ଆଜି ଟେଡି ଡେ’: ସଂପର୍କର ଡୋରକୁ ମଜଭୁତ କରିଥାଏ ଟେଡି

ହୃଦୟ ଆକୃତି ଟେଡିର ଚାହିଦା ଅଧିକ

ଭୁବନେଶ୍ୱର: ପ୍ରେମ ସପ୍ତାହର ଚତୁର୍ଥ ଦିନ ହେଉଛି ଟେଡି ଡେ’। ଏହି ଦିନରେ ପ୍ରେମୀ ଯୁଗଳ ସମ୍ପର୍କରେ ମଧୁରତା ଆଣିବା ଓ ସଂପର୍କର ଡୋରକୁ ଅଧିକ ମଜଭୁତ କରିବା ପାଇଁ ପରସ୍ପରକୁ କିଛିନା କିଛି ଉପହାର ଦେଇଥାନ୍ତି। ତେବେ ଟେଡି ବା କଣ୍ଢେଇ ଉପହାର ପ୍ରଦାନ ଦ୍ବାରା ସଂପର୍କରେ ଘନିଷ୍ଠତା ଆସିଥାଏ ବୋଲି ବିଶ୍ବାସ ରହିଛି। କେହି କେହି ନିଜର ପ୍ରେମିକ/ପ୍ରେମିକା ତଥା ଆତ୍ମୀୟସ୍ୱଜନଙ୍କୁ ଟେଡି ଦେଇ ସମ୍ପର୍କକୁ ଆହୁରି ମଧୁର କରିଥାନ୍ତି। ଯୁବପିଢ଼ିଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଏଥିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ଏହି ଦିନଟିକୁ କେବଳ ପ୍ରେମିକ/ପ୍ରେମିକାଙ୍କ ନୁହେଁ ବରଂ ପରିବାରର ଅନ୍ୟ ସଦସ୍ୟ ତଥା ଛୋଟ ପିଲାମାନେ ପାଳନ କରିଥାନ୍ତି।

ଟେଡି ଡେ’ ପାଇଁ ଭୁବନେଶ୍ୱରର ବିଭିନ୍ନ ବଡ଼ ବଡ଼ ଦୋକାନଠାରୁ ଆରମ୍ଭ କରି ରାସ୍ତା କଡ଼ ଉଠା ଦୋକାନୀ ପର୍ଯ୍ୟନ୍ତ ସବୁଠି ବିକ୍ରି ହେଉଛି ଭଳିକି ଭଳି ଟେଡି। ବଜାରରେ ମିଳୁଥିବା ଏହି ସୁନ୍ଦର୍ ଟେଡିଗୁଡ଼ିକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତି ପ୍ରେମ ସପ୍ତାହକୁ ଦୃଷ୍ଟିରେ ରଖି ପ୍ରେମୀ ଯୁଗଳଙ୍କୁ ଆକୃଷ୍ଟ କଲା ଭଳି ବିଭିନ୍ନ ଆକୃତିର ଟେଡି ତିଆରି କରିଛନ୍ତି।

ଏଥିରେ ଛୋଟରୁ ଆରମ୍ଭ କରି ୬ ଫୁଟ୍ ଉଚ୍ଚତା ବିଶିଷ୍ଟ ଟେଡି ରହିଛି। ରାସ୍ତା କଡ଼ରେ ବିକ୍ରି ହେଉଥିବା ଟେଡିଗୁଡ଼ିକର ଦାମ୍ ସର୍ବନିମ୍ନ ୧୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା କଥା ବ୍ୟବସାୟୀ ଦେବରାଜ ଦାସ ସୂଚନା ଦେଇଛନ୍ତି। କିନ୍ତୁ ସୋ’ ରୁମ୍‌ରେ ଏହି ଟେଡିର ମୂଲ୍ୟ ୩୦୦ ଟଙ୍କାରୁ ଆରମ୍ଭ ହେଉଛି। ଏହାର ସର୍ବାଧିକ ମୂଲ୍ୟ ୫ ହଜାର ଟଙ୍କା ଥିବା ଜଣେ ସୋ’ରୁମ୍ ବ୍ୟବସାୟୀ କହିଛନ୍ତି। ତେବେ ନାଲି, ନୀଳ ଓ ଗୋଲାପୀ ରଙ୍ଗ ଟେଡିର ଚାହିଦା ଅଧିକ ରହୁଛି। ଭାଲେଣ୍ଟାଇନ୍ ସପ୍ତାହରେ ହୃଦୟ ଆକୃତିର ଟେଡିର ଅଧିକ ଚାହିଦା ଥିବା ବ୍ୟବସାୟୀ କହିଛନ୍ତି।

ଦୋକାନୀ ଦେବରାଜ ଦାସଙ୍କ କହିବା ଅନୁସାରେ ବିକ୍ରି ଧୀରେ ଧୀରେ ବଢୁଛି। ଏହାକୁ ଦୃଷ୍ଟିରେ ରଖି ସେ କୋଲକାତାରୁ ପ୍ରାୟ ୫୦ ହଜାର ଟଙ୍କାର ସାମଗ୍ରୀ କିଣି ରଖିଛନ୍ତି। ପ୍ରାୟ ୭୦ରୁ ୮୦ ହଜାର ଟଙ୍କାର ଟେଡି ତିଆରି କରିଥିବା କହିଛନ୍ତି। ଏହାମଧ୍ୟରୁ ୨ରୁ ୩ ଫୁଟ ଉଚ୍ଚତା ବିଶିଷ୍ଟ ଟେଡି ଗୁଡ଼ିକ ଅଧିକ ବିକ୍ରି ହେଉଛି। ଆଗକୁ ମଧ୍ୟ ବେପାର ବଢ଼ିବାର ଆଶା ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର