ଭୁବନେଶ୍ୱର: ଚଳଚଞ୍ଚଳ ହୋଇପଡ଼ିଛି ସହରର ସମସ୍ତ ଶିଳ୍ପାନୁଷ୍ଠାନ, ଶିଳ୍ପାଞ୍ଚଳ ଓ ବୈଷୟିକ ଶିକ୍ଷାନୁଷ୍ଠାନ। ଆଜି ଧରାବତରଣ କରୁଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା। ବର୍ଷତମାମ ଯେଉଁ ମେସିନ୍ ଆମ ଶ୍ରମକୁ ଲାଘବ କରିଛି, ବର୍ଷ ବର୍ଷ ଧରି ଯେଉଁ କାରଖାନା ଆମକୁ ରୋଜଗାର ତଥା ସାମଗ୍ରୀ ଯୋଗାଇଛି; ସେଗୁଡ଼ିକୁ ବିରାମ ଦେଇ କୃତଜ୍ଞତା ଜଣାଯିବ। ସିନ୍ଦୂର, ଚନ୍ଦନ ସହ ଧୂପଦୀପରେ ପୂଜାର୍ଚ୍ଚନା କରାଯିବ ଦେବଶିଳ୍ପୀଙ୍କ ସହ ସମସ୍ତ ମେସିନ, କଳ ଓ ପ୍ରତିଟି ଲୁହା ଜିନିଷକୁ। ଏ ନେଇ ଆଜି ସହରର ବିଭିନ୍ନ ଶିଳ୍ପାଞ୍ଚଳରେ ମଧ୍ୟରାତ୍ର ପର୍ଯ୍ୟନ୍ତ ପ୍ରସ୍ତୁତି ଚାଲିଥିଲା। ଦେବଶିଳ୍ପୀଙ୍କ ଆରାଧନା ଓ ଆବାହନରେ ରାତିପାହିଲେ ଉତ୍ସବମୁଖର ହେବ ସମସ୍ତ କାର୍ଯ୍ୟାଳୟ, ଦୋକାନ, ଗ୍ୟାରେଜ୍, ସିଲେଇ ଦୋକାନ ଓ କିଛି ପୂଜା ମଣ୍ଡପ। କଳ୍ପନା ଛକ, ରାଜମହଲ, ଖାରବେଳନଗର ଆଦି ଅଞ୍ଚଳର ଅଟୋ ମାଲିକ ସଂଘ, ବୁଦ୍ଧନଗର ଓ ଚନ୍ଦ୍ରଶେଖରପୁର ସେସୁ କାର୍ଯ୍ୟାଳୟ, ଓମ୍ଫେଡ୍ କାର୍ଯ୍ୟାଳୟ ଓ ରେଳଡବା ମରାମତି କାରଖାନା ଆଦିରେ ବେଶ୍ ଜାକଜମକରେ ଏହି ପୂଜା ପାଳିତ ହେବ। କଳିଙ୍ଗ ଷ୍ଟାଡିୟମ୍ ନିକଟସ୍ଥ ବିଶ୍ୱକର୍ମା ମନ୍ଦିରରେ ମଧ୍ୟ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହା ପାଳିତ ହେବ। ସକାଳୁ ମଞ୍ଚେଶ୍ୱର, ରସୁଲଗଡ଼ ଓ ଚନ୍ଦକା ଶିଳ୍ପାଞ୍ଚଳ ଦିନ ଶିଳ୍ପାଞ୍ଚଳ ଆଜି କନିଆ ଭଳି ସଜେଇ ହୋଇଛନ୍ତି। ଆସନ୍ତାକାଲି ସକାଳୁ ସକାଳୁ ଗାଡ଼ି ପୂଜା ପାଇଁ ଲୋକଙ୍କ ଲମ୍ବାଭିଡ଼ ବିଭିନ୍ନ ମନ୍ଦିର ତଥା କଳିଙ୍ଗ ଷ୍ଟାଡିୟମ୍ ନିକଟସ୍ଥ ବିଶ୍ବକର୍ମା ମନ୍ଦିରରେ ଦେଖିବାକୁ ମିଳିବ।
ସହରର ପ୍ରତିଟି ପ୍ରମୁଖ ଛକରେ ଆଜି ବିଶ୍ବକର୍ମାଙ୍କ ମୂର୍ତ୍ତି ଶୋଭା ପାଉଥିଲା। ପୁଣି ପୂଜା ତଥା ସାଜସଜ୍ଜା ସାମଗ୍ରୀ ସଂଗ୍ରହ ପାଇଁ ବଜାରରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ୫୦୦ ଟଙ୍କାରୁ ଆରମ୍ଭ କରି ବିଭିନ୍ନ ଆକାର ଓ ଡିଜାଇନ୍ ଅନୁଯାୟୀ ଦେବଶିଳ୍ପୀଙ୍କ ମୂର୍ତି ବିକ୍ରି ହେଉଥିଲା। ତେବେ କରୋନା କଟକଣା ଯୋଗୁଁ ପୂଜାରେ ବିଶେଷ ଜାକଜମକ ନଥିଲେ ବି ମୂର୍ତ୍ତି ବିକ୍ରି କିନ୍ତୁ ବେଶ୍ ଜମିଥିବା ଏକ ନମ୍ବର ହାଟର ଅସ୍ଥାୟୀ ମୂର୍ତି ଦୋକାନୀ ସୁରେଶ ବାରିକ କହିଛନ୍ତି। ସେ କହିଛନ୍ତି, ପ୍ରତିବର୍ଷ ବଡ଼ ବଡ଼ ବିଶ୍ବକର୍ମାଙ୍କ ମୂର୍ତି ଅଧିକ ବିକ୍ରି ହେଉଥିଲା। କିନ୍ତୁ ଗତବର୍ଷ ପୂଜା ମାନ୍ଦା ରହିଲା। ମୂର୍ତ୍ତି ବିକ୍ରି ବି ହୋଇନଥିଲା। ଚଳିତ ବର୍ଷ ମୂର୍ତ୍ତି ଉଚ୍ଚତା ନେଇ କଟକଣା ପରେ ବେଶି ବଡ଼ ମୂର୍ତ୍ତି ତିଆରି ହୋଇନାହିଁ। ୪ ଫୁଟିଆ ମୂର୍ତ୍ତି ଅଧିକ ବିକ୍ରି ହେଉଥିବା ବେଳେ ମୂର୍ତ୍ତିକୁ ନେଇ ଭଲ ରୋଜଗାର ହୋଇଥିବା ଶ୍ରୀ ବାରିକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/fhsfhsf21h465sfh456sfh5fhsfhshfsfhs.jpg)