ଆଜି ବିଶ୍ବ ହସ୍ତୀ ଦିବସ, ମୁଖ୍ୟ ଆକର୍ଷଣ ସାଜିବେ ଛୋଟ ହାତୀ

ବାରଙ୍ଗ: ସୋମବାର ବିଶ୍ବ ହସ୍ତୀ ଦିବସ। ଏହି ଉତ୍ସବ ପାଳନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନନ୍ଦନକାନନ ଉପ ନିର୍ଦେଶକ ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ନନ୍ଦନକାନନର ନିର୍ଦେଶକ ଶଶି ପଲ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହେବେ ଛୋଟ ହାତୀ ଗୌରୀ, କମଳା, ଜୁଲି ଓ ମାମା। ସୁରକ୍ଷା କାରଣରୁ ବଡ଼ ହାତୀ ପ୍ରେମା, ବାସନ୍ତୀ, ହୀରା ଓ ଚନ୍ଦନ ଉତ୍ସବ ପାଳନରୁ ବାଦ୍‌ ପଡିବେ। ଭାଗ ନେବାକୁ ଥିବା ଛୋଟ ହାତୀ ୪ଟିଙ୍କୁ ସୁସଜ୍ଜିତ କରି ଟିକେଟ ଘର ପାଖ ଉତ୍ସବସ୍ଥଳୀକୁ ଅଣାଯିବ। ସେଠାରେ ମୁଖ୍ୟ ଅତିଥି ନଡ଼ିଆ, ସେଓ, କଦଳୀ ଓ ଆଖୁ ପ୍ରଭୃତି ଫଳ ସବୁଠୁ ଛୋଟ ହାତୀ ମାମା ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ। ଉପସ୍ଥିତ ଅନ୍ୟ ନିମନ୍ତ୍ରିତ ଅତିଥି ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ହାତୀମାନଙ୍କୁ ଫଳ ପରସିବେ। ହାତୀ ମାହୁନ୍ତ ମାନଙ୍କୁ ଉପହାର ଦିଆଯିବ। ନନ୍ଦନକାନନ ସଭା ଗୃହରେ ସଚେତନତା ସଭା କରାଯିବ। ସେଠାରେ ଛାତ୍ରଛାତ୍ରୀମାନଙ୍କର ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯିବ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ସଚେତନତା କାର୍ଯ୍ୟକ୍ରମ ଅୟେଜନ ମାଧ୍ୟମରେ ନନ୍ଦନକାନନ କର୍ତୃପକ୍ଷ ବିପଦରେ ପଡ଼ିଥିବା ହାତୀ ବଂଶର ସୁରକ୍ଷା ଲାଗି ପ୍ରୟାସ କରିବେ। ସୋମବାର ଛୁଟି ଦିନରେ ପଡିଥିବାରୁ ପର୍ଯ୍ୟଟକ ଆସିବେନି।

ସମ୍ବନ୍ଧିତ ଖବର