ଭୁବନେଶ୍ୱର(ସସ୍ମିତା ମଲ୍ଲ): ତମାଖୁ ସେବନ ଯୋଗୁଁ କର୍କଟ ରୋଗୀଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିଚାଲିଛି। ଏ ନେଇ ବିଭିନ୍ନସ୍ତରରେ ଜନସଚେତନତା ସୃଷ୍ଟି କରାଯାଉଛି। ତମାଖୁ ସେବନ ଦ୍ୱାରା କେବଳ କର୍କଟ ନୁହେଁ, ହୃଦ୍ରୋଗ ଆଶଙ୍କା ବି ରହିଛି। ଏବେ ଦେଶରେ ୩୦% ଲୋକ ତମାଖୁ ସେବନ ଦ୍ୱାରା ହୃଦ୍ରୋଗର ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାର ମାତ୍ରା ବି ଦିନକୁ ଦିନ ଉଦ୍ବେଗଜନକ ଭାବେ ବଢ଼ିବାରେ ଲାଗିଛି। ତମାଖୁ ସେବନ ଜନିତ ହୃଦ୍ରୋଗ ଏବେ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ସାରା ବିଶ୍ୱରେ ମୁଣ୍ଡ ଟେକିଛି। ରାଜ୍ୟ ତଥା ଦେଶରେ ଦିନକୁ ଦିନ ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଛି। ୨୦୧୬-୧୭ ସର୍ଭେ ଅନୁସାରେ ଭାରତରେ ପ୍ରାୟ ୭୦% ଲୋକ ତମାଖୁ ବ୍ୟବହାର କରନ୍ତି। ୧୯% ପୁରୁଷ ଓ ୯% ମହିଳା ଧୂଆଁ ଯୁକ୍ତ ତମାଖୁ ବ୍ୟବହାର କରୁଥିବା ବେଳେ ୨୯.୬% ପୁରୁଷ ଓ ୧୨.୮% ମହିଳା ଧୂଆଁ ବିହୀନ ତମାଖୁ ବ୍ୟବହାର କରୁଥିବା ଦେଖାଦେଇଛି। ୪୨% ପୁରୁଷ ଏବଂ ୧୪.୨% ମହିଳା ଗୁଟ୍ଖା ଓ ସିଗାରେଟ୍ ବ୍ୟବହାର କରନ୍ତି। ଏଥିରୁ ୫୫.୪% ଧୂମପାନ କରି ତ୍ୟାଗ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ୪୯% ଗୁଟ୍ଖା ଛାଡ଼ିବା ପାଇଁ ପ୍ରାୟସ କରୁଛନ୍ତି। ସେହିପରି ଭାବେ ୪୮% ଲୋକଙ୍କୁ ଡାକ୍ତର ଧୂମପାନ ଓ ୩୧%ଙ୍କୁ ଗୁଟଖା ଛାଡ଼ିବା ପାଇଁ କହିଛନ୍ତି। ୯୨% ଲୋକ ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଭାବୁଥିବା ବେଳେ ୯୫% ଗୁଟ୍ଖା ଖାଇବା ଦ୍ୱାରା ମଣିଷ ମୃତ୍ୟୁମୁଖରେ ପଡ଼ୁଛି ବୋଲି ଚିନ୍ତା କରୁଛନ୍ତି।
ତମାଖୁ ସେବନର ଭୟାବହତାକୁ ନଜରରେ ରଖି ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ଭାବେ ଆଇନ୍ ପ୍ରଣୟନ କରାଯାଇଛି। କିନ୍ତୁ ତାହାର କାର୍ଯ୍ୟକାରିତା ସଫଳତାର ସହ କରାଯାଇପାରୁନି। ରାଜ୍ୟ ସରକାର ୨୦୧୩ ଜାନୁଆରିରେ ଗୁଟ୍ଖା, ତମାଖୁ ପରି ନିଶା ଦ୍ରବ୍ୟ ଉତ୍ପାଦନ, ବିକ୍ରି ଓ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହା ପରେ କିଛି ଦିନ ଗୁଟ୍ଖା ବିକ୍ରି ଉପରେ ରୋକ୍ ଲାଗିଲା। ଯିଏ ବିକ୍ରି କଲେ ଲୁଚାଛପାରେ କଲେ। କିନ୍ତୁ କିଛି ଦିନ ପରେ ନିୟମକୁ ଫୁ କରି ଖୋଲାଖୋଲି ଗୁଟ୍ଖା ବିକ୍ରି ଚାଲିଲା। ଏବେ ଏମିତି ଏକ ନିୟମ ଅଛି ବୋଲି ସାଧାରଣ ଜନତା ଜାଣିପାରୁନାହାନ୍ତି। ତମାଖୁରେ ସବୁଠାରୁ ବିପଜ୍ଜନକ କୁହାଯାଉଥିବା ଗୁଟ୍ଖାକୁ ବନ୍ଦ କରିବା ପାଇଁ ସରକାରୀସ୍ତରରେ ଆନ୍ତରିକତାର ଅଭାବ ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି।
ପ୍ରତ୍ୟେକ ବର୍ଷ ମେ’ ୩୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ରୂପେ ପାଳନ କରାଯାଏ। ଚଳିତ ବର୍ଷ ଏହାର ଥିମ୍ ରହିଛି ‘ତମାଖୁ ଓ ହୃଦ୍ରୋଗ’। ତମାଖୁ ବ୍ୟବହାର ଦ୍ୱାରା ହେଉଥିବା ହୃଦ୍ରୋଗ ଓ ବିଶ୍ୱ ସମୁଦାୟ ଉପରେ ଏହାର ଖରାପ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। କିପରି ତମାଖୁର ବ୍ୟବହାର ଆମର ହୃତ୍ପିଣ୍ଡ ଉପରେ ଖରାପ ପ୍ରଭାବ ପକାଉଛି ଓ ହୃଦରୋଗର ମୁଖ୍ୟ କାରଣ ସାଜିଛି, ସେ ନେଇ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତମାଖୁ ବର୍ଜନ ପାଇଁ କେବଳ ସରକାରୀସ୍ତରରେ ସଚେତନତା ସୃଷ୍ଟି ହେଲେ ହେବ ନାହିଁ, ଏ ନେଇ ଜନସାଧାରଣ ନିଜ ଆଡ଼ୁ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଧୂମପାନ ମଣିଷ, ପଶୁପକ୍ଷୀଙ୍କ ପାଇଁ କ୍ଷତିକାରକ
ଅନ୍ୟ ଦେଶ ଅପେକ୍ଷା ଭାରତରେ ତିଆରି ହେଉଥିବା ସିଗାରେଟ୍ରେ ଅଧିକ ପରିମାଣରେ କେମିକାଲ୍ ରହୁଥିବାରୁ ଏହା ହୃଦ୍ରୋଗର ମୁଖ୍ୟ କାରଣ। ଗାଁଗହଳିରେ ରହୁଥିବା ଲୋକ ଅଧିକ ବିଡ଼ି ଟାଣୁଥିବା ଦେଖାଯାଏ, ଯାହା କି ହୃଦ୍ରୋଗର ଆଶଙ୍କାକୁ ବଢ଼ାଇ ଦେଇଥାଏ। ସିଗାରେଟ୍ ଟାଣୁଥିବା ଲୋକ ଯଦି ହଠାତ୍ ସିଗାରେଟ୍ ଟାଣିବା ଛାଡ଼ିଦିଅନ୍ତି, ତା’ହେଲେ ତା’କୁ ୧୦ ବର୍ଷ ଲାଗିବା ନନ୍ ସ୍ମୋକର ଲିଷ୍ଟ୍କୁ ଆସିବା ପାଇଁ। ସିଗାରେଟ୍ ବ୍ୟବହାର ନ କରିବା ପାଇଁ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି। ବର୍ତମାନ ଓଡ଼ିଶାରେ ତମାଖୁ ଜନିତ ହୃଦ୍ରୋଗ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ରୋଗ ପାଇଁ ଆମେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଧୂମପାନ ଦ୍ୱାରା କେବଳ ମଣିଷଙ୍କ ଅସୁବିଧା ହେଉନି, ପଶୁପକ୍ଷୀମାନେ ମଧ୍ୟ ଏହାର ଶିକାର ହେଉଛନ୍ତି।
ଡାକ୍ତର ପି.କେ. ସାହୁ
ବରିଷ୍ଠ ହୃଦରୋଗ ବିଶେଷଜ୍ଞ, ଆପୋଲୋ ହସ୍ପିଟାଲ୍
ବ୍ୟାପକ ସଚେତନତା ଲୋଡ଼ା
ବିକାଶଶୀଳ ରାଷ୍ଟ୍ର ହେଉ ବିକଶିତ ରାଷ୍ଟ୍ର, ଜନସଚେତନତା ସୃଷ୍ଟି କରାଗଲେ ତମାଖୁ ସେବନ ଧୀରେ ଧୀରେ କମିପାରିବ। ଏବେ ତମାଖୁ ଜନିତ ରୋଗ ମଧ୍ୟରୁ ସବୁଠାରୁ ଭୟଙ୍କର ରୋଗ ରୂପେ ହୃଦ୍ରୋଗକୁ ଚିହ୍ନଟ କରାଯାଇଛି। ଏବେ ଜଣାପଡ଼ିଛି ହୃଦରୋଗ ସମ୍ବନ୍ଧୀୟ ବିଭିନ୍ନ ରୋଗର ମୁଖ୍ୟ କାରଣ ହେଉଛି ତମାଖୁ ସେବନ। ବୟସ୍କମାନଙ୍କ ମଧ୍ୟରେ ଦେଖାଦେଇଥିବା ପ୍ରାୟ ହୃଦରୋଗ ତମାଖୁ ଜନିତ ହୋଇଥାଏ। ଓଡ଼ିଶାରେ ସାମଗ୍ରିକ ଭାବେ ଦେଖିବାକୁ ଗଲେ ୫୦ ପ୍ରତିଶତ ତମାଖୁ ଜନିତ ହୃଦରୋଗୀ ଚିହ୍ନଟ ହେଉଛନ୍ତି। ଏହାର ଭୟାବହତା ସମ୍ପର୍କରେ ଲୋକମାନେ ସଚେତନ ହେବାର ଆବଶ୍ୟକତା ରହିଛି।
ଡାକ୍ତର ଦୀପକ ରଞ୍ଜନ ଦାସ
ହୃଦ୍ରୋଗ ବିଭାଗ, ଏସ୍ସିବି ମେଡିକାଲ କଲେଜ