ଭୁବନେଶ୍ୱର: ବାହାରୁ ଆସି ପଖାଳ ଗଣ୍ଡେ ଖାଇ ତୋରାଣି ଟିକେ ପିଇ ଦେଲେ ପାଟିରୁ ଆପେ ବାହାରି ଯାଏ ‘ଓଃ କି ଶାନ୍ତି...’। ଏହି ସ୍ବତନ୍ତ୍ର ଖାଦ୍ୟ ନିହାତି ଭାବେ ଓଡ଼ିଆଙ୍କ ପରିଚୟର ପ୍ରତୀକ। ଖାଲି ଓଡ଼ିଆ କାହିଁକି ସେମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ବି ପଖାଳକୁ ଭୁଲନ୍ତି ନାହିଁ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ। ଶ୍ରୀକୃଷ୍ଣ ଦହି ପଖାଳ ଖାଇବା କାହାଣୀ ବି ପୁରାଣ ବର୍ଣ୍ଣିତ। ହେଲେ ଚଳିତ ଖରା ଦିନରେ ବିଶ୍ବବ୍ୟାପୀ କରୋନା ଭୟ ପଖାଳ କଂସାକୁ ବି ଶକ୍ତ ଚାପୁଡ଼ା ଦେଇଛି। କରୋନାର ମୁଖ୍ୟ ଲକ୍ଷଣ ଥଣ୍ଡା ହୋଇଥିବାରୁ ପଖାଳ ଖାଇବାରୁ ଏବେ ସମସ୍ତେ ନିବୃତ୍ତ ରହିବାର ସ୍ଥିତି ଉପୁଜିଛି। ସେମିତିରେ ଦେଖିବାକୁ ଗଲେ ଓଡ଼ିଆଙ୍କ ଘରେ କେଉଁ କାଳରୁ ପ୍ରତିଟି ଦିନ ‘ପଖାଳ ଦିବସ’ ହୋଇଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ରାଜଧାନୀରେ ଖୁବ୍‌ ନିଆରା ଢଙ୍ଗରେ ଏହାକୁ ପାଳନ କରାଯାଏ। ହୋଟେଲ ଓ ରେସ୍ତୋରାଁଗୁଡ଼ିକରେ ପଖାଳ ନେଇ ସ୍ବତନ୍ତ୍ର ପ୍ରସ୍ତୁତି ହେଉଥିଲା। କିନ୍ତୁ କରୋନା ଯୋଗୁଁ ବିଭିନ୍ନ କଟକଣା ଯୋଗୁଁ ଚଳିତ ‘ପଖାଳ ଦିବସ’ ଫିକା ପଡ଼ିଛି।

Advertisment

ଖରାଦିନ ଆସିଲେ ପଖାଳ ବେଶି ମନେ ପଡ଼େ। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ସତ୍ତା କିମ୍ବା ମହକ ହରାଇ ନାହିଁ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ଘୋଷଣା କରାଯାଇଛି। ୨୦୧୨ ମସିହାରୁ ଏହା ପାଳନ ହୋଇଆସୁଛି। ଗ୍ରାହକଙ୍କ ପଖାଳ ଚାହିଦାକୁ ପୂରଣ କରିବାକୁ ଛୋଟ ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ଗୁଡିକ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରନ୍ତି। କିନ୍ତୁ ଚଳିତ ବର୍ଷ କରୋନା ‌ମହାମାରୀ ଓଡ଼ିଆଙ୍କ ଏହି ଦିବସକୁ ଫିକା କରିଦେଇଛି। କଳ୍ପନା ଛକସ୍ଥିତ ହୋଟେଲ ‘ପୁଷ୍ପକ’ର ମ୍ୟାନେଜର (ସେଲ୍ସ୍‌) ଅଭିନାଶ ଗନ୍ତାୟତ କୁହନ୍ତି, ପ୍ରତିବର୍ଷ ପଖାଳ ଦିବସର ସ୍ବତନ୍ତ୍ର ମେନୁ ପ୍ରସ୍ତୁତ କରାଯାଏ। ଦହି ମିଶା ପଖାଳ ସାଙ୍ଗକୁ ଶାକାହାରୀଙ୍କ ପାଇଁ ଶାଗ ଭଜା, ଆଳୁ ଚକଟା, ଚିପ୍‌ସ, କଖାରୁ ଫୁଲ ପିଠୋଉ, ବଡ଼ି ଚୂରା ଓ ଆମ୍ବୁଲ ରାଇ ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଏବଂ ଆମିଷରେ ପଖାଳ ସହ ଚୁନାମାଛ, ଚିଙ୍ଗୁଡ଼ି ଛେଚା, ଆଦି ପରସି ଦିଆଯାଉ ଥିଲା। କିନ୍ତୁ ଏଥର କରୋନା କଟକଣା ଯୋଗୁଁ ହୋଟେଲରେ କିଛି ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇନାହିଁ। ଆଗକୁ ସ୍ଥିତି ସୁଧୁରିଲେ ଓ ଖରା ବଢ଼ିଲେ ଏହାର ସ୍ବତନ୍ତ୍ର ଆୟୋଜନ କରାଯିବ ବୋଲି ସେ କହିଛନ୍ତି।

ଏକାମ୍ର ହାଟସ୍ଥିତ ପେଟପୂଜାର ସ୍ବତ୍ବାଧିକାରୀ ପ୍ରକାଶ ବେହେରା କୁହନ୍ତି, ଓଡ଼ିଆଙ୍କ ଏହି ସ୍ବତନ୍ତ୍ର ଦିବସ ଓ ଖାଦ୍ୟକୁ ଅଣଦେଖା କରିହେବନି। ଏଣୁ ମୁଁ ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଛି। ଆସନ୍ତା କାଲି ‘ପଖାଳ ଦିବସ’ ସ୍ବତନ୍ତ୍ରରେ ରହିଛି ମସଲା ପଖାଳ ସହ ବଡ଼ି ଚୂରା, ଆଳୁ ଚକଟା, ଶାଗ, ଚିପ୍‌ସ୍‌, ଛତୁ ପୋଡ଼ା, ଚିଙ୍ଗୁଡ଼ି ପୋଡ଼ା, ଚୂନା ମାଛ ପୋଡ଼ା, ମାଛ ତାୱା ସେକା, ମଟନ ପୋଡ଼ା, ଚିକେନ ପୋଡ଼ା, ପୋହଳା ମସଲା, ଚିଙ୍ଗୁଡ଼ି ମସଲା, ଚିଙ୍ଗୁଡ଼ି ଛେଚା, କଖାରୁ ଫୁଲ ଭଜା, ଗୋଟା କଲରା ଭଜା ଆଦି ଆଇଟମ୍‌। ନିରାମିଷ ଥାଳି ୭୦ ଟଙ୍କା ରହିଥିବା ବେଳେ ଆମିଷ ବରାଦ ଅନୁଯାୟୀ ଟଙ୍କା ରହିଛି। ତେବେ ପୂର୍ବ ବର୍ଷଗୁଡ଼ିକରେ ୪୦୦/୫୦୦ ଲୋକଙ୍କ ପାଇଁ ରୋଷେଇ କରାଯାଉଥିବା ବେଳେ ଆସନ୍ତା କାଲି ଗ୍ରାହକଙ୍କ ଭିଡ଼ ଦେଖି ରୋଷେଇ କରାଯିବ ବୋଲି ସେ କହିଛନ୍ତି।