ଆଜି ବିଶ୍ବ ସଙ୍ଗୀତ ଦିବସ: ଜିଇବାର ସାହାରା ସାଜିଛି ସଙ୍ଗୀତ

ସୋମନାଥ ପରିଡ଼ା

ଭୁବନେଶ୍ବର: ନିରାଶାର ଅନ୍ଧାର ଭିତରେ ଆଶାର ଆଲୋକ ସାଜିଛି ସଙ୍ଗୀତ। ଯନ୍ତ୍ରଣାସିକ୍ତ ଜୀବନକୁ କରିଛି ଆନନ୍ଦମୟ। ଜିଇବା ପାଇଁ ସାଜିଛି ବଡ଼ ସାହାରା। ଖାଲଢିପ ଆବଡ଼ା ଖାବଡ଼ା ରାସ୍ତାରେ ପାଲଟିଛି ଦିବ୍ୟାଙ୍ଗଙ୍କ ଆଶାବାଡ଼ି। ଦିନେ ଦିବ୍ୟାଙ୍ଗ ପିଲାଙ୍କୁ ଦେଖି ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିବା ବାପା-ମା’ଙ୍କ ଓଠରେ ହସ ଫୁଟାଇଛି। ସଙ୍ଗୀତ ଯେ ଦୁଃଖଗଳିରୁ ଆଣି ସମାଜର ମୁଖ୍ୟସ୍ରୋତରେ ଛିଡ଼ା କରିପାରେ, ତା’ର ଉଦାହରଣ ହେଉଛନ୍ତି ଦୃଷ୍ଟିବାଧିତ ଦୁଇଭାଇ ଭୀଷ୍ମ କୁମାର ଦାସ ଓ ଉମାକାନ୍ତ ଦାସ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ ଅନ୍ତେଇ ପଞ୍ଚାୟତ ପାଇ‌ଲୋ ଗାଁର ପ୍ରଶାନ୍ତ କୁମାର ଦାସ ଓ ମଞ୍ଜୁଲତା ଦାସଙ୍କ ଦୁଇପୁଅ ଭୀଷ୍ମ ଓ ଉମାକାନ୍ତ। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ପରିବାରରେ ପୂର୍ବରୁ କେହି ଦିବ୍ୟାଙ୍ଗ ନୁହନ୍ତି। ହେଲେ କୌଣସି କାରଣବଶତଃ ଦୁଇପୁଅ ଜନ୍ମରୁ ଦେଖି ପାରୁନାହାନ୍ତି। ବଡ଼ପୁଅ ପରେ ସାନପୁଅର ଦୃଷ୍ଟିଶକ୍ତି ନଥିବା ଜାଣି ସମ୍ପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ‘ଏତେବଡ଼ ଦୁନିଆରେ ଦୁଇ ଦୁଇଟା ଦିବ୍ୟାଙ୍ଗ ପିଲା ବଞ୍ଚିବେ କେମିତି? କେମିତି ପାଠପଢ଼ି ମଣିଷ ହେବେ? ଆଖି ନଥିବା ଦୁଇପିଲାଙ୍କୁ କିଏ ବା କାହିଁକି ସହଯୋଗ କରିବ! ଏମିତି ଚିନ୍ତାକରି ବାପା-ମା’ ଲୁହ ଗଡ଼ାଉଥିଲେ। ମହାପ୍ରଭୁଙ୍କ ଲୀଲା ବଡ଼ ବିଚିତ୍ର। ଆଖି ସିନା ଦେଲେନି, ହେଲେ ଯେଉଁ କଳା ଦୁହିଁଙ୍କ ଭିତରେ ଦେଇଛନ୍ତି, ତ‌ାକୁ ଆଜି ସାରା ଓଡ଼ିଶା ପ୍ରଶଂସା କରୁଛି।

୫ ବର୍ଷ ବେଳକୁ ସାନ ପୁଅ ଉମାକାନ୍ତ ରେଡିଓ ଓ ଟିଭିରୁ ଭଜନ ଶୁଣି ଶୁଣି ଗାଇବା ଆରମ୍ଭ କଲେ। ତାଙ୍କ ସାଙ୍ଗକୁ ବଡ଼ଭାଇ ଭୀଷ୍ମ ହାତରେ ତାଳି ବଜାଉଥିଲେ। ଧୀରେଧୀରେ ଗାଁ ପୂଜା ପାର୍ବଣରେ ମହାପ୍ରଭୁଙ୍କ ଭଜନ ଗାଆ’ନ୍ତି ଉମାକାନ୍ତ ଓ ତାଳ ଧରନ୍ତି ବଡ଼ଭାଇ ଭୀଷ୍ମ। ପିଲାଙ୍କ ଏଭଳି ଇଚ୍ଛା ଦେଖି ବାପା ଭୀଷ୍ମଙ୍କୁ ତବଲା ଓ ଉମାକାନ୍ତଙ୍କୁ ସଂଗୀତ ଶିକ୍ଷା ଦେବାକୁ ସ୍ଥିର କଲେ। ଏହାପରେ ଗୁରୁ ସରୋଜ ବାରିକ ଓ ଆଦିକନ୍ଦ ସାହୁ ଉମାକାନ୍ତଙ୍କୁ ସଙ୍ଗୀତ ଶିକ୍ଷା ଦେଇଥିବା ବେଳେ ଭୀଷ୍ମଙ୍କୁ ଗୁରୁ ଅକ୍ଷୟ ପତି ତବଲା ଶିକ୍ଷାଦେଲେ। ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଆନ୍ତି ବୋଲି ‘ଆମ ଆଖିର ସାଥି ଚକା ଆଖି’ ନାମକ ଏକ ଭଜନ ସନ୍ଧ୍ୟା ଗ୍ରୁପ୍‌ ତିଆରି କଲେ ବାପା ପ୍ରଶାନ୍ତ। ଏହି ଗ୍ରୁପ୍‌ ଜରିଆରେ ଗାଁ ଗାଁରେ ଭଜନ ପରିବେଷଣ କରି ପ୍ରଶଂସା ସାଉଁଟିଲେ। ଉମାକାନ୍ତ ଭଲ ଗାଉଥିଲେ ବି ଷ୍ଟୁଡ଼ିଓରେ ଗାଇବା ପାଇଁ କୌଣସି ସୁଯୋଗ ମିଳୁନଥିଲା। ବାପା ଦୁଇପିଲାଙ୍କୁ ଧରି ଅନେକ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାରଙ୍କ ପାଖରେ ନେହୁରା ହୋଇଛନ୍ତି। କିନ୍ତୁ କୌଣସି ସହଯୋଗ ମିଳିଲାନାହିଁ।

ତେବେ ଭଲ ସମୟ ଆସିଲା। ଉମାକାନ୍ତ ବିଭିନ୍ନ ଘରୋଇ ଟିଭି ଚ୍ୟାନେଲ୍‌ର ରିଅଲିଟି ସୋ’ରେ ଭାଗ ନେଲେ। ‘ଆମ ଗାଁ ଆଖଡ଼ା’ ପରି ଅନେକ ସୋ’ରେ ଚାମ୍ପିଅନ୍‌ ବି ହେଲେ। ଏହାପରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ଉମାକାନ୍ତଙ୍କୁ ସହଯୋଗର ହାତ ବଢ଼ାଇଲେ। ଜୟଶ୍ରୀଙ୍କ ସୁର୍‌ ଭାଇବ୍ରେସନ ଷ୍ଟୁଡିଓରେ ‘ଦର୍ଶନ ଦିଅ ଆହେ କଳା ସାଆନ୍ତ’, ‘ରହିଯାରେ ନନ୍ଦିଘୋଷ ଡାକେ ଉମାକାନ୍ତ’, ‘ମାନନୀୟ ଜଗନ୍ନାଥ ଜଗତ ଠାକୁର’ ପରି ଭଜନ ଗାଇ ‌ଶ୍ରୋତାଙ୍କ ହୃଦୟ ଜିତିଛନ୍ତି। ସେ ଗାଇଥିବା ଏହି ସବୁ ଗୀତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି। ଠିକ୍‌ ସେମିତି ବଡ଼ପୁଅ ଭୀଷ୍ମ ଏବେ ସରକାରଙ୍କ ସହଯୋଗରେ ଭୁବନେଶ୍ବରରେ ରହି ତବଲା ପ୍ରଶିକ୍ଷଣ ନେବା ସହ ବଡ଼ ବଡ଼ କାର୍ଯ୍ୟକ୍ରମରେ ତାବଲା ବାଦନ ମଧ୍ୟ କରୁଛନ୍ତି। ଉମାକାନ୍ତ ମାଟ୍ରିକ୍‌ ପାସ୍‌ କରିବାପରେ ସଙ୍ଗୀତ ମହାବିଦ୍ୟାଳୟରେ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷା କରିବାକୁ ଯାଉଛନ୍ତି। ଉମାକାନ୍ତ କହନ୍ତି, ‘‘ଏ ଦୁନିଆ କେମିତି ‌ଦେଖିନି। ମହାପ୍ରଭୁଙ୍କ ରୂପରଙ୍ଗ କେମିତି ବି ଦେଖିନି। ଗୀତ ଗାଇବା ବେଳେ ମତେ ଲାଗେ ଯେମିତି ସେ ମୋ ଭିତରେ ରହି ଗାଉଛନ୍ତି…।’’

ସମ୍ବନ୍ଧିତ ଖବର