କଟକଣା ଉଲ୍ଲଂଘନ ରୋକିବାକୁ ବିଏମ୍ସିର ସ୍ବତନ୍ତ୍ର ବ୍ୟବସ୍ଥା
ବାହାର ରାଜ୍ୟର ଯାତ୍ରୀଙ୍କ ଉପରେ ରହିବ କଡ଼ା ନଜର
ଅସୁବିଧାର ସମ୍ମୁଖୀନ ହେବେନି କରୋନା ଆକ୍ରାନ୍ତ
ଖୋଲା ରହିବ ହସ୍ପିଟାଲ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ୍
ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଣ୍ଟାଏ କୋହଳ
ଭୁବନେଶ୍ବର : ବଢ଼ୁଥିବା କୋଭିଡ୍ ସଂକ୍ରମଣରେ ରୋକ୍ ଲଗାଇବା ଲାଗି ଶନିବାରଠାରୁ ରାଜ୍ୟର ସମସ୍ତ ସହରରେ ସପ୍ତାହାନ୍ତ ସଟ୍ଡାଉନ୍ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ହଟ୍ସ୍ପଟ୍ ପାଲଟିଥିବା ଭୁବନେଶ୍ବରରେ ସଟ୍ଡାଉନ୍କୁ କଡ଼ାକଡ଼ି କରିବାକୁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। କୌଣସି ସ୍ଥାନରେ ଯେପରି କଟକଣା ଉଲ୍ଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜୋନ୍ ଅଧିକାରୀମାନଙ୍କୁ କୁହାଯାଇଛି। ଅଧିକାରୀମାନେ ଦିନରାତି ୨୪ ଘଣ୍ଟା ସଜାଗ ରହିବା ସହ ଟ୍ରେନ୍, ବିମାନ ଯୋଗେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ସଟ୍ଡାଉନ୍ ଦ୍ବାରା ସହରରେ କରୋନା ଆକ୍ରାନ୍ତ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ହେଲ୍ପ ଲାଇନ୍ ନମ୍ବର ୧୯୨୯କୁ ଯୋଗାଯୋଗ କରିବାକୁ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ସହରବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ଶ୍ରୀ ଚୌଧରୀ କହିଛନ୍ତି ଯେ ଶନିବାର ସକାଳୁ ସପ୍ତାହାନ୍ତ ସଟ୍ଡାଉନ୍ ଆରମ୍ଭ ହେବ। ତେବେ ଶୁକ୍ରବାର ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ତେଣୁ ଏହା ଶେଷ ହେବା କ୍ଷଣି ସଟ୍ଡାଉନ୍ ଆରମ୍ଭ ହୋଇଯିବ। ଏହି ସଟ୍ଡାଉନ୍ ସୋମବାର ସକାଳ ପର୍ଯ୍ୟନ୍ତ ରହିବ। ଏହି ସମୟ ମଧ୍ୟରେ ସହରବାସୀ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡ୍ଲାଇନ୍ ଆଧାରରେ କମିସନରେଟ୍ ପୁଲିସ ସହାୟତାରେ ସପ୍ତାହନ୍ତ ସଟ୍ଡାଉନ୍କୁ ସହରରେ କଡ଼ାକଡ଼ି କରିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି। ତେବେ ସଟ୍ଡାଉନ୍ ସମୟରେ କିଛି କ୍ଷେତ୍ରକୁ କଟକଣାମୁକ୍ତ କରାଯାଇଛି। ଏହି ସମୟରେ ସମସ୍ତ ହସ୍ପିଟାଲ୍, ଔଷଧ ଦୋକାନ ଖୋଲା ରହିବ। ଏଠାରେ କାମ କରୁଥିବା ଡାକ୍ତର ଓ କର୍ମଚାରୀମାନେ ବିନା ବାଧାରେ ଯା’ଆସ କରିପାରିବେ। ଟେଲିକମ୍ ଓ ପେଟ୍ରୋଲ ପମ୍ପ ସମେତ ଜରୁରୀକାଳୀନ କାର୍ଯ୍ୟ କରୁଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଖୋଲାରହିବ। ଜଳଯୋଗାଣ, ବିଦ୍ୟୁତ ଯୋଗାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ କଟକଣାମୁକ୍ତ କରାଯାଇଛି। ଶିଳ୍ପ ସଂସ୍ଥା ଓ ନିର୍ମାଣ କାମ ଜାରି ରହିବ। କୃଷି, ମତ୍ସ୍ୟ, ପଶୁପାଳନ ସମ୍ପର୍କିତ କାର୍ଯ୍ୟରେ ବାଧା ଦିଆଯିବ ନାହିଁ। ହୋଟେଲ୍, ଆଇଟି ସଂସ୍ଥା ଆଦି କାର୍ଯ୍ୟ କରିବ। ଗଣମାଧ୍ୟମ କର୍ମଚାରୀ ଯଥାରୀତି କାମ କରିବେ। ବିଏମ୍ସିର ଅନୁମତି ନେଇ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ। ସେହିପରି ବିମାନବନ୍ଦର, ରେଳଷ୍ଟେସନ୍ ଓ ବସ୍ଷ୍ଟାଣ୍ଡ୍କୁ ଯାତ୍ରୀ ନେବା ଆଣିବା କରୁଥିବା ଗାଡ଼ିକୁ ଅନୁମତି ଦିଆଯିବ। ରେସ୍ତୋଁରା ଓ ଢାବାରେ କେବଳ ଖାଦ୍ୟ ପାର୍ସଲ୍ ହେବ। ଖବରକାଗଜ ହକର୍ମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କରିବେ। ସଟ୍ଡାଉନ୍ ପାଇଁ କାହାକୁ ସ୍ବତନ୍ତ୍ର ପାସ୍ ଦିଆଯିବ ନାହିଁ।
ଅନ୍ୟପକ୍ଷରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଆଜି ଘୋଷଣା ହୋଇଥିବା ଘଣ୍ଟାଏ କୋହଳ ନିୟମକୁ ରାଜଧାନୀରେ ଲାଗୁ କରାଯିବ। ଶନିବାର ଓ ରବିବାର ସଟ୍ଡାଉନ୍ ହେବାକୁ ଥିବାରୁ ଏହି ଦୁଇ ଦିନ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଣ୍ଟାଏ ଲେଖାଏଁ କଟକଣା କୋହଳ କରାଯାଇଛି। ଏହି ସମୟରେ ସହରବାସୀ ମର୍ଣ୍ଣିଂ ୱାକ୍, ସାଇକ୍ଲିଂ କରିବାକୁ ବାହାରକୁ ଆସିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/shutdown-1.jpg)