ପ୍ରେମ ବର୍ଷାରେ ଭିଜିବେ, ହୃଦୟର ଡୋର ଯୋଡ଼ିବେ

ପ୍ରେମ ଅଢ଼େଇ ଅକ୍ଷର, ଆଜି ଭାଲେଣ୍ଟାଇନ୍‌ ଦିନ.. ଛନଛନ ହୁଏ ମୋ ମନ..

ପ୍ରେମ… ବର୍ଷା ପରର ଶୀତଳତା ପରି। ଏହା କେବେ ତୃଷାର୍ତ୍ତର ତୃଷ୍ଣା ମେଣ୍ଟାଏ ତ’ ବିନା ନିଶା‌ରେ ମାଦକତା ଭରିଦିଏ। ପ୍ରେମରେ ପଡ଼ିଲେ କିଏ ଜହ୍ନ, ତାରା ତୋଳି ଆଣିବାର ପ୍ରତିଶ୍ରୁତି ଦିଏ ତ’ ପୁଣି କିଏ ଏକାଠି ବଞ୍ଚିବା ମରିବାର ରାଣ ଖାଏ। ଏହି ଅଢ଼େଇ ଅକ୍ଷର ପ୍ରେମ ଜୀବନକୁ ସୁବାସିତ କରିଦିଏ। ଆଜି ପ୍ରେମ ସପ୍ତାହର ଅନ୍ତିମ ଦିନ ଭାଲେଣ୍ଟାଇନ୍‌ ଡେ’ରେ ଏଭଳି କିଛି ଅନୁଭୂତି ସାଉଁଟିବେ ପ୍ରେମରସରେ ଉବୁଟୁବୁ ପ୍ରେମପକ୍ଷୀମାନେ। ସପ୍ତାହ ସାରା ଗୋଲାପ, ଚକଲେଟ୍‌, ଟେଡ୍ଡି ଦିଆନିଆ ପରେ ଅାଲିଙ୍ଗନରୁ ଚୁମ୍ବନ ପର୍ଯ୍ୟନ୍ତ ପହଞ୍ଚିଥିବା ପ୍ରେମ ଗାଡ଼ି ଆସନ୍ତାକାଲି ଲକ୍ଷ୍ୟସ୍ଥଳ ଲଭ୍‌ ଷ୍ଟେସନ୍‌ରେ ପହଞ୍ଚିବ। ପ୍ରେମୀଯୁଗଳଙ୍କୁ ଅଧିକ ମତୁଆଲା କରିବ। ଏଥିପାଇଁ ସହରର ହୋଟେଲ, ପାର୍କ, ମଲ୍‌ ଓ ଶିକ୍ଷାନୁଷ୍ଠାନ ଆ‌ଦି ପ୍ରେମ ପ୍ରେମ ବାସିଲାଣି। ଆଉ ଭାଲେଣ୍ଟାଇନ୍‌ ଡେ’ର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି।

ଆଜି ଭାଲେଣ୍ଟାଇନ୍‌ ଦିନ… ଯେତେ ଇଚ୍ଛା କଲେ ସୁବିଧା ଜୁଟୁନି… ପାଉନି ନିରୋଳା ସ୍ଥାନ, କିପରି ତୁମକୁ ବୁଝାଇ କହିବି.. ଛନଛନ ହୁଏ ମୋ ମନ, ଆଜି ଭାଲେଣ୍ଟାଇନ୍‌ ଦିନ। ଏମିତି କେତେ କ’ଣ ରୋମାଣ୍ଟିକ୍ ବାର୍ତ୍ତା ଆଜି ଘୂରି ବୁଲୁଛି ସାମାଜିକ ଗଣମାଧ୍ୟମରେ। ପରସ୍ପରଠାରୁ ଦୂରରେ ଥିବା ପ୍ରେମୀଯୁଗଳ ବିଭିନ୍ନ କବିତା, ବାର୍ତ୍ତା ସାହାଯ୍ୟରେ ନିଜ ପ୍ରେମ ଆବେଗକୁ ପ୍ରକାଶ କରୁଛନ୍ତି। ଏନେଇ‌ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ବାଟ୍‌ସ୍‌-ଆପ୍‌ ଆଦି ସମସ୍ତ ସାମାଜିକ ଗଣମାଧ୍ୟମରେ ଟ୍ରାଫିକ୍ ଜାମ୍ ହୋଇଗଲାଣି। ଏଥିସହ ବିଭିନ୍ନ ସପିଂ ସାଇଟ୍‌ରେ ପ୍ରେମୀଯୁଗଳଙ୍କ ପାଇଁ ଏକା ଭଳି ଟି-ସାର୍ଟ, ଲକେଟ-ଚେନ୍, କଫି-କପ୍‌ ଆଦି ଉପଲବ୍ଧ ହେଉଛି। ଏଥିସହ ପରିପୂରକ ସୋ’ ପିସ୍, ଟଏ ସେଟ୍‌ ଆଦି ମଧ୍ୟ ଉପଲବ୍ଧ ହେଉଛି। ଭାଲେଣ୍ଟାଇନ୍ ଡେ’ରେ ଏହାର ଚାହିଦା ବେଶ୍‌ ଅଧିକ ବଢ଼ିଯାଇଛି।

ଏଥର ବଜରଙ୍ଗ ଦଳକୁ ଭୟ ନାହିଁ
ଏଥର ବି ଭାଲେଣ୍ଟାଇନ୍ ଡେ’ରେ ପ୍ରେମୀଯୁଗଳଙ୍କୁ ବଜରଙ୍ଗ ଦଳର ଭୟ ରହିବ ନାହିଁ। ଗତ ୨ବର୍ଷ ଭଳି ଚଳିତ ବର୍ଷ ବି ଦଳ ପକ୍ଷରୁ କୌଣସି ‌ବିରୋଧ କରାଯିବ ନାହିଁ। ସହରର ବିଭିନ୍ନ ସ୍ଥାନରେ କେବଳ ଦଳ ପକ୍ଷରୁ ପୋଷ୍ଟର ମାରି ଏଭଳି ପାଶ୍ଚାତ୍ୟ ପରମ୍ପରାକୁ ନ ଆପଣାଇବାକୁ ଦଳ ସଚେତନ କରାଇବ। ଦଳର ଦେବାଶିଷ ରାଉତ କହିଛନ୍ତି, ଆଗଭଳି ଏବେ ଯୁବପିଢ଼ି ସୀମା ଲଂଘୁ ନାହାନ୍ତି। ପାର୍କ ଓ ସାଧାରଣ ସ୍ଥାନରେ ଅଶ୍ଳୀଳ ଆଚରଣ କରୁନାହାନ୍ତି। ଏଣୁ ଆମେ ଆଉ ବିରୋଧ କରୁନାହୁଁ। ଆମ ଯୁବପିଢ଼ି ସ‌ଚେତନ ହୋଇଛନ୍ତି, ଆଗକୁ ଏଭଳି ସଚେତନ ରହିବେ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର