ଆଜିଠୁ ଜୁନିଅର୍‌ ହକି ବିଶ୍ବକପ୍‌: ହକିପ୍ରେମୀ ଛଟପଟ

ମୁତୟନ ହେବେ ୨୫ ପ୍ଲାଟୁନ୍ ଫୋର୍ସ, ଜୈବବଳୟରେ ରହିବେ ଖେଳାଳି, ପୁଲିସ କର୍ମଚାରୀଙ୍କ ହେବ ଆର୍‌ଟି-ପିସିଆର୍ ପରୀକ୍ଷା

ଭୁବନେଶ୍ବର ରାତି ପାହିଲେ ଭୁବନେଶ୍ବରରେ ଜୁନିଅର୍‌ ହକି ବିଶ୍ୱକପ୍। ୩ ବର୍ଷ ବ୍ୟବଧାନରେ ଏକ ବଡ଼ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଥିବାରୁ ନବବଧୂ ପରି ସଜେଇ ହୋ‌ଇଛି ସହର। ସବୁ କିଛି ନୂଆ ନୂଆ ଲାଗୁଛି। ସହରର ସୌନ୍ଦର୍ଯ୍ୟୀକରଣ କାମ ଜୋରସୋର୍‌ରେ ଚାଲିଛି। ରାଜଧାନୀର କାନ୍ଥଠାରୁ ଆରମ୍ଭ କରି ରାଜରାସ୍ତା, ସବୁଆଡ଼େ ରଙ୍ଗବେରଙ୍ଗର ଚିତ୍ର ହେଉଛି। ବିଭିନ୍ନ ଛକ ଓ ବସ୍‌ଷ୍ଟାଣ୍ଡରେ ଆକର୍ଷଣୀୟ ହୋର୍ଡିଂ ରାଜଧାନୀରେ ହକି-ଫିଭର୍‌ ଭରି ଦେଉଛି। ମାତ୍ର ବିଶ୍ବକପ୍‌ ମ୍ୟାଚ୍‌ ଦେଖିବା ଉପରେ କଟକଣା ଲାଗିଛି। କରୋନା ସଂକ୍ରମଣକୁ ନଜରରେ ରଖି ଦର୍ଶକଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏହା ହକିପ୍ରେମୀଙ୍କୁ ନିରାଶ କରିଛି। ରାଜଧାନୀ‌ରେ ଏତେ ବଡ଼ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବା ବେଳେ ଷ୍ଟାଡିୟମ୍‌ରେ ବସି ଉପଭୋଗ କରି ନପାରିବା ରାଜଧାନୀବାସୀଙ୍କୁ ହତାଶ କରିଛି। ହେଲେ ସେମାନଙ୍କ ମନ ଭାଙ୍ଗିନି; ଟିଭିରେ ‌ହେଉପଛେ, ଭାରତ ସମେତ ଅନ୍ୟ ଦଳଗୁଡ଼ିକର ମ୍ୟାଚ୍‌ ଦେଖିବାକୁ ମନ ବଳାଇଛନ୍ତି।

ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୁଇଟ୍‌ କରି ‘ଅଲ୍‌ ସେଟ୍‌ ଟୁ ଗୋ’ ଲେଖିଛନ୍ତି। ୪ଟି ଫଟୋ ଛାଡ଼ି ହକି ବିଶ୍ବକପ୍‌ ଲାଗି କଳିଙ୍ଗ ଷ୍ଟାଡିୟମ୍‌ ପ୍ରସ୍ତୁତ ହୋଇ ରହିଥିବା ଦର୍ଶାଇଛନ୍ତି। ହାସ୍‌ଟ୍ୟାଗ୍‌ ଲଗାଇ ‘ଜେଡବ୍ଲୁସି୨୦୨୧’, ‘ରାଇଜିଂ ଷ୍ଟାରସ୍‌’, ‘ଓଡ଼ିଶା ଫର୍‌ ହକି’ ଲେଖି ଉତ୍ସାହ ଭରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିବାର ୧୦ ଘଣ୍ଟା ମଧ୍ୟରେ ୩୦୦ ରି-ଟୁଇଟ୍‌ ସହ ୨୨୦୦ରୁ ଅଧିକ ଲାଇକ୍‌ ହୋଇଛି। ଏଥିସହ କିଛି ଦର୍ଶକ ହକି ଖେଳ ଦେଖିବାକୁ ଅନୁମତି ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି। ସେମାନେ କହିଛନ୍ତି, ଅନ୍ୟ ରାଜ୍ୟର ଲୋକେ ଷ୍ଟାଡିୟମ୍‌ରେ ବସି କ୍ରିକେଟ୍‌ ‌ମ୍ୟାଚ୍‌ ଦେଖୁଛନ୍ତି। ମାତ୍ର ଆମ ରାଜ୍ୟରେ ଜୁନିଅର ବିଶ୍ବକପ୍‌ ହକି ବିନା ଦର୍ଶକରେ ହେଉଛି। ଏଭଳି ପାନ୍ତରଅନ୍ତର କାହିଁକି? ଷ୍ଟାଡିୟମ୍‌ରେ ୫୦%ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବାକୁ ଅନୁମତି ଦିଆଯାଉ ବୋଲି ସେମାନେ ରି-ଟୁଇଟ୍‌ କରି ଅନୁରୋଧ କରିଛନ୍ତି।

ମୁତୟନ ହେବେ ୨୫ ପ୍ଲାଟୁନ୍ ଫୋର୍ସ, ଜୈବବଳୟରେ ରହିବେ ଖେଳାଳି, ପୁଲିସ କର୍ମଚାରୀଙ୍କ ହେବ ଆର୍‌ଟି-ପିସିଆର୍ ପରୀକ୍ଷା

ଭୁବନେଶ୍ବର: ବିଶ୍ବକପ୍ ହକି ପ୍ରତିଯୋଗିତାର ସୁରକ୍ଷା ବ୍ୟବସ୍ଥା ଭୁବନେଶ୍ବର ଡିସିପିଙ୍କ ହାତରେ ନ୍ୟସ୍ତ ରହିବ। ଡିସିପିଙ୍କ ଅଧୀନରେ ୫ଜଣ ଅତିରିକ୍ତି ଏସ୍‌ପି, ୮ଜଣ ଡିଏସ୍‌ପି, ୨୬ଜଣ ଆଇଆଇସି, ୭୨ଜଣ ଅଫିସର୍, ୩୦ଜଣ ହାବିଲଦାରଙ୍କ ସମେତ ପ୍ରାୟ ୨୫ପ୍ଲାଟୁନ୍ ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବ। ୨୫ ପ୍ଲାଟୁନ୍ ଅର୍ଥାତ୍ ୮୦୦ ପୁଲିସ କର୍ମଚାରୀ ଷ୍ଟାଡିୟମ୍‌ଠାରୁ ଆରମ୍ଭ କରି ସେମାନେ ରହୁଥିବା ହୋଟେଲଗୁଡ଼ିକୁ ଜଗିବେ। ଖେଳାଳିଙ୍କ ଅଭ୍ୟାସରେ ଯେମିତି ବାଧା ସୃଷ୍ଟି ନ ହେବ ଏବଂ ସେମାନେ ନିର୍ଜନରେ ଅଭ୍ୟାସ କରିବେ, ସେଥିପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଯୋଗଦେଇ ପୁଲିସ୍‌ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି। ବୈଠକରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ମଧ୍ୟ ଉପସ୍ଥିତ ଥିଲେ।
ଅପରପକ୍ଷେ ଖେଳାଳିମାନେ ବିଶ୍ବକପ୍‌ ଶେଷ ହେବା ପର୍ଯ୍ୟନ୍ତ ଜୈବବଳୟ ମଧ୍ୟରେ ରହିବାକୁ ନିଷ୍ପତ୍ତି ହୋଇଥିବାରୁ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି। ବିଶ୍ବକପ୍‌ ଦାୟିତ୍ବ ପାଇଁ ସ୍ଥିରୀକୃତ ହୋଇଥିବା ସମସ୍ତ ପୁଲିସ୍ କର୍ମଚାରୀଙ୍କ ଆର୍‌ଟିପିସିଆର୍ ପରୀକ୍ଷା କରାଯିବା ପରେ ସେମାନଙ୍କୁ ସୁରକ୍ଷା ଦାୟିତ୍ବ ପାଇଁ ଚୟନ କରାଯିବ। ସେହିଭଳି ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ବା ବିଶ୍ବକପ୍ ଆୟୋଜନରେ କମିସନରେଟ୍ ପୁଲିସ ପାଖରେ ଅନେକ ଅନୁଭବ ମଧ୍ୟ ରହିଛି। ଉକ୍ତ ଅଭିଜ୍ଞତାକୁ ଆଧାର କରି ଭୁବନେଶ୍ବରର ସମସ୍ତ ପୁଲିସ କର୍ମଚାରୀଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।
ଦର୍ଶକବିହୀନ ହକି ବିଶ୍ବକପ୍ ଆୟୋଜନ ହେଉଥିବାରୁ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଅପେକ୍ଷାକୃତ କମ୍ ଗୁରୁତ୍ବ ଦିଆଯାଇଛି। ଯଦିବା ହୋଟେଲ୍‌ରୁ ଷ୍ଟାଡିୟମ୍ ଯିବା ଭିତରେ ଛକମାନଙ୍କରେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକ ରୁହନ୍ତି, ସେଥିପାଇଁ ସାଧାରଣ ସୁରକ୍ଷା ବ୍ୟବସ୍ଥା ଆପଣାଯିବ। ବୈଠକ ପରେ ଉଭୟ ସିପି ଓ ଡିସିପି ଆସନ୍ତାକାଲି ଖେଳ ଅନୁଷ୍ଠିତ ହେବାକୁ ଥିବା ଷ୍ଟାଡିୟମ୍‌ ବୁଲି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର