ଭୁବନେଶ୍ୱର(ସସ୍ମିତା ସାହୁ): ପୁରୁଣା ଜିନିଷ ସଂଗ୍ରହ କରିବାର ନିଶା ମଣିଷର ୪୦୦ ବର୍ଷର ପୁରୁଣା। ଏହା ଗବେଷକଙ୍କୁ ଗବେଷଣାରେ ଓ ଉତ୍ତରପିଢ଼ିଙ୍କୁ ପୁରୁଣା କଥା ଜାଣିବାରେ ସାହାଯ୍ୟ କରେ। ଏହା କେବେ ଜ୍ଞାନ ବାଣ୍ଟେ ତ’ କେବେ ସାଇତା ସ୍ମୃତିଟିଏ ହୋଇ ଅତୀତକୁ ମନେ ପକାଇ ଦିଏ। ଏଥିପାଇଁ ତ’ ସରକାରୀସ୍ତରରେ ସଂଗ୍ରହାଳୟ କରାଯାଇ ଏହାର ଯତ୍ନ ନିଆଯାଉଛି। ମାତ୍ର ସମାଜର କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଘରୋଇସ୍ତରରେ ଏମିତି ଅନେକ ଜିନିଷ ସାଇତି ରଖି ସମାଜକୁ ଉପକୃତ କରିଛନ୍ତି। ଏମିତି କିଛି ସଂଗ୍ରାହକଙ୍କ ବିଷୟରେ ଚାଲନ୍ତୁ ଜାଣିବା...
ସାଇତିଛନ୍ତି ୪୦୦ରୁ ଊର୍ଧ୍ୱ ବ୍ରିଟିସ୍ ଇଣ୍ଡିଆ ମୁଦ୍ରା
ଅରବିନ୍ଦ ରାୟ। ବୟସ ପ୍ରାୟ ୪୫ ବର୍ଷ ହେବ। ପୁରୁଣା ଜିନିଷ ସାଇତି ରଖିବାର ଅଜବ ନିଶା ଘାରିଛି ତାଙ୍କୁ। ୧୮୩୫ରୁ ୧୯୪୭ ମସିହା ମଧ୍ୟରେ ଭାରତରେ ପ୍ରଚଳିତ ବ୍ରିଟିସ୍ ଇଣ୍ଡିଆ ମୁଦ୍ରାଗୁଡ଼ିକୁ ଅତି ଯତ୍ନରେ ସେ ସାଇତି ରଖିଛନ୍ତି। ବର୍ତମାନ ତାଙ୍କ ପାଖରେ ମସିହା ଅନୁଯାୟୀ ପ୍ରାୟ ୪୦୦ରୁ ଊର୍ଧ୍ୱ ବ୍ରିଟିସ୍ ଇଣ୍ଡିଆ ମୁଦ୍ରା ରହିଛି। ତାଙ୍କ ପାଖରେ ଅଣାଠାରୁ ଆରମ୍ଭ କରି ଅଧ ଅଣା, କ୍ୱାଟର୍ ଅଣା, ୧/୧୨ ଅଣା, ଟଙ୍କା ଓ ମାହୁର ସହ ରାଣୀ ଭିକ୍ଟୋରିଆ, ୫ମ ଜର୍ଜ, ୬ଷ୍ଠ ଜର୍ଜ, ଅଷ୍ଟମ ଏଡ୍ଓ୍ଵାର୍ଡ ଆଦି ବ୍ରିଟିସ ଶାସକମାନଙ୍କ ସମୟର ମୁଦ୍ରା ରହିଛି। ରୁପା ଓ ତମ୍ବା ଧାତୁରେ ତିଆରି ମୁଦ୍ରା ମଧ୍ୟ ଏହା ମଧ୍ୟରେ ରହିଛି। ଅରବିନ୍ଦ କୁହନ୍ତି, ସ୍କୁଲ ପଢ଼ୁଥିବା ସମୟରେ ମୁଁ ୧୦, ୨୦ ପଇସା ସଂଗ୍ରହ କରୁଥିଲି। ୧୯୯୩ ମସିହା ଆଡ଼କୁ ଗାଁକୁ ଯାଇଥାଏ। ସେତେବେଳେ ଜେଜେ ମତେ ଏହି ପୁରୁଣା ବ୍ରିଟିସ ଅମଳର କିଛି ଟଙ୍କା ଦେଇଥିଲେ। ସେବେଠାରୁ ଏହି ପୁରୁଣା ଟଙ୍କା ସଂଗ୍ରହରେ ଲାଗିଯାଇଛି। ଖାଲି ସେତିକି ନୁହେଁ ଅରବିନ୍ଦଙ୍କ ପାଖରେ ରହିଛି ୭୫ଟି ଦେଶର ବିଦେଶୀ ମୁଦ୍ରା। ପୁଣି ସେ ପ୍ରାୟ ୨୦୦ ପ୍ରକାରର ସ୍ମାରକୀ ମୁଦ୍ରା ସଂଗ୍ରହ କରିଛନ୍ତି। ଗତ ୨ ବର୍ଷ ହେଲା ସେ ୩୦୦୦ରୁ ଊର୍ଧ୍ୱ ବିଭିନ୍ନ ଦେଶର ବିଭିନ୍ନ ଡିଜାଇନ୍ର ଦିଆସିଲି ଖୋଳ ମଧ୍ୟ ସଂଗ୍ରହ କରି ରଖିଛନ୍ତି।
ଏକାଠି କଲେଣି ୬୭୨୦ଟି ଦିଆସିଲି ଖୋଳ
ତରଣୀସେନ ପଟ୍ଟନାୟକ। ଘର ରାଜଧାନୀ ଭୁବନେଶ୍ୱରରେ। ବୟସ ପ୍ରାୟ ୪୩ ହେବ। ଦେଶ ତଥା ବିଦେଶରେ ପ୍ରଚଳିତ ହେଉଥିବା ଦିଆସିଲି ଖୋଳ ସଂଗ୍ରହ କରିବାରେ ୧୯୮୫ରୁ ଲାଗିପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ୪୨୦ଟି ବିଦେଶୀ ଦିଆସିଲି ଖୋଳ ସହ ମୋଟ୍ ୬୭୨୦ଟି ଦିଆସିଲି ଖୋଳ ସଂଗ୍ରହ କରିପାରିଛନ୍ତି। ଏହା ଭିତରେ ରହିଛି କାଠ, କାର୍ଡବୋର୍ଡ, ମହମ ଦିଆସିଲି ସହ ବିଭିନ୍ନ ହୋଟେଲ୍ରେ ପ୍ରଚଳିତ ନିଜସ୍ୱ ବ୍ରାଣ୍ଡ୍ର ଦିଆସିଲି ଖୋଳ। ଭାରତର ଦିଆସିଲି ଖୋଳ ସବୁ ଚାରିକୋଣିଆ ହୋଇଥିବା ବେଳେ ସେ ବିଭିନ୍ନ ଦେଶର ତ୍ରିକୋଣିଆ, ସିଲିଣ୍ଡ୍ରିକାଲ୍, ବର୍ଗାକାର, ବହି ଆକାରର ଖୋଳ ସବୁ ସଂଗ୍ରହ କରି ରଖିଛନ୍ତି। ପ୍ରଥମେ ଏହା ସଂଗ୍ରହ କରିବାକୁ ତାଙ୍କୁ ଭଲ ଲାଗୁଥିବା ବେଳେ ସାମାଜିକ ଗଣମାଧ୍ୟମ ହେଉ କିମ୍ବା ଲୋକଙ୍କର ପ୍ରତିକ୍ରିୟା ଅଧିକରୁ ଅଧିକ ସଂଗ୍ରହ କରିବାକୁ ତାଙ୍କୁ ପ୍ରେରଣା ଦେଇଥିଲା।
ସଚିନ୍ଙ୍କ ଶହେ ଶତକ ତାରିଖର ସିରିଏଲ୍ ନମ୍ବର ଅନୁଯାୟୀ ନୋଟ୍
ସଚିନ୍ ତେନ୍ଦୁଲ୍କରଙ୍କ କ୍ରିକେଟ୍ର ତ’ ଅନେକ ପ୍ରଶଂସକ ରହିଛନ୍ତି। ପୁଣି ନିଜ ପ୍ରିୟ ଷ୍ଟାର୍ଙ୍କୁ ନିଜ ପାଗଳାମି ଦେଖାଇବା ପାଇଁ କିଏ କେମିତି ଉପାୟ ଆପଣାନ୍ତି। କିନ୍ତୁ ରାଜକିଶୋର ମହାନ୍ତ କିଛି ନିଆରା କରି ଦେଖାଇଛନ୍ତି। ଘର କେଉଁଝର। ବୟସ ୨୪। ସଚିନଙ୍କ ୧୦୦ ଥର ଶତକ ମାରିବା ତାରିଖ ଅନୁଯାୟୀ ସେହି ସମାନ ସିରିଅଲ୍ ନମ୍ବରର ୧୦୦ଟି ୧୦ ଟଙ୍କିଆ ନୋଟ୍ ସଂଗ୍ରହ କରି ‘ଲିମ୍କା ବୁକ୍ ଅଫ୍ ରେକର୍ଡ’ରେ ସ୍ଥାନ ପାଇଛନ୍ତି। ୨୦୦୨ରୁ ସେ ଏହା ସଂଗ୍ରହ କରିବା ଆରମ୍ଭ କରିଥିଲେ। ଏହାଛଡ଼ା ସେ ବିଭିନ୍ନ ମସିହାରେ ପ୍ରଚଳିତ ୫୪୩ଟି ୧ଟଙ୍କିଆ ନୋଟ୍ ଓ ୩୪୭ଟି ୨ ଟଙ୍କିଆ ନୋଟ୍ ସଂଗ୍ରହ କରିଛନ୍ତି। ଆଜି ପର୍ଯ୍ୟନ୍ତ ସେ ୨୫ ପଇସା ୪ କ୍ୱିଣ୍ଟାଲ୍ ତଥା ଅଢ଼େଇ ଲକ୍ଷଟି ସଂଗ୍ରହ କରିପାରିଛନ୍ତି।
୮ ହଜାରରୁ ଊର୍ଧ୍ୱ ଡାକ ଓ ୯ ହଜାରରୁ ଅଧିକ ରେଳ ଟିକେଟ୍ ସଂଗ୍ରାହକ
ପେସାରେ ସରକାରୀ ଚାକିରିଆ କିନ୍ତୁ ନିଶା ଥିଲା ଡାକ ଟିକେଟ୍ ଓ ବିଭିନ୍ନ ରେଳ ଟିକେଟ୍ ସଂଗ୍ରହ। ଖୋର୍ଦ୍ଧା ଜିଲ୍ଲା ଜଟଣୀର ବିଭୂତି ଭୂଷଣ ପଟ୍ଟନାୟକ। ବୟସ ୬୪। ୧୯୭୫ ମସିହାରୁ ସେ ଡାକ ଟିକେଟ୍ ସଂଗ୍ରହ କରିବା ଆରମ୍ଭ କରି ଦେଇଥିଲେ। ଏବେ ତାଙ୍କ ପାଖରେ ୮ ହଜାରୁ ଊର୍ଧ୍ୱ ଡାକ ଟିକେଟ୍ ରହିଛି। ଏହା ସହିତ ୨୦୧୧ ମସିହାରୁ କାର୍ଡ ଟିକେଟ୍ ସଂଗ୍ରହ କରୁଛନ୍ତି। ବର୍ତମାନର ଡିଜିଟାଲ ଯୁଗରେ ରେଳ ଟିକେଟ୍ ସବୁ କମ୍ପ୍ୟୁଟରରେ ହେଉଛି। ଏହି କାଗଜ ଟିକେଟ୍ ଧୀରେ ଧୀରେ ହଜିଯାଉଥିବାରୁ ଭବିଷ୍ୟତର ପିଢ଼ି ପାଇଁ ଏହା ସାଇତି ରଖିବା ଉଦ୍ଦେଶ୍ୟରେ ତାଙ୍କର ଏହି ଉଦ୍ୟମ। ବର୍ତମାନ ସୁଦ୍ଧା ତାଙ୍କ ପାଖରେ ୮୨୨ଟି କାର୍ଡ ଟିକେଟ୍ ରହିଛି। ଏହା ମଧ୍ୟରେ ୧୯୮୦ ମସିହାର କାର୍ଡ ଟିକେଟ୍ ମଧ୍ୟ ରହିଛି। ଏହା ସହ ମୁମ୍ବାଇ, ଦିଲ୍ଲୀ ଓ କୋଲକାତା ଆଦିର ମେଟ୍ରୋ ଟିକେଟ୍ ସଂଗ୍ରହ କରିଛନ୍ତି। ତାଙ୍କ ପାଖରେ ସର୍ବମୋଟ୍ ୬୬୬୬ଟି ପଟି, ମେଟ୍ରୋ ଓ ରେଳ ଟିକେଟ୍ ରହିଛି। ଏନେଇ ସେ ୨୦୧୫ରେ ‘ଇଣ୍ଡିଆ ବୁକ୍ ରେକର୍ଡ’ରେ ସ୍ଥାନ ହାସଲ କରିଛନ୍ତି। ବର୍ତମାନ ତାଙ୍କ ପାଖରେ ୯ ହଜାରରୁ ଊର୍ଧ୍ୱ ରେଳ ଟିକେଟ୍ ରହିଛି। ଏହା ସହିତ ସ୍ୱାଧୀନତା ପରଠାରୁ ସେ କ୍ରମାନୁଯାୟୀ ଡାକ ସାମଗ୍ରୀ ସବୁ ସଂଗ୍ରହ କରି ରଖିଛନ୍ତି। ପୁଣି ୪ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ୱ ୮୦ ପ୍ରକାରର ତଥ୍ୟଭିତ୍ତିିିକ ଖବରକାଗଜ ସଂଗ୍ରହ କରି ସେ ‘ଲିମ୍କା ବୁକ୍ ଅଫ୍ ରେକର୍ଡ’ରେ ସ୍ଥାନିତ ହୋଇଛନ୍ତି। ବିଭୂତି ବିଭିନ୍ନ ଭାଷା ଓ ଧର୍ମର ବିବାହ, ବ୍ରତଘରର ନିମନ୍ତ୍ରଣ ପତ୍ର ସଂଗ୍ରହ କରିଛନ୍ତି। ତାଙ୍କ ପାଖରେ ବିନା ସଂଖ୍ୟାର କିଛି ନୋଟ୍ ମଧ୍ୟ ରହିଛି।