ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ଛାତ୍ରୀଙ୍କ ଦୁଃସାହସିକ ନିଶା, ସାପ ଧରୁଛନ୍ତି ସିଲ୍‌କା ସେଲୋନୀ

ଭୁବନେଶ୍ବର: ସାପ। ନାଁ ଶୁଣିଲା ମାତ୍ରେ ଛାତିରେ ଛନକା ପସିଯାଏ। ଦେହ ଝାଳେଇ ଯାଏ। ଗୋଡ଼ ହାତ ଥରିବା ଆରମ୍ଭ ହୁଏ। କିନ୍ତୁ ସେଇ ସାପକୁ ଧରିବା ବି କାହାର ନିଶା ଓ ପେସ‌ା ହୋଇପାରେ। ଭୟକୁ କାବୁ କରି ନିଜ ସାହସର ନିଦର୍ଶନ ଦେଖାଇ ସାପ ଧରିବା ଭଳି ଏକ ଦୁଃସାହସିକ ପେସାକୁ ଆଦରି ନେଇଛନ୍ତି ଜଣେ ଯୁବତୀ। ସେ ହେଲେ, ଅନୁଗୁଳ ଜିଲ୍ଲା ହେମସୁରପଡ଼ାର ସିଲ୍‌କା ସେ‌ଲୋନୀ।

ବର୍ତ୍ତମାନ ଭୁବନେଶ୍ବରର ବିଜେବି ମହାବିଦ୍ୟାଳୟର ଗଣମାଧ୍ୟମର ଛାତ୍ରୀ। ମାତ୍ର ୨୨ ବର୍ଷୀୟ ସେଲୋନୀ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଊର୍ଧ୍ବ ସାପ ଧରି ସାରିଲେଣି। ପିଲା ବେଳେ ସାପ ଦେଖିଲେ ଭୟରେ ଥରୁଥିବା ସେଲୋନୀ ବଡ଼ ଭାଇ ବାବା ଅମରଜ୍ୟୋତିଙ୍କଠାରୁ ସାପ ଧରା ଦେଖି ଏଭଳି ଏକ ଭୟଙ୍କର କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ୧୫ବର୍ଷ ବସୟରୁ ସେ ସାପ ଧରିବା ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ଚିତି, ବୋଡ଼ା, ରଣା, ନାଗ ସାପଠାରୁ ଆରମ୍ଭ କରି ଅନେକ ବିଷଧର ସାପ ଧରି ସାରିଲେଣି। ଆଗରୁ ଅନୁଗୁଳର ବହୁ ସ୍ଥାନରୁ ସେ ‌ସାପ ଧରିଥିବା ବେଳେ ଏବେ ୭ ମାସ ହେଲା ଭୁବନେଶ୍ବରରେ ରହୁଥିବାରୁ ଭୁବନେଶ୍ବର‌ର ବିଭିନ୍ନ ସ୍ଥାନରୁ ସାପ ଧରୁଛନ୍ତି। ସ୍ନେକ୍‌ ହେଲ୍ପଲାଇନ୍‌ରେ ଯୋଗଦେଇ ସେ ସାପ ଧରିବାର ବିଭିନ୍ନ କୌଶଳ ଓ ଯନ୍ତ୍ରପାତି ବିଷୟରେ ପ୍ରବୀଣା ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ସେ ଅହିରାଜ ସାପ ଧରିନାହାନ୍ତି। କିନ୍ତୁ ସୁଯୋଗ ମିଳିଲେ ତ‌‌ାହା କରି ଦେଖାଇ ପାରିବେ ବୋଲି ସେ କହିଛନ୍ତି। ଏହି ସାପ ଧରିବାର ବହୁତ ଇଚ୍ଛା ଅଛି ବୋଲି ସେ କହିଛନ୍ତି। ସେଲୋନୀ କୁହନ୍ତି, ପ୍ରତିଟି ନୂଆ ଜିନିଷ ଆରମ୍ଭ କରିବା ପୂର୍ବରୁ ସେ ନେଇ ମନରେ ବିଭିନ୍ନ ପ୍ରକାର କଥା ଆସେ ଓ ଭୟ ଲାଗେ। କିନ୍ତୁ ସେହି ବିଷୟରେ ଅଧିକ ଜ୍ଞାନ ଓ ଦକ୍ଷତା ବଢ଼ିଲେ, ମନରୁ ଭୟ ଆପେ ଆପେ ଲିଭିଯାଏ। ସାପ ଦେଖିଲେ ସାଧାରଣତଃ ଆମେ ଡରିଯାଉ। ନିଜକୁ ସୁରକ୍ଷା ଦେବା ପାଇଁ ଆମେ ବାଡ଼ି ଦେଖାଉ, ଟେକା ପକାଉ ଓ ନାନାବିଧ ଉପାୟ କରୁ। ଠିକ୍‌ ସେହିଭଳି ସମାନ ପ୍ରତିକ୍ରିୟା ସାପ ପାଖରେ ବି ଦେଖାଯାଏ। ସେ ବି ନିଜକୁ ସୁରକ୍ଷା ଦେବାକୁ ଆମକୁ ଚୋଟ ମାରିଦିଏ। ଏଣୁ ସାପ ଦେଖିଲେ ହଠାତ୍‌ ଡରି ନଯାଇ, ଉପସ୍ଥିତ ବୁଦ୍ଧି ଖଟାଇବା ଭଲ ବୋଲି ସିଲୋନୀ କହିଛନ୍ତି।

ସମ୍ବନ୍ଧିତ ଖବର