ଆଜି ବିଶ୍ବ ନୃତ୍ୟ ଦିବସ: ସୌନ୍ଦର୍ଯ୍ୟ ହରାଉଛି ଓଡ଼ିଶୀ ପରିପାଟୀ

ଭୁବନେଶ୍ବର: କେବଳ ସଙ୍ଗୀତ, ବାଦ୍ୟ, ମୁଦ୍ରା ଓ ଛାନ୍ଦ ଓଡ଼ିଶୀ ନୃତ୍ୟକୁ ପରିପ୍ରକାଶ ପାଇଁ ଯଥେଷ୍ଟ ନୁହେଁ। ନୃତ୍ୟରେ ବିଶେଷ ଗୁରୁତ୍ବ ବହନ କରେ ପାରିପାଟୀ ତଥା ଆହାର୍ଯ୍ୟ। ଶାସ୍ତ୍ରୀୟ ନୃତ୍ୟରେ ଏହାକୁ ଆହାର୍ଯ୍ୟ କୁହାଯାଏ। ସେଇ ପରମ୍ପରା ଆଧାରରେ ଓଡ଼ିଶୀ ନୃତ୍ୟ‌ ପାଇଁ ଏକ ସ୍ବତନ୍ତ୍ର ଆହାର୍ଯ୍ୟ ସ୍ଥିରୀକୃତ ହୋଇଛି। କୁମ୍ଭ ପକା ବାନ୍ଧ ଶାଢ଼ି ସହ ତାରକସି କାମ ଥିବା ରୁପା ଅଳଙ୍କାର ଏବଂ ସୋଲ ଟାହିଆ ଆଦିର ସମ୍ମିଶ୍ରଣ ହେଉଛି ‘ଓଡ଼ିଶୀ ନୃତ୍ୟର ଆହାର୍ଯ୍ୟ’। ଓଡ଼ିଶାର ବୁଣାକାରମାନଙ୍କର ହସ୍ତକଳା ଓ ହସ୍ତଶିଳ୍ପ ସହ ପ୍ରସିଦ୍ଧ ତାରକସି କାମ ଓ ସୋଲ କାରୁକାର୍ଯ୍ୟ ଏହା ମାଧ୍ୟମରେ ପ୍ରଦର୍ଶିତ ହୁଏ। ଆହାର୍ଯ୍ୟ ନୃତ୍ୟଶିଳ୍ପୀଙ୍କ ରୂପକୁ ବହୁଗୁଣିତ କରିବା ସହ ଓଡ଼ିଶୀ ନୃତ୍ୟର ପରିଚୟ ବହନ କରେ। ମାତ୍ର ବିଭିନ୍ନ ପରୀକ୍ଷାନୀରିକ୍ଷା ନାମରେ ଆହାର୍ଯ୍ୟକୁ ପରମ୍ପରାଠାରୁ ଭିନ୍ନ କରାଯାଉଛି। ‌ଯାହାଦ୍ବାରା ଓଡ଼ିଶୀର ସୌନ୍ଦର୍ଯ୍ୟ ବିକୃତ ହେବା ସହ ପରମ୍ପରା ବିପଥଗାମୀ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଓଡ଼ିଶା‌ର କିଛି କାରୁକାର୍ଯ୍ୟକୁ ସୁଦୂରପ୍ରସାରୀ କରିବା ସମ୍ଭବ ହେଉଥିଲା। କିନ୍ତୁ ଅତ୍ୟାଧୁନିକତାର ସ୍ପର୍ଶ ସହ ଆହାର୍ଯ୍ୟ ଉପରେ ବିଭିନ୍ନ ପରୀକ୍ଷାନିରୀକ୍ଷା ଏହାକୁ ବିକୃତ କରିବାରେ ଲାଗିଲାଣି। ସଂପ୍ରତି କିଛି ନୃତ୍ୟଶିଳ୍ପୀ ତଳୁ ଅଣ୍ଟା ପର୍ଯ୍ୟନ୍ତ ପାଟ ପିନ୍ଧୁଥିବା ବେଳେ ସାମ୍‌ନାରେ ନେଟ୍‌ ଓଢ଼ଣି ବାନ୍ଧି ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଏହା ଶୋଭା ହରାଉଥିବା ବେଳେ ପ୍ରତ୍ୟକ୍ଷ ଭାବେ ଅଙ୍ଗ ପ୍ରଦର୍ଶନ ନ ହେଲେ ବି ସାମୟିକ ଭାବେ କୌଣସି ନା କୌଣସି ଜାଗାରେ ସେ ଆଡ଼କୁ ମୁହାଁଉଛି ବୋଲି ନୃତ୍ୟପ୍ରେମୀମାନେ ଅଭିଯୋଗ କରୁଛନ୍ତି। ‌ସେହିପରି ପଛପଟ ଅଣ୍ଟା ପାଖରେ ପଡ଼ୁଥିବା ‘ବେଢ଼ଣ’ ବା ‘ନଟବରୀ’ର ପ୍ରକୃତ ଆକୃତି ‌ଗୋଲାକାର। କିନ୍ତୁ ବର୍ତ୍ତମାନ କିଛି ସ୍ଥାନରେ ଏହା କଛା ଭଳି ବା ତିନିକୋଣିଆ ଆକୃତିର ପିନ୍ଧା ଯାଉଛି। ଏପରି ପରିପାଟୀ ସହ ନୃତ୍ୟ ବେଳେ ଖରାପ ଦେଖାଯାଉଛି। ବେଳେବେଳେ ଓଡ଼ିଶୀ ପୋଷାକ ପିନ୍ଧି ସାରିବା ପରେ ଶାଢ଼ି ଭଳି ପଛପଟୁ ଆଣି ଆଗ ପଟେ କୁଞ୍ଚ ରଖାଯାଉଛି। ପୁଣି କିଛି ନୃତ୍ୟଶିଳ୍ପୀ ଏବେ ବାଜୁ ପିନ୍ଧୁନାହାନ୍ତି। କେହିକେହି ‘ଅଣ୍ଟାପଟି’ ବା ‘ବେଙ୍ଗପାଟିଆ’ର ୩ଟି ପରସ୍ତରୁ ୨ଟି ଲଗାଉଛନ୍ତି। ମୁଖ୍ୟ ବେଙ୍ଗପାଟିଆକୁ ଛାଡ଼ି ଦେଉଛନ୍ତି। ମହିଳାମାନେ ଟାହିଆ ପିନ୍ଧୁଥିବାରୁ ଏହା ଓଡ଼ିଶୀ ନୃତ୍ୟ ବୋଲି ଦର୍ଶକ ଜାଣିପାରନ୍ତି। କିନ୍ତୁ ପୁରୁଷ ଓଡ଼ିଶୀ ନୃତ୍ୟଶିଳ୍ପୀ ଓଡ଼ିଶୀ କରୁଛନ୍ତି କି ଅନ୍ୟ କେଉଁ ଶାସ୍ତ୍ରୀୟ ନୃ୍ତ୍ୟ କରୁଛନ୍ତି ତା’ର ଫରକ ଦର୍ଶାଇବାରେ ଏହି ‌ବେଙ୍ଗପାଟିଆ ହିଁ ଏକମାତ୍ର ମାଧ୍ୟମ। ଦକ୍ଷିଣୀମାନେ ସେମାନଙ୍କ ନୃତ୍ୟରେ ବେଣୀ କରୁଥିବା ବେଳେ ଓଡ଼ିଶାର ପାରମ୍ପରିକ ଖୋସାକୁ ଓଡ଼ିଶୀରେ ସ୍ଥାନ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଓଡ଼ିଶୀରେ ବି ନୃତ୍ୟଶିଳ୍ପୀମାନେ ବେଣି କରି ମଞ୍ଚରେ ନୃତ୍ୟ ପରିବେଷଣ କରୁଛନ୍ତି। ଓଡ଼ିଶୀ ନୃତ୍ୟରେ କୁଞ୍ଚ ଆଣ୍ଠୁ ଯାଏଁ ଥାଏ। କିନ୍ତୁ ଏବେ କିଛି ନୃତ୍ୟଶିଳ୍ପୀ କୁଞ୍ଚକୁ ଗୋଡ଼ ଯାଏଁ ପିନ୍ଧୁଛନ୍ତି। ଯାହାକି ଭାରତନାଟ୍ୟମ୍‌ର ଆ‌ହାର୍ଯ୍ୟ। ଏଣୁ ଏଭଳି ଚାଲିଲେ ଅନ୍ୟ ନୃତ୍ୟର ଆହାର୍ଯ୍ୟ ଓ ଓଡ଼ିଶୀ ଆହାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା କଷ୍ଟ ହୋଇପଡ଼ିବ। ଏଣୁ ଏହା ଉପରେ ପରୀକ୍ଷାନିରୀକ୍ଷା ନାମରେ ଅଧିକାଂଶ ସମୟରେ ନୃତ୍ୟର ସୌନ୍ଦର୍ଯ୍ୟ କ୍ଷୁଣ୍ଣ ହେବା ସହ ପରମ୍ପରା ବାଟବଣା ହେଉଛି।

କିଏ କ’ଣ ପିନ୍ଧିବ ତାହା ନିଜ ରୁଚି। କିନ୍ତୁ ଓଡ଼ିଶୀ ଆହାର୍ଯ୍ୟର ସ୍ବତନ୍ତ୍ର ବୁନିଆଦି ରହିଛି। ଏହାକୁ ବିକୃତ କରିବା ବା ଏହାର ପରୀକ୍ଷାନୀରିକ୍ଷା କରିବା ଆଦୌ ଆବଶ୍ୟକତା ନାହିଁ। ଓଡ଼ିଶା ବାହାରୁ ଆସି ଓଡ଼ିଶୀ ନୃତ୍ୟ ଶିଖୁଥିବା ନୃତ୍ୟଶିଳ୍ପୀମାନେ ହିଁ ଆହାର୍ଯ୍ୟକୁ ଭିନ୍ନ ଶୈଳୀରେ ଉପସ୍ଥାପନା କରିବା ଉଦ୍ଦେଶ୍ୟରେ ବିକୃତ କରୁଛନ୍ତି। ଏବଂ ଏହାକୁ ଅନୁକରଣ କରୁଛନ୍ତି ଆମ ଓଡ଼ିଆ ନୃତ୍ୟଶିଳ୍ପୀମାନେ। ସଂସ୍କୃତି ବିଭାଗ ଏନେଇ କଡ଼ା ନିୟମ ଆଣିବା ସହ ଆହାର୍ଯ୍ୟକୁ ବିକୃତ କରୁଥିବା ନୃତ୍ୟଶିଳ୍ପୀଙ୍କୁ ଦଣ୍ଡ ଦେବା ଉଚିତ।
ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି

ଓଡ଼ିଶୀ ନୃତ୍ୟର ଏକ ପରମ୍ପରା, ଇତିହାସ, ବିଜ୍ଞାନ ରହିଛି। ଏହି ନୃତ୍ୟ ପରିବେଷଣ ସମୟରେ କ’ଣ ପିନ୍ଧିବେ, ତାହା ଆମ ଗୁରୁମାନଙ୍କ ଦ୍ବାରା ସ୍ଥିରୀକୃତ କରାଯାଇଛି। ଖଣ୍ଡୁଆ ପାଟ, ବମ୍‌କେଇ ପାଟ, ବ୍ରହ୍ମପୁରୀ ପାଟ ପିନ୍ଧିବେ କିମ୍ବା ଓଡ଼ିଶାର ଯେ‌କୌଣସି ବାନ୍ଧ ଶିଳ୍ପ ଶାଢ଼ି ପିନ୍ଧିବେ। ଆହାର୍ଯ୍ୟର ସମସ୍ତ ପାରିପାଟୀ ସେ ଶାଢ଼ି ହେଉ କି ଅଳଙ୍କାର; ସେ ସବୁ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ପରମ୍ପରାକୁ ଉପସ୍ଥାପନା କରେ। ଏହା ମଞ୍ଚ ପାଇଁ ବେଶ୍ ଜରୁରି। ସଂସ୍କୃତି ଓ ପରମ୍ପରା ପ୍ରବାହମାନ। ଏଥିରେ ପରିବର୍ତନ କିଛି ବଡ଼ କଥା ନୁହେଁ। କିନ୍ତୁ ଯାହା ବି କରାଯାଉ ପରମ୍ପରାକୁ ସାଙ୍ଗରେ ନେଇ ପରିବର୍ତ୍ତନ ଅଣାଯାଉ। ନହେଲେ ଆଧୁନିକତା ନାମରେ ଆମେ ଓଡ଼ିଶୀ ଆହାର୍ଯ୍ୟକୁ ବିକୃତ କରିପକାଇବା। ଯଦିଓ ଆହାର୍ଯ୍ୟ ସ୍ଥିରୀକୃତ କିନ୍ତୁ ଏନେଇ ସରକାରୀ ରେକର୍ଡ ନାହିଁ। ସଂସ୍କୃତି ବିଭାଗକୁ ବାରମ୍ବାର ଆବେଦନ ସତ୍ତ୍ବେ ଆହାର୍ଯ୍ୟର ଏକ ସ୍ଥିରୀକୃତ ଡକ୍ୟୁମେଣ୍ଟ ତିଆରି କରାଯାଉନାହିଁ।
ଗୁରୁ ଗ‌ଜେନ୍ଦ୍ର ପଣ୍ଡା, ଓଡ଼ିଶୀ ନୃତ୍ୟଗୁରୁ

ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ନୃତ୍ୟ। ଏଣୁ ଏହାର ଆହାର୍ଯ୍ୟ ଉପରେ ଅଯଥା ପରୀକ୍ଷାନୀରିକ୍ଷା ନ କରାଯାଇ ଆମର ବରିଷ୍ଠ ନୃତ୍ୟଗୁରୁମାନେ ଏକାଠି ହୋଇ ଆହାର୍ଯ୍ୟର ଏକ ସ୍ଥିରୀକୃତ ବିବରଣୀକୁ କାଗଜ କଲମକୁ ଉତାରନ୍ତୁ। ଏହାକୁ ସରକାରୀ ଭାବେ ସ୍ଥିର କରାଯାଇ କଡ଼ାକଡ଼ି ପାଳନ ହେଉ। ଫଳରେ ଓଡ଼ିଶୀ ନୃତ୍ୟରେ ସମାନତା ରହିବ। ନହେଲେ ଓଡ଼ିଶୀ ନୃତ୍ୟର ଆହାର୍ଯ୍ୟ ନିଜ ସୌନ୍ଦର୍ଯ୍ୟ ହରାଇବା ସହ ଏହି ଛୋଟ ଛୋଟ ପରିବର୍ତ୍ତନ ବିକୃତ କରିଦେବ।
ଶ୍ରୀନିବାସ ଘଟୁଆରୀ, ଓଡ଼ିଶୀ ଗବେଷକ

ସମ୍ବନ୍ଧିତ ଖବର