ଆଜି ବିଶ୍ବ ଭିନ୍ନକ୍ଷମ ଦିବସ: ଗୋଡ଼ ନ ଥାଇ ବି ସ୍ବାବଲମ୍ବୀ

ଆତ୍ମସମ୍ମାନର ସହ ବଞ୍ଚିବାର ରାହା ଖୋଜିପାଇଛନ୍ତି ବେବିକା ସେ’

ଭୁବନେଶ୍ବର: କାହାର ଗୋଡ଼ ନାହିଁ ତ’ କିଏ ଚାଲି ପାରୁନାହାନ୍ତି। କିଏ ଦୃଷ୍ଟିବାଧିତ, ପୁଣି କିଏ ଶୁଣିପାରନ୍ତି ନାହିଁ। କିନ୍ତୁ ଭଗବାନଙ୍କ ସୃଷ୍ଟିକୁ ସମ୍ମାନ ଦେଇ ସମାଜରେ ଏକ ସାଧାରଣ ମଣିଷ ଭଳି ବଞ୍ଚିବାକୁ ଅଣ୍ଟା ଭିଡ଼ିଛନ୍ତି ସେହିପରି ଜଣେ ଝିଅ। କାହା ଉପରେ ନିର୍ଭର ନ କରି ନିଜ ରୋଜଗାରର ପନ୍ଥା ବାଛି ନେଇଛନ୍ତି। ଉଖୁଡ଼ା, ଲିଆ, ମୁଗ, ବାଦାମ, ବଡ଼ି, ପାମ୍ପଡ଼ ଓ ମିକ୍ସର ଆଦି ଖାଦ୍ୟପଦାର୍ଥକୁ ନିଜେ ପ୍ରସ୍ତୁତ କରିବା ସହ ପ୍ୟାକେଜିଂ କରି ବିକ୍ରି କରୁଛନ୍ତି। ଖାଲି ସେତିକି ନୁହେଁ, କାଗଜ ତିଆରି ବିଭିନ୍ନ ସାମଗ୍ରୀ ଯଥା ୱାଲ୍‌ ହ୍ୟାଙ୍ଗିଙ୍ଗ, ଫୁଲଦାନୀ, ବିଭିନ୍ନ ଘରସଜ୍ଜା ସାମଗ୍ରୀ ନିଜ ହାତରେ ତିଆରି କରି ସେଥିରେ ରଙ୍ଗବେରଙ୍ଗର ରଙ୍ଗ ଭରି ବିକ୍ରି କରି ନିଜ ପ୍ରତିଭା ପ୍ରଦର୍ଶନ କରିବା ସହ ବେଶ୍‌ ଦି’ ପଇସା ରୋଜଗାର କରିପାରୁଛନ୍ତି। ‘ବିଶ୍ବ ଭିନ୍ନକ୍ଷମ ଦିବସ’ ଅବସରରେ ଆଦିବାସୀ ପଡ଼ିଆଠାରେ ଆୟୋଜିତ ପ୍ରଦର୍ଶନୀରେ ଦେଖିବାକୁ ମିଳୁଛି ବରଗଡ଼ ଜିଲ୍ଲାରୁ ଆସିଥିବା ବେବିକା ସେ’ଙ୍କ ହାତ ତିଆରି ଏସବୁ ସାମଗ୍ରୀ। ପିଲା ଦିନୁ ଗୋଡ଼ ଦୁଇଟି ନାହିଁ ସିନା, ହେଲେ ପେଟ‌ ପୋଷିବା ତଥା ନିଜ ଆବଶ୍ୟକତା ପୂରଣ ପାଇଁ ସେ ଅନ୍ୟ ଉପରେ ନିର୍ଭର କରିବାକୁ ପ୍ରସ୍ତୁତ ନୁହନ୍ତି। ଏଣୁ ନିଜ ଗୋଡ଼ରେ ନିଜେ ଠିଆ ହୋଇ ବେବିକା ପାଲଟି ଯ‌ାଇଛନ୍ତି ଏ ସମାଜ ଓ ଅନ୍ୟ ଭିନ୍ନକ୍ଷମଙ୍କ ପାଇଁ ଏକ ପ୍ରେରଣାର ଉତ୍ସ।

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ଜାରିଙ୍ଗ୍ ଅଞ୍ଚଳରୁ ଆସିଥିବା ବେବିକା କୁହନ୍ତି, ଆଗରୁ ମତେ ନିଜେ ଦିବ୍ୟାଙ୍ଗ ବୋଲି ସଙ୍କୋଚ ଲାଗୁଥିଲା। ନିଜ ଭବିଷ୍ୟତ ଓ ପେଟ ପୋ‌ଷିବା ନେଇ ବହୁତ ଚିନ୍ତାଗ୍ରସ୍ତ ରହୁଥିଲି। କ’ଣ କଲେ ମୁଁ କାହା ଉପରେ ନିର୍ଭରଶୀଳ ନ ହୋଇ ନିଜେ ସ୍ବାଭିମାନୀ ହୋଇପାରିବି ସେ ଚିନ୍ତା କରି ମୁଁ ଦୋକାନଟିଏ କଲି। ପରେ ୨୦୧୪ ମସିହାରେ ବରଗଡ଼ସ୍ଥିତ ବିକାଶଦୀପ୍ତି ସଂସ୍ଥାର ସହଯୋଗରେ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତିର ତାଲିମ ନେଲି। ଏହା ପରେ ନିଜର ସ୍ବୟଂସହାୟକ ଗୋଷ୍ଠୀ ଗଠନ କରି ବରଗଡ଼ ସମେତ ରାଜ୍ୟର ବିଭିନ୍ନ ମେଳା ଓ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ବେଶ୍‌ ଦୁଇ ପଇସା ରୋଜଗାର କରିପାରୁଛୁ। ବରଗଡ଼ ଧନୁଯାତ୍ରାଠାରୁ ଆରମ୍ଭ କରି ରାଜ୍ୟର ପ୍ରାୟ ଛୋଡ଼ ବଡ଼ ପ୍ରଦର୍ଶନୀ‌/ମେଳାରେ ଯୋଗ ଦେବାର ସୁଯୋଗ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି। ଫଳରେ କମ୍‌ ଖର୍ଚ୍ଚରେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଆମ ସାମଗ୍ରୀ ବିକ୍ରି କରିବାର ସୁଯୋଗ ମିଳିଯାଏ ବୋଲି ସେ କହିଛନ୍ତି। ବରଗଡ଼ ଜିଲ୍ଲାର ମା’ ବୈବଭଲକ୍ଷ୍ମୀ ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ, ତ୍ରିବେଣୀ ଭିନ୍ନକ୍ଷମ ସ୍ବୟଂ ସହାୟକ ଗୋଷ୍ଠୀ ଓ ତୁଳସୀ ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମଳିତ ଭାବେ ପ୍ରଦର୍ଶନୀରେ ଏହି ଷ୍ଟଲ ଖୋଲିଛି। ତେବେ ପ୍ରତି ଗୋଷ୍ଠୀରେ ୫ ଜଣ ଲେଖାଏଁ ଦିବ୍ୟାଙ୍ଗ କାମ କରୁଥିବା ବେଳେ ସମସ୍ତେ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ ହୋଇପାରିଥିବା ସେ କହିଛନ୍ତି। ତାଙ୍କ ପାଖରେ ଥିବା କାଗଜ ତିଆରି ବିଭିନ୍ନ ଘରସଜ୍ଜା ସାମଗ୍ରୀ ଦେଖିବାକୁ ଯେତିକି ସୁନ୍ଦର ସେତେ ଦୀର୍ଘସ୍ଥାୟୀ ମଧ୍ୟ। ଆକାର ଓ ଡିଜାଇନ୍‌ ଅନୁଯାୟୀ ଏହାର ଭିନ୍ନ ଭିନ୍ନ ଦାମ୍‌ ରହିଛି। ‌ତେବେ ଏହା ହାଲ୍‌କା ଓ ଆକର୍ଷଣୀୟ ହୋଇଥିବାରୁ ମେଳାକୁ ବୁଲିଆସିଥିବା ଲୋକଙ୍କର ଏହା ପସନ୍ଦର ସର୍ବାଗ୍ରେ ରହିଛି। ବେବିକା କୁହନ୍ତି, ଯଦି ଶୁଷ୍କ ଓ ଠିକ୍‌ ଜାଗାରେ ଏହି ‌କାଗଜ ତିଆରି ଘରସଜ୍ଜା ସାମଗ୍ରୀ ରଖାଯିବ ତାହା ବହୁ ବର୍ଷ ଧରି ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରି ଚ‌ାଲିବ।

ଅନେକ ସମୟରେ ଭିନ୍ନକ୍ଷମଙ୍କୁ ଆମେ ଭିନ୍ନ ଭାବେ ସକ୍ଷମ ବୋଲି କହି ଆସୁଛୁ। ଯାହାକି ସାଧାରଣ ମଣିଷ ଓ ସେମାନଙ୍କ ମଧ୍ୟରେ ସୁକ୍ଷ୍ମ ଅନ୍ତରର ରେଖାଟିଏ ଟାଣି ଦେଉଛି। ହେଲେ ପ୍ରତିଟି କ୍ଷେତ୍ରରେ ଭିନ୍ନକ୍ଷମମାନେ ନିଜକୁ ଦକ୍ଷ ପ୍ରମାଣିତ କରି ସମାଜର ମଣିଷମାନଙ୍କ ଦ୍ବାରା ଟଣା ହୋଇଥିବା ଏହି ସୁକ୍ଷ୍ମ ରେଖାକୁ ଲିଭାଇ ଦେବାକୁ ଲାଗିଲେଣି। ଏଦିଗରେ ସୂଦୁର ବରଗଡ଼ରୁ ଆସିଥିବା ବେବିକା ସେ ନିହାତି ଭାବେ ଏକ ଉଲ୍ଲେଖନୀୟ ପ୍ରେରଣା ବୋଲି କୁହାଯାଇପାରେ।

ସମ୍ବନ୍ଧିତ ଖବର