ୨୦୦ଟି ସ୍ଥାନରେ ଖାଦ୍ୟ ବଣ୍ଟା ହେବ। ମୁଖ୍ୟତଃ ଖେଚୁଡି ରନ୍ଧା ହୋଇ କୁକୁର ଓ ଷଣ୍ଢଙ୍କୁ ଦିଆଯିବ। ସୂଚନାଯୋଗ୍ୟ, ବୁଲା କୁକୁର ଓ ଗୋରୁଙ୍କୁ ଖାଇବାକୁ ଦେବାକୁ ରାଜ୍ୟ ସରକାର ବିଏମ୍ସିକୁ ୩ଲକ୍ଷ ୬୦ହଜାର ଟଙ୍କା ଦେଇଛନ୍ତି। ୧୮ଦିନ ପର୍ଯ୍ୟନ୍ତ ଖାଇବାକୁ ଦେବାକୁ କୁହାଯାଇଛି।