ଭୁବନେଶ୍ବର: କୁହାଯାଏ ‘ପୁସ୍ତକ’ ମଣିଷର ସର୍ବଶ୍ରେଷ୍ଠ ବନ୍ଧୁ। ଜ୍ଞାନର ପରିସୀମାକୁ ବୃଦ୍ଧି କରିବାର ଏହା ଏକ ବଳିଷ୍ଠ ମାଧ୍ୟମ। କେଉଁ ଆଦିମ କାଳରୁ ମଣିଷ ନିଜ ଲେଖାକୁ କେବେ ପ୍ରସ୍ତର ଦେହରେ ତ’ କେବେ ତାଳପତ୍ରରେ ଲେଖି ଉତ୍ତରପିଢ଼ି ପାଇଁ ଛାଡ଼ିଯାଉଥିଲେ। ଏଗୁଡ଼ିକୁ ସଂରକ୍ଷଣ କରିବା କଷ୍ଟ ହେଉଥିବା ବେଳେ କାଗଜର ପ୍ରଚଳନ ଓ ଏହାକୁ ଉପଯୁକ୍ତ ବନ୍ଧେଇ କରି ସଂରକ୍ଷଣ କରିବାକୁ ଚେଷ୍ଟା କରାଗଲା। ଗୋଟିଏ ସ୍ଥାନରେ ଗୁଡ଼ାଏ ପୁସ୍ତକ ଉପଲବ୍ଧ ହେବା ପାଇଁ ପାଠାଗାରର ପରିକଳ୍ପନା କରାଗଲା। ଏବେ କିନ୍ତୁ ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ଡିଜିଟାଇଜେସନ୍ ଦ୍ବାରା ବିଶାଳ ପାଠାଗାର ପ୍ରସ୍ତୁତ ହୋଇଛି। ଘରେ ବସି ଗୋଟିଏ କ୍ଲିକ୍ରେ ଏବେ ପୁସ୍ତକ ପଢ଼ିବାର ସୁଯୋଗ ପାଉଛନ୍ତି ଆଜିର ଯୁବପିଢ଼ି। ପୁଣି କେହି କେହି ପୁରୁଣା ବହିକୁ ସଂଗୃହୀତ କରି ଆବଶ୍ୟକ କରୁଥିବା ଲୋକଙ୍କୁ ପଠନ ପାଇଁ ଯୋଗାଇ ଦେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଡିଜିଟାଇଜେସନ୍ ପୁସ୍ତକକୁ ଅମର କରିଛି
ପୁସ୍ତକ ଓ ପ୍ରକାଶକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି। ପ୍ରତିଟି ପୁସ୍ତକକୁ ସଂରକ୍ଷିତ କରି ରଖିବା ଅସମ୍ଭବ। ପୁଣି ବ୍ୟସ୍ତବହୁଳ ଜୀବନଶୈଳୀରେ ପାଠାଗାରକୁ ଆସି ନିର୍ଦ୍ଦିଷ୍ଟ ସମୟରେ ପୁସ୍ତକ ପଠନ ବି ସମ୍ଭବ ହେଉନି। ଏଣୁ ଅତ୍ୟାଧୁନିକ ମଣିଷର ରୁଚି ମୁତାବକ ପ୍ରତିଟି ପୁସ୍ତକକୁ ଡିଜିଟାଇଜେସନ୍ କରିବାକୁ ଚେଷ୍ଟା କରାଯାଉଛି। ଫଳରେ ପୁସ୍ତକ ଅମର ରହିବା ସହ ଘରେ ବସି ଯେକୌଣସି ମୁହୂର୍ତ୍ତରେ ପାଠକ ନିଜ ପସନ୍ଦ ମୁତାବକ ବହିଟିଏ ପଢ଼ିବାର ସୁଯୋଗ ପାଉଛି। ଏହି କ୍ରମରେ ୨୦୦୪ରେ ପ୍ରଥମ ଥର ପାଇଁ ‘ସୃଜନିକା’ ଡିଜିଟାଇଜେସନ୍ର ସୁବିଧା ନେଇଆସିଥିଲା। ୨୦୦୬ ମସିହା ଆଡ଼କୁ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ୭ଟି ଯାକ ଖଣ୍ଡକୁ ଗୋଟିଏ ସିଡିରେ ଉପଲବ୍ଧ କରିଥିଲା। ଖୋଜିବାରେ ସୁବିଧା ପାଇଁ ଏଥିରେ ଗୋଟିଏ ସୂଚୀ ଯୋଡ଼ାଯାଇ ଇ-ଭାଷାକୋଷ ନାମରେ ତାହା ମିଳିଲା। ପରେ ଏହି ଡିଜିଟାଇଜେସନ୍ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ପୃଷ୍ଠାର ଓଡ଼ିଆ ପୁସ୍ତକ ଡିଜିଟାଇଜ୍ ହେଲାଣି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସହ ଓଡ଼ିଆ ଅଭିଧାନ ସଂଗ୍ରହ, ଓଡ଼ିଆ ବିଜ୍ଞାନ ସାହିତ୍ୟ, ଓଡ଼ିଆ ପତ୍ରପତ୍ରିକା ସଂଗ୍ରହ ଓ କିଛି ସ୍ରଷ୍ଟା ଭିତ୍ତିକ ସଂକଳନ ଏଥିରେ ରହିଛି। ଓଡ଼ିଆ ପୁସ୍ତକଗୁଡ଼ିକୁ ଅମର କରିବା ତଥା ଓଡ଼ିଶା ତଥା ବିଶ୍ବର କୋଣ ଅନୁକୋଣରେ ଓଡ଼ିଆ ଭାଷା ଓ ପୁସ୍ତକକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଅନୁଷ୍ଠାନ ପକ୍ଷରୁ ଏହି ଡିଜିଟାଇଜେସନ୍ର ପରିକଳ୍ପନା ବୋଲି ଅନୁଷ୍ଠାନର ସହ-ପ୍ରତିଷ୍ଠାତ୍ରୀ ପୁଷ୍ପଶ୍ରୀ ପଟ୍ଟନାୟକ କହିଛନ୍ତି।
ପୁରୁଣା ବହି ସଂଗ୍ରହ କରି ବିଶାଳ ପାଠାଗାର
ସତ୍ୟନଗର ବିଗ୍ବଜାରସ୍ଥିତ ବକୁଲ ଫାଉଣ୍ଡେସନ୍ ବସ୍ତି ପିଲାଙ୍କ ଜ୍ଞାନ ବଢ଼ାଇବା ତଥା ପଢ଼ିବାର ସୁଯୋଗ ଯୋଗାଇ ଦେଉଛି। ପ୍ରତିଦିନ ଅପରାହ୍ଣ ୨ଟାରୁ ରାତି ୮ଟା ଯାଏ ଏଠାରେ ବସ୍ତି ପିଲାଙ୍କ ବେଶ୍ ଭିଡ଼ ଜମେ। ଗପଠାରୁ ଆରମ୍ଭ କରି କବିତା, ଉପନ୍ୟାସ, ଭ୍ରମଣ କାହାଣୀ ଆଦି ପାଠ୍ୟପୁସ୍ତକ ପଢ଼ି ନିଜ ସମୟ କାଟନ୍ତି। ୨୦୦୭ରୁ ଆରମ୍ଭ ହୋଇଥିବା ଏହି କ୍ଷୁଦ୍ର ପାଠାଗାରରେ ବର୍ତ୍ତମାନ ରହିଛି ୩୦ ହଜାରରୁ ଅଧିକ ପୁସ୍ତକ। ବକୁଲ ଫାଉଣ୍ଡେସନ୍ର କର୍ମୀ ସୁଜିତ ମହାପାତ୍ର କୁହନ୍ତି, ପାଠାଗାରର କୌଣସି ବହି କିଣାଯାଇନାହିଁ। ଏହା କେବଳ ଦାନରୁ ମିଳିଥିବା ବହି। ଛୋଟ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନୈତିକ ଲୋକ, ପ୍ରାଶାସନିକ ଅଧିକାରୀ, କଲେଜ ଛାତ୍ରଛାତ୍ରୀ ନିଜ ପଢ଼ା ସରିଥିବା ପୁରୁଣା ବହିକୁ ଏଠାକୁ ଦାନ କରିଦିଅନ୍ତି। ଆମେ ଏହାକୁ ବନ୍ଧେଇ କରି ପିଲାଙ୍କୁ ପଢ଼ିବାକୁ ଯୋଗାଇଦେଉ।
ଇତିହାସ ସମ୍ବଳିତ ୨୦ ହଜାରରୁ ଊର୍ଧ୍ବ ପୁସ୍ତକ
ପୁରୁଣା ଭୁବନେଶ୍ବରରେ ଥିବା କେଦାରନାଥ ଗବେଷଣା ପ୍ରତିଷ୍ଠାନର ସ୍ବତନ୍ତ୍ର ପରିଚୟ ରହିଛି। ଏଠାରେ ଉପଲବ୍ଧ ହେଉଛି ଓଡ଼ିଆ ସାହିତ୍ୟ ସଂସ୍କୃତିଠାରୁ ଆରମ୍ଭ କରି ଭାରତୀୟ ଓ ବିଶ୍ବ ଇତିହାସ, ଭୁବନେଶ୍ବର ସହର ଉପରେ ସବିସ୍ତୃତ ବିବରଣୀ ସମ୍ବଳିତ ପୁସ୍ତକ, ଓଡ଼ିଆର ସାଂସ୍କୃତିକ ଇତିହାସ, ବିଭିନ୍ନ ଗ୍ରନ୍ଥାବଳୀ, ଉପନ୍ୟାସ ଓ ଜ୍ୟୋତିର୍ବିତମାନଙ୍କ ପାଇଁ ପୁରୁଣାରୁ ଅତିପୁରୁଣା ପାଞ୍ଜି। ପାଠାଗାରଟି ୧୯୮୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା। ବର୍ତ୍ତମାନ ଏହି ପାଠାଗାରରେ ୨୪,୫୪୭ଟି ପୁସ୍ତକ ଥିବା ବେଳେ ଇତିହାସ ସମ୍ବଳିତ ପୁସ୍ତକ ସଂଖ୍ୟା ଏଠାରେ ଅଧିକ। ଏଠାକୁ ପ୍ରାୟତଃ ଗବେଷଣା ପାଇଁ ତଥା ପିଏଚ୍ଡି ଛାତ୍ରଛାତ୍ରୀ ଆସନ୍ତି ବୋଲି ଏହି ପାଠାଗାରର ଇନ୍ଚାର୍ଜ ବିନୋଦିନୀ ସାହୁ କହିଛନ୍ତି। ଏହି ପ୍ରତିଷ୍ଠାନର ୩୫ଟି ନିଜସ୍ବ ପ୍ରକାଶନୀ ଥିବା ବେଳେ ଅଧିକାଂଶ ସଂସ୍କୃତି, ଐତିହ୍ୟ ଓ ଇତିହାସ ସମ୍ବଳିତ ପୁସ୍ତକ ଏଠାରେ ପ୍ରକାଶ ପାଉଥିବା ସେ କହିଛନ୍ତି।