ଧଉଳିକୁ ଆଜିଠୁ ଗଡ଼ିବ ସଟଲ୍‌ ବସ୍‌

ଭୁବନେଶ୍ୱର: ଧଉଳିରେ ବାରମ୍ବାର ବସ୍‌ ଦୁର୍ଘଟଣା ଘଟିବା ପରେ ଚେତିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ପର୍ଯ୍ୟଟକଙ୍କୁ ଧଉଳି ନେଇ ଯାଉଥିବା ବଡ଼ ବସ୍‌ ଅନେକ ସମୟରେ ଫେରିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ଏହାକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ଧଉଳି ନିକଟକୁ ନିରାପଦରେ ଯିବା ପାଇଁ ବିଭାଗ ପକ୍ଷରୁ ୬ଟି ୨୬ ସିଟ୍‌ ବିଶିଷ୍ଟ (ସଟଲ୍‌ ସର୍ଭିସ୍‌)ଏସି ବସ୍‌ ଚଳାଚଳ କରିବ। ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ବଡ଼ ବସ୍‌ଗୁଡ଼ିକ ଏଣିକି ଧଉଳି ପାଦ ଦେଶର ୧ କିଲୋମିଟର ପୂର୍ବରୁ ପ୍ରସ୍ତୁତ ହୋଇଥିବା ପାର୍କିଂ ଅଞ୍ଚଳରେ ପାର୍କିଂ କରାଯିବ। ସେଠାରୁ ପର୍ଯ୍ୟଟକମାନେ ଏସି ସଟଲ୍‌ ବସ୍‌ରେ ଯାତ୍ରା କରିବେ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏବଂ ଟିଡିସି ଏହାର ପରିଚାଳନା ଦାୟିତ୍ୱରେ ରହିବ। ଏଥିପାଇଁ ମୁଣ୍ଡପିଛା ଟିକେଟ୍‌ ଦର ୧୦ ଟଙ୍କା ସ୍ଥିର କରାଯାଇଛି। ଅର୍ଥାତ ଜଣେ ବସ୍‌ରେ ଯାଇଥିବା ଯାତ୍ରୀ ଯିବା ଆସିବା ପାଇଁ ୨୦ ଟଙ୍କା ବ୍ୟୟ କରିବେ। ଆସନ୍ତାକାଲି ତଥା ରବିବାର ସକାଳ ୯ଟା ସମୟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏହି ୬ଟି ବସ୍‌କୁ ଉଦ୍‌ଘାଟନ କରିବେ।

ଏହି ମିନି ବସ୍‌ ଯାତାୟାତ ଫଳରେ ଧଉଳି ପାଦଦେଶରେ ବେଶି ଭିଡ଼ ଜମିବ ନାହିଁ କି ଦୁର୍ଘଟଣା ଘଟିବ ନାହିଁ। ଓଟିଡିସିର ତାଲିମପ୍ରାପ୍ତ ଚାଳକ ଏହି ବସ୍‌ ଚଳାଇବେ ବୋଲି ପର୍ଯ୍ୟଟନ ବିଭାଗର ନିର୍ଦେଶକ ନିତିନ ଭାନୁଦାସ ଜଓ୍ଵାଲେ କହିଛନ୍ତି। ସଂପୃକ୍ତ ପାର୍କିଂ ସ୍ଥଳରେ ୫୦ଟି ବଡ଼ ବସ୍‌ ଏକକାଳୀନ ପାର୍କିଂ ହୋଇପାରିବ। ପ୍ରତି ୧୫ ମିନିଟ୍‌ରେ ପର୍ଯ୍ୟଟକ ଏହି ବସ୍‌ର ସୁବିଧା ପାଇପାରିବେ। ପାର୍କିଂ ସ୍ଥଳ ସନ୍ନିକଟ ମାର୍କେଟ୍‌ କମ୍ପ୍ଲେକ୍ସକୁ ମଧ୍ୟ ଖୋଲିବାର ବ୍ୟବସ୍ଥା କରାଯିବ। ଏଥିସହ ଫାଉଣ୍ଟେନ୍‌କୁ ମଧ୍ୟ କାର୍ଯ୍ୟକାରିତା ନେଇ ଦୃଷ୍ଟି ଦିଆଯିବ ବୋଲି ଓଟିଡିସିର ମହାପ୍ରବନ୍ଧକ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ କହିଛନ୍ତି। ଏଥିସହ ଧଉଳି ରାସ୍ତାରେ ଏଣିକି ଟୋଲ୍‌ ଗେଟ୍‌ ରହିବ ନାହିଁ। ତେବେ ବାଇକ୍‌, କାର୍‌ ଏବଂ ଏହି ସଦୃଶ ଗାଡ଼ିଗୁଡ଼ିକ ଧଉଳି ନିକଟବର୍ତୀ ପାର୍କିଂ ସ୍ଥଳରେ ପାର୍କିଂ କରିପାରିବେ ବୋଲି ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ, ଏସ୍‌ଏସ୍‌ ସାମନ୍ତରାୟ, ଡ.ଆଲୋକ ରଂଜନ ମିଶ୍ର, ପିକେ ଚାନ୍ଦ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର