ଆଜି ‘ଓଡ଼ିଶା ଦିବସ’ ଏବେ ବି ସାକାର ହୋଇନି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ବପ୍ନ !

ଏବେ ଓଡ଼ିଆ ବୋଲି ଗର୍ବ କରିବାର ଅବକାଶ ନାହିଁ, ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ନିର୍ମାଣର କୌଣସି ସଂକଳ୍ପ ପୂର୍ଣ୍ଣ ହୋଇନାହିଁ

୧୯୩୬ ଏପ୍ରିଲ୍ ପହିଲାରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା ଓଡ଼ିଶା। ଆଜି ସେହି ଗୌରବମୟ ଓ ସ୍ମରଣୀୟ ଅବସରର ଜନ୍ମତିଥି। ପ୍ରଦେଶ ଗଠନର ୮୫ ବର୍ଷ ପରେ ଓଡ଼ିଶା କେତେ ପ୍ରଗତି କରିଛି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କେତେ ସମୃଦ୍ଧ ହୋଇଛି ତାହା ଆଜି ଆକଳନ କରିବାର ବେଳ। ବିଡ଼ମ୍ବନା ହେଲା ସରକାରୀ ଘୋଷଣା ସତ୍ତ୍ବେ ଏବେ ବି ‘ଓଡ଼ିଆ’ ଭାଷା ସରକାରୀ କାର୍ଯ୍ୟାଳୟରେ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲେ ବି ଓଡ଼ିଆ ଭାଷାସାହିତ୍ୟ ଅଧ୍ୟୟନ କରିବାକୁ, ଏପରିକି କଥାବାର୍ତ୍ତା କରିବାକୁ ବି ଓଡ଼ିଆ ପୁଅଝିଅ ପଛଘୁଞ୍ଚା ଦେଉଛନ୍ତି। ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଓଡ଼ିଶାରେ ସାମିଲ କରିବା ଦୂରେ ଥାଉ; ଏବେ ବି ଓଡ଼ିଶାର ଅନେକ ସୀମାନ୍ତ ଇଲାକାକୁ ମାଡ଼ି ବସିଛନ୍ତି ପଡ଼ୋଶୀ। ଓଡ଼ିଶାର ଯଶସ୍ବୀ ଲେଖକ, ଲେଖିକାଙ୍କ ଅନବଦ୍ୟ ସୃଷ୍ଟିକୁ ସରକାରୀ ଭାବେ ସାଇତା ଯାଇ ପାରିନାହିଁ। ଓଡ଼ିଆ ଭାଷା ଅନ୍ୟ ଭାଷା ସହ ତାଳ ଦେଇ ସାମାଜିକ ଗଣମାଧ୍ୟମରେ ଅଗ୍ରଗତି କରିପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦଶନ୍ଧି ଦଶନ୍ଧି ଧରି ସଂଘର୍ଷ କରିଥିବା ଏବଂ ଅନେକ ତ୍ୟାଗ ସ୍ବୀକାର କରିଥିବା ଆମ ପୂର୍ବସୁରୀମାନଙ୍କ ଲକ୍ଷ୍ୟ ଓ ସ୍ବପ୍ନ ସାକାର ହୋଇଛି କି? ଆଜି ‘ଓଡ଼ିଶା ଦିବସ’ ଅବସରରେ ରାଜ୍ୟର ପ୍ରଥିତଯଶା ସାହିତ୍ୟିକମାନଙ୍କ ମତାମତକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

 

ଏବେ ଓଡ଼ିଆ ବୋଲି ଗର୍ବ କରିବାର ଅବକାଶ ନାହିଁ

୮୫ ବର୍ଷ ତଳେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ରୂପେ ଗଠନ ହୋଇଥିଲା।ଭାରତ ସ୍ଵାଧୀନତା ହେବା ଆଗରୁ ଓଡ଼ିଶା ନିଜର ସ୍ୱତନ୍ତ୍ରତା ଲାଭ କରି ସାରିଥିଲା। ସେତେବେଳେ ଇଂରେଜ ସରକାର ଓଡ଼ିଶାକୁ ଭାଷା ଭିତ୍ତିରେ ମାନ୍ୟତା ଦେଇଥିଲେ। ଏହାପରେ ଅନେକ ରାଜ୍ୟରେ ଭାଷା ଭିତ୍ତିରେ ନାମକାରଣ ଆରମ୍ଭ ହେଲା। ସ୍ବୟଂ ମହାତ୍ମା ଗାନ୍ଧୀ ମଧ୍ୟ ପ୍ରଥମେ ନିଜ ମାତୃଭାଷା ଗୁଜୁରାଟୀରେ ଲେଖିଥିଲେ। ପରେ ଓଡ଼ିଶାର ଅନେକ ଜାଗାରେ ସଭା କରି ଉତ୍କଳମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଓଡ଼ିଶାର ଓଡ଼ିଆ ଭାଷାର ମହତ୍ୱ ବୁଝାଇଥିଲେ। ଓଡ଼ିଶା ନିଜ ସୀମା ନିର୍ଧାରଣ କଲା, ହେଲେ ଅନେକ ଅଂଶ ସ୍ଵାଧୀନତା ପରେ ମଧ୍ୟ ଫେରିଲା ନାହିଁ। ଆଜିକାଲି ଓଡ଼ିଶାର ପିଲା ହୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଓଡ଼ିଆରେ ଲେଖିବା ତ ଦୂରେ ଥାଉ; କହିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ ଭାଷା ଭିତ୍ତିକ ଶିକ୍ଷା ଦେବାର ଗୁରୁତ୍ବ ଅଧିକ ବଢ଼ି ଯାଇଛି। ଓଡ଼ିଶା ମଧ୍ୟରେ ଅନେକ ଭାଷା ନିଜର ସ୍ୱତନ୍ତ୍ରତା ପାଇଁ ଲଢ଼େଇ କଲେଣି ଏବଂ ଏବେ ସଂପୂର୍ଣ୍ଣ ଶୁଦ୍ଧ ଓଡ଼ିଆ ମଧ୍ୟ କେହି କହିପାରୁ ନାହାନ୍ତି। ଓଡ଼ିଆ ବୋଲି ଗର୍ବ କରୁଥିଲୁ; ହେଲେ ଏବେ ଗର୍ବ କରିବାର ଅବକାଶ ନାହିଁ।

-ବିଭୂତି ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ

 

ପୁରୁଣାକୁ ସଂରକ୍ଷଣ, ନୂତନକୁ ପ୍ରୋତ୍ସାହନ ଦିଆଯାଉ

ଯେଉଁ ଲକ୍ଷ୍ୟ ନେଇ ସ୍ଵତନ୍ତ୍ର ଓଡ଼ିଶା ଗଠନ କରାଯାଇଥିଲା ତାହା ଫଳବତୀ ହେବା ପରି ଲାଗୁନି। ଲକ୍ଷ୍ୟ ଥିଲା ଭାଷାର ଭିତ୍ତିଭୂମି ସ୍ଥାପନ, ଭାଷାକୁ ବଞ୍ଚାଇ ରଖିବା ଏବଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି ରଖିବା। ଯାହା ସଫଳ ହୋଇ ନାହିଁ। ନିଜ ସୀମା ପାଇଁ ବିବାଦ ଲାଗି ରହୁଛି। ସେଠି ଆମେ ସଚେତନ କି? ଓଡ଼ିଆ ଭାଷାର ଉନ୍ନତି ପାଇଁ ସରକାର କି ବିଭାଗ ସେପରି କିଛି ଆଖି ଦୃଶିଆ କାମ କରି ନାହାନ୍ତି। ଓଡ଼ିଶାର ପିଲା ହୋଇ ଓଡ଼ିଆରେ କଥା ହେଉ ନାହାନ୍ତି। ରାସ୍ତା, ଘାଟ ଓ ଅଫିସ୍‌ରେ ଏଯାବତ୍ ସଂପୂର୍ଣ୍ଣ ଓଡ଼ିଆରେ ଲେଖା ହୋଇ ନାହିଁ। ରାଜନୈତିକ ମାନଚିତ୍ରରେ ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପୂର୍ବରୁ ଯାହା ଥିଲା ତା’ ତ ମିଳିଲାନି ବରଂ ଯାହା ଥିଲା ତାହା ମଧ୍ୟ ଧୀରେ ଧୀରେ ହରାଉଛି। ଓଡ଼ିଶାର ବହୁ ପୁରୁଣା ଓ ପ୍ରଖ୍ୟାତ ଲେଖକଙ୍କ ଯେଉଁ ସୃଷ୍ଟି ରହିଛି; ତାହା ମଧ୍ୟ କୌଣସି ସ୍ଥାନରେ ସଂରକ୍ଷିତ ହୋଇ ରହି ପାରୁନାହିଁ। ସୁବିଧାରେ ଓ ସହଜରେ ପାଠକମାନେ କାହା ବହି ପାଇ ପାରୁନାହାନ୍ତି। ତେଣୁ ଉତ୍କଳ ଦିବସକୁ କେବଳ ସଭା ସମିତିରେ ସୀମିତ ନ ରଖି ଆତ୍ମସମୀକ୍ଷା କରିବାକୁ ହେବ। କିପରି ଓଡ଼ିଆ ଭାଷାର ଉନ୍ନତି ହେବ ସେଥି ପ୍ରତି ଯତ୍ନଶୀଳ ହେବାକୁ ହେବ। ପୁରୁଣାକୁ ସଂରକ୍ଷଣ କରିବାକୁ ଚେଷ୍ଟା କରାଯିବା ସହିତ ନୂତନକୁ ପ୍ରୋତ୍ସାହନ ଦେବାକୁ ହେବ।

-ପ୍ରତିଭା ରାୟ, ପ୍ରଖ୍ୟାତ ଲେଖିକା

 

ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ନିର୍ମାଣର କୌଣସି ସଂକଳ୍ପ ପୂର୍ଣ୍ଣ ହୋଇନାହିଁ

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଏକ ଭାଷା ଭିତ୍ତିକ ପ୍ରଦେଶ ଭାବରେ ନିର୍ମାଣ ହେବାର ପରିଯୋଜନା ଏକ ଅସମାପ୍ତି ପରିଯୋଜନା। ଏ ପର୍ଯ୍ୟନ୍ତ ପୂର୍ବ ଅଞ୍ଚଳ, ଉତ୍ତର ଅଞ୍ଚଳ, ଦକ୍ଷିଣରେ ବିସ୍ତୃତ ଓଡ଼ିଆ ଭାଷାଭାଷୀ କ୍ଷେତ୍ର ଓଡ଼ିଶା ବାହାରେ ଅଛନ୍ତି। ଏହି କ୍ଷେତ୍ରଗୁଡ଼ିକ ବର୍ତ୍ତମାନ ରାଜନୈତିକ ଓଡ଼ିଶା ସହିତ ଏକୀଭୂତ ନ ହେବା ପର୍ଯ୍ୟନ୍ତ ଭାଷାଭିତ୍ତିକ ରାଜ୍ୟ ନିର୍ମାଣର ପରିଯୋଜନା ଆସମାପ୍ତି ହୋଇ ରହିବ। ଏହିଭଳି ହୋଇ ପାରେ ଯେ ଆଉ କିଛି ବର୍ଷ ପରେ ଓଡ଼ିଶାର ଭାଷା, ସଂସ୍କୃତି, ପରିଚିତିର ଚିହ୍ନଗୁଡ଼ିକ ଲୋପ ପାଇଯିବ। ଏବେ ମଧ୍ୟ ଓଡ଼ିଆ ଭାଷା ବ୍ୟବହାରକୁ ନେଇ ଓଡ଼ିଆମାନେ ଅସନ୍ତୁଷ୍ଟ। ଏବେ ମଧ୍ୟ ଜାତୀୟସ୍ତରରେ ଓଡ଼ିଶାର ଭାବମୂର୍ତ୍ତି ନେତୃସ୍ଥାନରେ ଆସି ନାହିଁ। ଏବେ ମଧ୍ୟ ଓଡ଼ିଆମାନେ ଓଡ଼ିଆତ୍ୱକୁ ନେଇ ଗର୍ବ କରିବା ଶିଖି ନାହାନ୍ତି। ଓଡ଼ିଆ ଅସ୍ମିତା ପ୍ରସଙ୍ଗର ଆଲୋଚନା ହେଉଛି। ସ୍ଥଳ ବିଶେଷରେ ବିତର୍କିତ ହେଇଛି। ଓଡ଼ିଆ ସଂସ୍କୃତି ସନାତନି ଭାରତୀୟର ଜୀବିତ ମୂଳ ପିଣ୍ଡର ଏକ ଅଂଶ। ଆମେ ଏ ପର୍ଯ୍ୟନ୍ତ କହି ପାରି ନାହେଁ ଯେ ଓଡ଼ିଆ ରାଜତନ୍ତ୍ର ଭିତରେ ହିଁ ଗଣତନ୍ତ୍ରର ପ୍ରଥମ ପରୀକ୍ଷା ହୋଇଥିଲା। ଏ ପର୍ଯ୍ୟନ୍ତ ଆମ ମୌଳିକତା, ଶାସ୍ତ୍ରୀୟତା, ସାଂସ୍କୃତିକତା ଓ ଆଧ୍ୟାତ୍ମିକତା ଜାତୀୟସ୍ତରରେ ପ୍ରତିଷ୍ଠା ଦେବା ପାଇଁ ପ୍ରୟାସ କରି ନାହିଁ।

-ହରପ୍ରସାଦ ଦାସ, ବିଶିଷ୍ଟ ସହିତ୍ୟିକ

 

ଓଡ଼ିଶା ନିଜର ସ୍ବତନ୍ତ୍ର ପରିଚୟ ପାଇଛି

ଓଡ଼ିଶା ନିଜର ସ୍ଵତନ୍ତ୍ର ପରିଚୟ ପାଇଛି। ୮୫ ବର୍ଷ ମଧ୍ୟରେ ଅନେକ ଉନ୍ନତି ଓଡ଼ିଶା ଦେଖିଛି। ଆମେ ଯେଉଁ ଅବସ୍ଥାରେ ଓଡ଼ିଶାକୁ ଦେଖିଥିଲୁ; ସେଠାରୁ ଢେର୍ ଉନ୍ନତି ବିଗତ ଦିନମାନଙ୍କରେ କରିଛି। ଓଡ଼ିଶା ବାହାରେ ଓଡ଼ିଶାକୁ ନିଜ ନାମରେ ଲୋକେ ଜାଣିଲେଣି। ବିଦେଶରେ ଓଡ଼ିଆ ଅନେକ ସମ୍ମାନଜନକ ପଦରେ ରହି ଓଡ଼ିଶାର ନାମ ରଖିବାରେ ସକ୍ଷମ ହେଲାଣି।

-ଡ.ଶାନ୍ତନୁ ଆଚାର୍ଯ୍ୟ, ବିଶିଷ୍ଟ ସାହିତ୍ୟିକ

 

ଓଡ଼ିଶାର ସବୁ ଅଞ୍ଚଳରେ ଏକତାର ସ୍ବର ଆସିବା ଦରକାର

ଆମେ ଯେତେବେଳେ ସ୍ଵତନ୍ତ୍ର ଓଡ଼ିଶା ବୋଲି କହୁଛେ, ସେତେବେଳେ ମନକୁ ଗୋଟିଏ ଓଡ଼ିଶାର ଚିତ୍ର ଆସିବା ଦରକାର। ହେଲେ ତାହା ଆସୁ ନାହିଁ। ଭାଷାକୁ ନେଇ, ଓଡ଼ିଆ କହିବାକୁ ନେଇ ଅନେକ ଜିଲ୍ଲାରେ ବିରୋଧର ସ୍ୱର ଉଠୁଛି। ଆମେ ଏ ପର୍ଯ୍ୟନ୍ତ ଏକ ହୋଇ ପାରି ନାହୁଁ। ଓଡ଼ିଶାର ସବୁ ଅଞ୍ଚଳରେ ଏକତାର ସ୍ୱର ଆସିବାର ଆବଶ୍ୟକତା ରହିଛି। କୌଣସି ଅଞ୍ଚଳର ନେତା ହୁଅନ୍ତୁ କିମ୍ବା ଜନତା, ପ୍ରତ୍ୟେକ ଅଞ୍ଚଳକୁ ନିଜର ବୋଲି ଭାବିବା ଓ ଜଡ଼ିତ ହେବାର ଆବଶ୍ୟକତା ରହିଛି। ଏବେ ଜାତୀୟତା ଭାବ ପ୍ରତି ଓଡ଼ିଆର ମନରେ ଆସି ନାହିଁ। ତାହାକୁ ଜାଗ୍ରତ କରିବାର ଆବଶ୍ୟକତା ରହିଛି।

-ଦାଶ ବେନହୁର, ବିଶିଷ୍ଟ ସହିତ୍ୟିକ ଓ ସ୍ତମ୍ଭକାର

 

ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ସଚେତନ ହେବା ଜରୁରୀ

ପ୍ରତ୍ୟେକ ମଣିଷ ସ୍ବପ୍ନ ଦେଖେ। ମଣିଷ ପରି ସ୍ବପ୍ନ ଦେଖିବାର ଅଧିକାର ଜାତିର ମଧ୍ୟ ରହିଛି। ସ୍ବପ୍ନ ଦେଖିବା ସହ ତାକୁ ସାକାର କରିବାକୁ ଚେଷ୍ଟା କରିବା ଏକ କଷ୍ଟସାଧ୍ୟ ପ୍ରକ୍ରିୟା। ଏଥିପାଇଁ ଜାତୀୟତା, ନିଷ୍ଠା ଓ ପ୍ରତିବଦ୍ଧତା ଦରକାର। ଓଡ଼ିଶା ଏକ ସୁନ୍ଦର ରାଜ୍ୟ। ତାର ସବୁଜିମା, ସମୁଦ୍ର ତଟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନ୍ଦିରମାନଙ୍କର କାରୁକାର୍ଯ୍ୟ, ହସ୍ତ ଶିଳ୍ପ ସାରା ଭାରତ ଓ ବିଦେଶରେ ସ୍ଵୀକୃତ। ଆମ ଭାଷା ଶାସ୍ତ୍ରୀୟ ବୋଲି ଘୋଷିତ ହୋଇଛି। ଭାରତ ଓ ଭାରତ ବାହାର ଓଡ଼ିଆମାନେ ନିଜକୁ ପ୍ରତିଷ୍ଠିତ କରି ଗଢ଼ି ତୋଳିଛନ୍ତି। ନିଜର ସ୍ଵତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିଛନ୍ତି। ଉତ୍କଳ ଜନନୀଙ୍କର ଯାହା ସ୍ବପ୍ନ, ତାହା ପୂରଣ ହୋଇନି ବା ସାକାର ହୋଇ ନାହିଁ କହିବା ଠିକ୍‌ ନୁହେଁ। ଯଦିଓ ଦାୟିତ୍ଵ, ନିରୀକ୍ଷଣ, ନାରୀ ସୁରକ୍ଷା ଏମିତି ଅନେକ ସମସ୍ୟା ମଧ୍ୟରେ ଆମେ ଏବେ ମଧ୍ୟ ବଞ୍ଚିଛୁ ଓ ଲଢୁଛୁ। ଭାଷା ଓ ଜାତି ପ୍ରତି ସମ୍ମାନ ଯେ କୌଣସି ଜାତିର କର୍ତ୍ତବ୍ୟ ଓ ସଂସ୍କୃତି ସମ୍ପନ୍ନ ହେବାର ପରିଚୟ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ସଚେତନ ହେବା ପ୍ରତି ଓଡ଼ିଶାର ଧେୟ ହେବା ଉଚିତ୍।

-ପାରମିତା ଶତପଥୀ, ବିଶିଷ୍ଟ ଲେଖିକା

ସମ୍ବନ୍ଧିତ ଖବର